ଭଦ୍ରକ କଲେଜରେ ଉତ୍ତେଜନା

ୟୁଏଲ୍ବି ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ
ଭଦ୍ରକ,୩୦ ।୭ (ଆପ୍ର): ଜେଇ (ସିଭିଲ) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ଦ୍ୱାରା ପରିଚାଳିତ ଆଉ ଏକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ଅର୍ବାନ ଲୋକାଲ ବଡି ବା ୟୁଏଲବି ଆକାଉଣ୍ଟାଣ୍ଟ ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା ଦେଖିବାକୁ ମିଳିଛି ।
ରବିବାର ଭଦ୍ରକ କଲେଜରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ୟୁଏଲ୍ବି ଆକାଉଣ୍ଟାଣ୍ଟ ପଦବୀ ପାଇଁ ପରୀକ୍ଷା କରାଯାଉଥିଲା । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେବା ନେଇ କିଛି ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ କଲେଜ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । କିଛି ପରୀକ୍ଷାର୍ଥୀ ପରୀକ୍ଷା ନଦେଇ କଲେଜ ଫାଟକ ଭିତରେ ରହି ପ୍ରଶ୍ନପତ୍ର ଲିକ୍ ନେଇ ନାରାବାଜି କରିବା ସହ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ଥିଲା ।
ଓଏସଏସସିର ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ୧୩୮ଟି ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଭଦ୍ରକ କଲେଜରେ ୭୦୦ ଆଶାୟୀ ପରୀକ୍ଷା ଦେଇଥିଲେ । ରବିବାର ସକାଳ ୧୦ଟା ସମୟରେ କଲେଜର ୧୭ରୁ ଉର୍ଦ୍ଧ୍ୱ ରୁମରେ ପରୀକ୍ଷା ଆରମ୍ଭ ହୋଇଥିଲା । ପ୍ରଶ୍ନପତ୍ର ଦିଆଯିବା ସମୟରେ ୨୨ ଓ ୨୩ ନମ୍ବର ରୁମରେ ବିଭ୍ରାଟ ଦେଖା ଦେଇଥିଲା ।
ଅଭିଯୋଗରୁ ପ୍ରକାଶ ଯେ, ପରୀକ୍ଷାର୍ଥୀଙ୍କୁ ୧୦ଟା ୧୦ ମିନିଟ୍ ସମୟରେ ପ୍ରଶ୍ନପତ୍ର ଦିଆଯାଇଥିଲା । କିଛି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦେବାବେଳେ ପୂର୍ବରୁ ଜଉମୁଦ ହୋଇଥିବା ପ୍ୟାକେଟ୍ରେ କିଛି ଅଂଶ ଖୋଲା ହୋଇଥିବା ନେଇ ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ । ଏପରି ଅଭିଯୋଗ ଉଠାଇ ପରୀକ୍ଷାର୍ଥୀମାନେ ଯୁକ୍ତି ବାଢ଼ିବା ସହ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ କରାଯାଇଥିବା ନେଇ ଅଭିଯୋଗ ଉଠାଇଥିଲେ । ପରେ ସେମାନେ ପରୀକ୍ଷା ହଲରୁ ପରୀକ୍ଷା ନ ଦେଇ ହଲ୍ ବାହାରକୁ ପଳାଇ ଆସିଥିଲେ । ସେଠାରେ ପହଞ୍ଚିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ କରିବା ସହ ଟଙ୍କା ଦିଅ ଚାକିରୀ ନିଅ ବୋଲି ନାରାବାଜି କରିଥିଲେ । ଏପରିକି ପରୀକ୍ଷା ବର୍ଜନ ଦାବି କରି କଲେଜ ଫାଟକ ଆଗରେ ଧାରଣାରେ ବସିଥିଲେ ।
ରଜ୍ୟ ସରକାର ଟଙ୍କା ନେଇ ଚାକିରି ଦେଉଛି ବୋଲି ଅଭିଯୋଗ ଉଠାଇଥିଲେ । ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଚାକିରି ନପାଇ ହତାଶ ହେଉଥିବା ବେଳେ ସରକାରଙ୍କର କିଛି ଦଲାଲ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କରି କୋଟି କୋଟି ଟଙ୍କା କମାଉଛନ୍ତି । ଗୋଟିଏ ଗୋଟିଏ ଚାକିରି ପାଇଁ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ କାରବାର କରାଯାଉଛି ବୋଲି ପରୀକ୍ଷାର୍ଥୀ ଅଭିଯୋଗ କରିଥିଲେ । ପରୀକ୍ଷାର୍ଥୀଙ୍କର ଏଭଳି ଅଭିଯୋଗ ପାଇବା ପରେ ଘଟଣା ସ୍ଥଳକରେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଓ ଭଦ୍ରକ ସିଟି ଡିଏସ୍ପି ଅଂଶୁମାନ ଦ୍ୱିବେଦୀ ଘଟଣା ସ୍ଥଳକୁ ଯାଇ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସଂପର୍କରେ କଲେଜ କର୍ତ୍ତୃପକ୍ଷଙ୍କ ଆଲୋଚନା କରିଥିଲେ ।
ପ୍ରଶ୍ନପତ୍ର ଲିକ୍ ସଂପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଭଦ୍ରକ କଲେଜର ଅଧ୍ୟକ୍ଷ ଡ. ସୁବୋଧ ଚନ୍ଦ୍ର ମିଶ୍ର ଏହାକୁ ଖଣ୍ଡନ କରିବା ସହ ଏଭଳି କିଛି ହୋଇ ନଥିବା ସେ ପ୍ରକାଶ କରିଛନ୍ତି । ପ୍ରଶ୍ନପତ୍ର ପୁଲିସ ଓ ନୋଡାଲ ଅଫିସରଙ୍କ ଆଗରେ ହିଁ ଖୋଲା ଯାଇଥିଲା । ଭଦ୍ରକ କଲେଜ ସେଣ୍ଟରରେ କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିବା ସଂପର୍କରେ କଳେଜର ଅଧ୍ୟକ୍ଷ ଡ. ମିଶ୍ର ଗଣମାଧ୍ୟକୁ କହିଛନ୍ତି । ତେବେ ଏଇ ଘଟଣାକୁ ନେଇ ଆଜି ଅନକେ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ରେ ବସି ପରୀକ୍ଷା ଦେଇଥିବାବେଳେ ଦୁଇଟି ହଲ୍ର ପରୀକ୍ଷାର୍ଥୀମାନେ ପରୀକ୍ଷା ନଦେଇ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଉଠାଇ ଆନେ୍ଦାଳନ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *