ମଣିପୁର ଯିବେ ବିରୋଧୀ
୧୬ ଦଳର ୨୦ ନେତା
ପୀଡ଼ିତାଙ୍କୁ ଭେଟିବେ
ସଂସଦରେ ସପ୍ତମ
ଦିନରେ ବି ହଙ୍ଗାମା ଜାରି
ଅନାସ୍ଥା ବିତର୍କ ଉପରେ ସୋମବାର ନିଷ୍ପତ୍ତି
ନୂଆଦିଲ୍ଲୀ, ୨୮ା୭: ବିରୋଧୀ ଦଳମାନଙ୍କ ମିଳିତ ମଞ୍ଚ ‘ଇଣ୍ଡିଆ’ ପକ୍ଷରୁ ଶନିବାର ଗୋଟିଏ ଟିମ୍ ମଣିପୁର ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ୧୬ ଦଳର ୨୦ ସାଂସଦ ଏହି ଟିମ୍ରେ ସାମିଲ ହେବେ । ସେମାନେ ମଣିପୁରରେ ଦୁଇଦିନ ଅବସ୍ଥାନ କରିବେ ।
ବିରୋଧୀଙ୍କ ପ୍ରତିନିଧି ଦଳରେ ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ଜୟନ୍ତ ଚୌଧୁରୀ, ମନୋଜ ଝା, ଲଲନ ସିଂହ, ସୁସ୍ମିତ ଦେବ, ଅରବିନ୍ଦ ସାୱନ୍ତ, ମହୁଆ ମାଁଝୀ, ସୁଶୀଲ ଗୁପ୍ତା, ମହୁଆ ମୈତ୍ରା, ରାଜୀବ ରଞ୍ଜନ ସିଂହ, କାନି ମୋଝି, ସନ୍ତୋଷ କୁମାର, ଏଏ ରହିମ, ଜାଭେଦ ଅଲ୍ଲୀ ଖାନ୍, ମହମ୍ମଦ ଫୈଜଲ, ଅନୀଲ ପ୍ରସାଦ ହେଗ୍ଡେ, ମହମ୍ମଦ ବସିର, ଏନ୍କେ ପ୍ରେମଚନ୍ଦ୍ରନ୍, ସୁଶୀଲ ଗୁପ୍ତା, ରବି କୁମାର, ଫୁଲୋଦେବୀ ନେତମ୍ ପ୍ରମୁଖ ନାମ ରହିଛି । ଏମାନେ ସମସ୍ତେ ଶନିବାର ମଣିପୁର ଯାଇ କୁକି ଓ ମୈତେଇ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରି ରାଜ୍ୟରେ ଶାନ୍ତି ସ୍ଥାପନ ପାଇଁ ନିବେଦନ କରିବେ । ତାହାଛଡା ପୀଡିତମାନଙ୍କୁ ମଧ୍ୟ ସାକ୍ଷାତ କରିବେ । ଏମାନଙ୍କ ମଧ୍ୟରୁ ୧୦ ଜଣ ରବିବାର ମଣିପୁର ରାଜ୍ୟପାଳଙ୍କୁ ଭେଟିବେ । ବିରୋଧୀ ସାଂସଦମାନଙ୍କ ଗସ୍ତ ଦୃଷ୍ଟିରୁ ମଣିପୁରରେ ବ୍ୟାପକ ସୁରକ୍ଷା ବନେ୍ଦାବସ୍ତ କରାଯାଇଛି । ଶୁକ୍ରବାରଠାରୁ ଗାଡି ଚେକିଂ ଆରମ୍ଭ ହୋଇଛି ।
ମଣିପୁର ପ୍ରସଙ୍ଗ ନେଇ ସଂସଦ ମୌସୁମୀ ଅଧିବେଶନର ଶୁକ୍ରବାର ସପ୍ତମ ଦିନରେ ମଧ୍ୟ ହଟ୍ଟଗୋଳ ଜାରି ରହିଥିଲା । ଲୋକସଭାରେ ପୂର୍ବାହ୍ଣ ୧୧ଟା ବେଳେ କାର୍ଯ୍ୟକ୍ରମ ଆରମ୍ଭ ହେବାମାତ୍ରେ ବିରୋଧୀ ସାଂସଦମାନେ ମଣିପୁର ଉପରେ ଜବାବ୍ ଦିଅ ନାରା ଦେବା ଆରମ୍ଭ କରିଥିଲେ । ବିରୋଧୀ ନେତା ଅଧୀର ରଞ୍ଜନ ଚୌଧୁରୀ ଅନାସ୍ଥା ପ୍ରସ୍ତାବ ଉପରେ ତୁରନ୍ତ ଆଲୋଚନା ଦାବି କରିଥିଲେ । ସେହିପରି ରାଜ୍ୟସଭାର କାର୍ଯ୍ୟ ମାତ୍ର ୪୫ ମିନିଟ୍ ଚାଲିଥିଲା । ଅଧ୍ୟକ୍ଷ ଜଗଦୀପ ଧନଖଡ ଓ ଟିଏମ୍ସି ସାଂସଦ ଡେରେକ୍ ଓବ୍ରାଏନ୍ଙ୍କ ମଧ୍ୟରେ କଥା କଟାକଟି ପରେ ଗୃହକୁ ୩୧ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ଅଧ୍ୟକ୍ଷ । ରାଜ୍ୟସଭାରୁ ନିଲମ୍ବିତ ସାଂସଦ ସଂଜୟ ସିଂହ ଶୁକ୍ରବାର ମଧ୍ୟ ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ରିପୋର୍ଟ ଅନୁଯାୟୀ, ବିରୋଧୀ ଦଳମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଅଗଷ୍ଟ ୭ ଓ ୮ ତାରିଖ ଦିନ ଆଲୋଚନା ହୋଇପାରେ । ତେବେ ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ସୋମବାର ନିଷ୍ପତ୍ତି ନିଆଯିବ । ଉଲ୍ଲେଖ୍ୟ ଯେ ମୌସୁମୀ ଅଧିବେଶ ୧୧ ଅଗଷ୍ଟ ଯାଏ ଚାଲିବ । ସରକାରଙ୍କ ପାଖରେ ବିଭିନ୍ନ ବିଲ୍ର ଏକ ଲମ୍ବା ସୂଚୀ ରହିଛି ।