ନଡ୍ଡାଙ୍କ ଟିମ୍ରେ ୧୩ ରାଷ୍ଟ୍ରୀୟ ଉପାଧ୍ୟକ୍ଷ
ନୂଆଦିଲ୍ଲୀ, ୨୯ା୭: ୨୦୨୪ର ମହାସମର ପାଇଁ ବିଜେପି ରାଷ୍ଟ୍ରୀୟ ସ୍ତରରେ ନୂଆ ଟିମ୍ ଗଢିଛି । ଦଳର ମୁଖ୍ୟ ଜେପି ନଡ୍ଡା ଶନିବାର ତାଙ୍କ ନୂଆ ଟିମ୍ ଘୋଷଣା କରିଛନ୍ତି ଯେଉଁଥିରେ ନୂଆ ଓ ପୁରୁଣାଙ୍କୁ ମିଶାଇ ରହିଛି ୩୮ ନାମ । ୧୩ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୧୩ ରାଷ୍ଟ୍ରୀୟ ସଚିବ ଓ ୮ ରାଷ୍ଟ୍ରୀୟ ମହାମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି । ପୂର୍ବରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିବା ବୈଜୟନ୍ତ ପଣ୍ଡା ତୃତୀୟ ଥର ଉକ୍ତ ପଦବୀରେ ରହିଛନ୍ତି । ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଯଥା- ବସୁନ୍ଧରା ରାଜେ ସିନ୍ଧିଆ, ରମଣ ସିଂହ ଓ ରଘୁବୀର ଦାସ ଉପାଧ୍ୟକ୍ଷ ହୋଇଛନ୍ତି । ଦୁଇଜଣ ମୁସ୍ଲିମ୍ଙ୍କୁ ମଧ୍ୟ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରାଯାଇଛି । ଜଣେ ହେଉଛନ୍ତି ଅବଦୁଲ୍ଲା କୁଟ୍ଟୀ, ଅନ୍ୟ ଜଣେ ଆଲିଗଡ ମୁସ୍ଲିମ୍ ବିଶ୍ୱବିଦ୍ୟାଳୟର ପୂର୍ବତନ ଚାନ୍ସଲର ତାରିକ ମନ୍ସୁର । କୁଟ୍ଟୀ କେରଳର ଅଧିବାସୀ । ପୂର୍ବରୁ ସେ ଲୋକସଭା ସାଂସଦ ଥିଲେ ଏବେ ଭାରତୀୟ ହଜ୍ କମିଟିର ଅଧ୍ୟକ୍ଷ ଅଛନ୍ତି । ନଡ୍ଡା ଦକ୍ଷିଣ ଭାରତରେ ଦଳକୁ ମଜ୍ଭୁତ କରିବା ଉଦେ୍ଦଶ୍ୟରେ ଏହି ଦୁଇ ପସମାନ୍ଦା ମୁସଲିମ୍ଙ୍କୁ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ।
କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନିଙ୍କ ପୁଅ ଅରୁଣ ଆଣ୍ଟୋନିଙ୍କୁ ରାଷ୍ଟ୍ରୀୟ ସଚିବ କରାଯାଇଛି । ବିଏଲ୍ ସନ୍ତୋଷ ପୂର୍ବଭଳି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ଦାୟିତ୍ୱରେ ରହିବେ । ସେ ୨୦୧୯ରୁ ଏହି ପଦରେ ରହିଆସିଛନ୍ତି । ତାଙ୍କୁ ସହ ସଙ୍ଗଠନ ମହାମନ୍ତ୍ରୀ ରୂପେ ସହାୟତା କରିବେ ଶିବ ପ୍ରକାଶ । ରାଜେଶ ଅଗ୍ରୱାଲ ଓ ନରେଶ ବଂଶଲଙ୍କୁ ଯଥାକ୍ରମେ କୋଷାଧ୍ୟକ୍ଷ ଓ ସହ କୋଷାଧ୍ୟକ୍ଷ କରାଯାଇଛି । ତେଲେଙ୍ଗାନାର ସଂଜୟ ବନ୍ଦୀଙ୍କୁ ନୂଆ ଟିମ୍ରେ ରଖାଯାଇଛି ।
ଅପରପକ୍ଷେ ଆନ୍ଧ୍ର ପ୍ରଦେଶର ବିଜେପି ପ୍ରଭାରୀ ସୁନୀଲ ଦେଓଧର, ସିଟି ରବି ଓ ଦିଲୀପ ସୈକିଆଙ୍କୁ ମହାମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି ।