ପୋଲ ଭୁଶୁଡ଼ି ୫ ମୃତ

ରାୟଗଡ଼ା, ୩୧ା୭(ଆପ୍ର): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଉପରସଜା ଗ୍ରାମରେ ଏକ ନିର୍ମାଣାଧୀନ ପୋଲ ସୋମବାର ପ୍ରବଳ ବର୍ଷା ଯୋଗୁ ଭୁଶୁଡି ୫ ଜଣଙ୍କ ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । ଶୋକ ଓ କୋହରେ ଫାଟି ପଡୁଛି ଗାଁ ଦାଣ୍ଡ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ସମସ୍ତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।
ଏହି ଅଘଟଣ ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଉପରସଜା ଗ୍ରାମରେ । ମୃତକ ମାନେ ହେଲେ ଲଛେନ୍ଦ୍ର ମିଣିଆକା (୪୦), ମନୋଜ ମାଝୀ (୫), ପ୍ରିନ୍ସ ମିଣିଆକା (୪), ତାରିଣୀ ମିଣିଆକା (୮) ଓ ସୁମନ ମିଣିଆକା (୭) । ଲଛେନ୍ଦ୍ର ଓ ପ୍ରିନ୍ସ ବାପା ପୁଅ ହୋଇଥିବା ବେଳେ ତାରିଣୀ ଓ ସୁମନ ଦୁଇ ଭାଇ । ମୃତକମାନେ ଗାଧୋଇବା ପାଇଁ ନାଳକୁ ଯାଇ ଦୁର୍ଘଟଣା ଶିକାର ହୋଇଥିଲେ । ଦୁଇ ପୁଅଙ୍କ ମୃତୁ୍ୟରେ ଭାଙ୍ଗି ପଡି ମା ଦୀପାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି ।
ବର୍ଷା ଯୋଗୁ ନିର୍ମାଣାଧୀନ ପୋଲ ତଳେ ଫାଣି ଜମିଥିଲା । ସୋମବାର ପୁର୍ବାହ୍ଣ ପ୍ରାୟ ୯ ସମୟରେ ୮ ଜଣ ଗାଁ ନିକଟରେ ଥିବା ନାଳକୁ ଗାଧୋଇବା ପାଇଁ ଯାଇଥିଲେ । ହଠାତ୍ ପୋଲର ଛାତ ଭୁଷୁଡି ପଡ଼ିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତୁ୍ୟ ହୋଇଥିଲେ । ତେବେ ସୌଭାଗ୍ୟବଶତଃ ଅନ୍ୟ ୩ ଜଣ ବର୍ତି ଯାଇଥିଲେ । ଖବର ମିଳିବା ମାତ୍ରେ ଗ୍ରାମବାସୀ ନାଳ ନିକଟରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପୁଲିସ ଓ ପ୍ରଶାସନିକ ଅଧିକାରୀ । ଏହାପରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି ଲୋକଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ଗାଁ ନିକଟରେ ହିଁ ଶବ ବ୍ୟବଚ୍ଛେଦ କରାଇଥିଲେ ।
ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀ ଘଟଣା ତଦନ୍ତ ନିଦେ୍ର୍ଦଶ ଦେଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ପୁଲିସ ଏକ ମାମଲା ରୁଜୁ କରିଛି । ପୋଲ ତିଆରି ଦାୟିତ୍ୱରେ ଥିବା ଠିକାଦାର ଫେରାର ରହିଥିବା ସୂଚନା ମିଳିଛି । ପୋଲ ନିର୍ମାଣରେ ତ୍ରୁଟି ଯୋଗୁଁ ଏହି ଅଘଟଣ ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରିଛନ୍ତି । ଖବର ଅନୁଯାୟି ଠିକାଦାର ପୋଲ ତିଆରିରେ ନିଯୁକ୍ତ ଶ୍ରମିକଙ୍କୁ ଫେରାଇ ନେଇ କାମ ଅଧପନ୍ତରିଆ ଭାବେ ଛାଡିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *