୩ଠଠ ଗବେଷକଙ୍କୁ ମାସିକ ୩୦ ହଜାର
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ସ୍କିମ୍
ଭୁବନେଶ୍ୱର, ୨୯ା୭(ବୁ୍ୟରୋ): ଚଳିତ ଶିକ୍ଷାବର୍ଷରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଫେଲୋସିପ୍ ସ୍କିମ (ସିଏମଆରଆଇଏଫପି) ଛାତ୍ରବୃତ୍ତି । ପିଏଚଡି କରୁଥିବା ଛାତ୍ରଛାତ୍ରୀ ମାସିକ ପାଇବେ ୩୦ ହଜାର ଟଙ୍କା ଫେଲୋସିପ୍ । ମୁଖ୍ୟମନ୍ତ୍ରୀ ଫେଲୋସିପ୍ ସ୍କିମ୍ରୁ ମିଳିବ ଏହି ବୃତ୍ତି । ରାଜ୍ୟରେ ପିଏଚଡି କରୁଥିବା ୩୦୦ ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ୫ ବର୍ଷ ପର୍ଯ୍ୟନ୍ତ ଏହି ସୁବିଧା ପାଇବେ ପିଏଚଡି ସ୍କଲାର ।
ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପିଏଚ୍ଡି କରୁଥିବା ତଥା ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏହା ଦ୍ୱାରା ଉପକୃତ ହେବେ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା (ଓୟୁଆରଆଇଆଇପି)କୁ ଉନ୍ନତି କରି ଏହି ଯୋଜନା କରାଯାଇଛି ।
ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ୫୦ ହଜାର ଓ ସାମାଜିକ ବିଜ୍ଞାନରେ ପିଏଚଡି କରୁଥିବା ପିଲାଙ୍କୁ ବର୍ଷକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ଯେଉଁ ପିଏଚଡି ଧାରୀ ବିଶ୍ୱର ଶ୍ରେଷ୍ଠ ୨୫ ଟି ଜର୍ଣ୍ଣାଲରେ ନିଜ ନିବନ୍ଧ ପ୍ରକାଶ ପାଇଁ ରିସର୍ଚ୍ଚ କରୁଥିବେ ସେମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ । ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ମାସିକ ୩୦ ହଜାର ଟଙ୍କା ବୃତ୍ତି ଆକାରରେ ଦିଆଯିବ ।
ଓୟୁଆରଆଇଆଇପିରେ ପିଏଚଡି ଧାରୀଙ୍କୁ ୧୫ ହଜାର ଟଙ୍କା ଦିଆଯାଉଥିବା ବେଳେ ଏଥିଲାଗି ନେଟ୍ ପରୀକ୍ଷା ପାସ୍ ଆବଶ୍ୟକ ହେଉଥିଲା । ମାତ୍ର ସିଏମଆରଆଇଏଫପି ଛାତ୍ରବୃତ୍ତି ଯୋଜନା ଲାଗୁ ହେବା ପରେ ଓୟୁଆରଆଇଆଇପି ଛାତ୍ରବୃତ୍ତିକୁ ବନ୍ଦ କରି ଦିଆଯିବ । ନୂଆ ଯୋଜନାରେ ଛାତ୍ରବୃତ୍ତି ପାଇଁ ନେଟ୍ ପରୀକ୍ଷା ଯୋଗ୍ୟତା ବାଧ୍ୟତାମୂଳକ ହେବ ନାହିଁ । ଏକକ ପିଏଚଡି ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ ।