ବ୍ୟାଙ୍କ୍ରେ ୫ ଦିନ କାମ, ୨ ଦିନ ଛୁଟି
ନୂଆଦିଲ୍ଲୀ, ୨୮ା୭: ଦେଶ ସାରା ସବୁ ବ୍ୟାଙ୍କ୍ ଏଣିକି ସପ୍ତାହରେ ୫ ଦିନ ଖୋଲା ରହିବ । ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କର କର୍ମଚାରୀମାନଙ୍କୁ ମିଳିବ ଦୁଇଦିନ ସପ୍ତାହିକ ଛୁଟି । ଶନିବାର ଓ ରବିବାର ବ୍ୟାଙ୍କ୍ ବନ୍ଦ ରହିବ । ବ୍ୟାଙ୍କ କର୍ମଚାରୀମାନଙ୍କ ହିତରେ ଏହି ଫଇସଲା ନେଇଛନ୍ତି ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ (ଆଇବିଏ) ଓ ବ୍ୟାଙ୍କ୍ କର୍ମଚାରୀ ସଂଗଠନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ୍ । ଶୁକ୍ରବାର ଅନୁଷ୍ଠିତ ବୈଠକରେ ସପ୍ତାହକେ ଦୁଇଦିନ ଛୁଟି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ତେବେ ଏହାର ବିନିମୟରେ ସେମାନଙ୍କ ଦୈନିକ କାର୍ଯ୍ୟ ସମୟକୁ ୪୦ ମିନିଟ୍ ବଢାଇ ଦିଆଯାଇଛି ।
ଦୁଇଦିନ ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ କର୍ମଚାରୀମାନେ ବହୁଦିନ ହେଲା ଦାବି କରିଆସୁଥିଲେ । ପୂର୍ବରୁ ଭାରତୀୟ ଜୀବନ ବୀମା ନିଗମରେ ଏପରି ୫ ଦିନିଆ କାର୍ଯ୍ୟ ଦିବସ ବ୍ୟବସ୍ଥା ଲାଗୁ କରାଯାଇଛି । ଏବେ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ରବିବାର ଛୁଟି ମିଳୁଛି । ତା ବାଦ୍ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ବ୍ୟାଙ୍କ ବନ୍ଦ ରହୁଛି । ନୂଆ ନିୟମ ଖୁବ୍ଶୀଘ୍ର ଲାଗୁ ହେବ । ଏହାଫଳରେ ବ୍ୟାଙ୍କଗୁଡିକ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ ।
ନିଗୋସିଏବଲ୍ ଇନ୍ଷ୍ଟ୍ରୁମେଣ୍ଟ୍ସ ଅଧୀନିୟମର ଧାରା ୨୫ ଅନୁଯାୟୀ କେନ୍ଦ୍ର ସରକାର ମାସର ପ୍ରତି ଶନିବାର ବ୍ୟାଙ୍କ ବନ୍ଦ ରହିବ ବୋଲି ଘୋଷଣା କରିବେ । ବ୍ୟାଙ୍କ ପାଇଁ ସପ୍ତାହରେ ୫ ଦିନ କାର୍ଯ୍ୟଦିବସ ପ୍ରସ୍ତାବକୁ ବିରୋଧ କରାଯିବ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଜୀବନ ବୀମା ନିଗମରେ ୨୦୨୧ ମେ’ରେ ୫ ଦିନିଆ କାର୍ଯ୍ୟଦିବସ ଲାଗୁ ହେବା ପରଠାରୁ ବ୍ୟାଙ୍କ କର୍ମଚାରୀମାନେ ଅନୁରୂପ ସୁବିଧା ପାଇବା ଲାଗି ଦାବି କରିଆସୁଥିଲେ ।