ପ୍ରଥମ ଥର ଭାରତୀୟ ବାମହାତି ସ୍ପିନ୍-ଯୋଡ଼ି ନେଲେ ୭ ୱିକେଟ୍

ବାର୍ବାଡୋସ୍, ୨୮ା୭ (ଏଜେନ୍ସି)
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଦିନିକିଆରେ ମଧ୍ୟ ଟିମ୍ ଇଣ୍ଡିଆ ଦମ୍ଦାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି । ଗୁରୁବାର ରୋହିତ ସେନା ପ୍ରଥମ ମ୍ୟାଚ୍ରେ ୫ ୱିକେଟ୍ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚ୍ରେ କେତେକ ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳିଥିଲା, ଯେପରିକି ଭାରତର ବାମହାତି ସ୍ପିନ୍-ଯୋଡ଼ି ୭ ୱିକେଟ୍ ନେଇଥିଲେ ।
ରବୀନ୍ଦ୍ର ଜାଡ଼େଜା ପ୍ରଥମ ଦିନିକିଆରେ ୩ ୱିକେଟ୍ ଅକ୍ତିଆର କରିଥିଲେ । ଏହା ସହିତ ଦିନିକିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର୍ ହୋଇପାରିଛନ୍ତି । ଜାଡ଼େଜା କାରିବୀୟ ଟିମ୍ର ୪୪ ବ୍ୟାଟର୍ଙ୍କୁ ଆଉଟ୍ କରିସାରିଛନ୍ତି । ସେ କପିଳ ଦେବଙ୍କୁ ପଛରେ ପକାଇଛନ୍ତି, ଯିଏ ୪୩ ଇଣ୍ଡିଜ୍ ବ୍ୟାଟର୍ଙ୍କୁ ଆଉଟ୍ କରିଥିଲେ । ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ଅନିଲ କୁମ୍ବଲେ (୪୧ ୱିକେଟ୍) । ଶାମୀ ୩୭ ୱିକେଟ୍ ସହ ଚତୁର୍ଥ ଓ ହରଭଜନ ସିଂହ ୩୩ ୱିକେଟ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ପ୍ରଥମ ଦିନିକିଆରେ ଚମକପ୍ରଦ ବୋଲିଂ ପ୍ରଦର୍ଶନ କରିଥିଲେ । ସେ ୩ ଓଭର୍ରେ ୬ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ । ଏହା ସହିତ କୁଲଦୀପ ସପ୍ତମ ଥର ୪ ୱିକେଟ୍ ନେଇଛନ୍ତି ।
ସେ ସର୍ବାଧିକ ୪ ୱିକେଟ୍ ନେଇଥିବା ବୋଲର୍ଙ୍କ ତାଲିକାରେ ଚହଲଙ୍କ ସମକକ୍ଷ ହୋଇଛନ୍ତି । ଚହଲ ମଧ୍ୟ ସାତ ଥର ୪ ୱିକେଟ୍ ନେଇଛନ୍ତି । କୁଲଦୀପ, ସଚିନ ତେନ୍ଦୁଲକର (ଛଅ ଥର)ଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ଅନିଲ କୁମ୍ବଲେ ସର୍ବାଗ୍ରେ ଅଛନ୍ତି । କୁମ୍ବଲେ ୧୦ ଥର ୪ ୱିକେଟ୍ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡ଼େଜା (ଆଠ ଥର) ଏବଂ କୁଲଦୀପ ଓ ଚହଲ ମିଳିତ ତୃତୀୟ ସ୍ଥାନରେ ରହିଛନ୍ତି ।
ଅଧିନାୟକ ରୋହିତ ଶର୍ମା ଭାରତର ବିଜୟରେ ଅପରାଜିତ ୧୨ ରନ୍ର ଯୋଗଦାନ ଦେଇଥିଲେ । ସେ ୨୫ତମ ଥର ସଫଳ ରନ୍ ଚେଜ୍ରେ ଅପରାଜିତ ଥିଲେ । ଏହି ତାଲିକାରେ ରୋହିତ କିମ୍ବଦନ୍ତୀ ବ୍ୟାଟର୍ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥିଲେ । ଏଥିରେ ମହେନ୍ଦ୍ର ସିଂହ ଧୋନି ଶୀର୍ଷରେ ରହିଛନ୍ତି । ଧୋନି ୪୭ ଥର ଅପରାଜିତ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିରାଟ କୋହଲି ୩୦ ଥର ଅପରାଜିତ ଥିଲେ । ଏହି ତାଲିକାରେ ମହମ୍ମଦ ଆଝାରୁଦ୍ଦିନ, ସୁରେଶ ରାଇନା ଓ ଯୁବରାଜ ସିଂହ ପ୍ରମୁଖଙ୍କ ନାମ ରହିଛି ।
ୱେଷ୍ଟଇଣ୍ଡିଜ୍କୁ ୧୧୪ ରନ୍ରେ ଅଲ୍ଆଉଟ୍ କରିବା ପରେ ରୋହିତ ଶର୍ମା ଟିମ୍ର ବ୍ୟାଟିଂ କ୍ରମରେ ଅନେକ ପ୍ରୟୋଗ କରିଥିଲେ । ସେ ନିଜେ ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । ରୋହିତ ୧୨ ବର୍ଷ ପରେ ଏହି ସ୍ଥାନରେ ବ୍ୟାଟିଂ କରିଥିଲେ । ରୋହିତ ସାତ ନମ୍ବରରେ ବ୍ୟାଟିଂ କରିବାରେ ତୃତୀୟ ଭାରତୀୟ ଅଧିନାୟକ । ଏହା ପୂର୍ବରୁ କପିଳ ଦେବ ଓ ରାହୁଲ ଦ୍ରାବିଡ଼ ଅଧିନାୟକ ଭାବେ ସାତ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ।
ଜାଡ଼େଜାଙ୍କ ବଲ୍ରେ କୋହଲି ରୋମାରିଓ ଶେଫର୍ଡଙ୍କ ସୁନ୍ଦର କ୍ୟାଚ୍ ଧରିଥିଲେ । ଏହି କ୍ୟାଚ୍ ନେବା ସହିତ କୋହଲି ଦିନିକିଆରେ ସର୍ବାଧିଜ କ୍ୟାଚ୍ ଧରିଥିବା ଟପ୍-୫ ଖେଳାଳିଙ୍କ କ୍ଲବ୍ରେ ସାମିଲ୍ ହୋଇଛନ୍ତି ।
କୋହଲି ଦିନିକିଆରେ ୧୪୨ତମ କ୍ୟାଚ୍ ଧରିଥିଲେ । ସେ ରସ୍ ଟେଲର୍ଙ୍କ ସମକକ୍ଷ ହୋଇଛନ୍ତି । ଏହି ତାଲିକାରେ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ମାହେଲା ଜୟବର୍ଦ୍ଧନଙ୍କ ନାମ ସର୍ବାଗ୍ରେ ରହିଛି । ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ରିକି ପଣ୍ଟିଂ ୧୬୦ କ୍ୟାଚ୍ ନେଇ ଦ୍ୱିତୀୟ ଓ ମହମ୍ମଦ ଆଝାରୁଦ୍ଦିନ ୧୫୬ କ୍ୟାଚ୍ ନେଇ ତୃତୀୟ ସ୍ଥାନରେ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *