ପରିବର୍ତ୍ତନ ଏକମାତ୍ର ସତ୍ୟ
ଭୁବନେଶ୍ୱର, ୨୭ା୭(ବୁ୍ୟରୋ): ବ୍ୟକ୍ତି ବଦଳିଲେ ପରିବାର ବଦଳିବ; ପରିବାର ବଦଳିଲେ ସମାଜ ବଦଳିବ । ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ । ବସ୍ତୁବାଦୀ ପରିବର୍ତ୍ତନ ସୁଖ ଦିଏ, କିନ୍ତୁ ଶାନ୍ତି ଦେଇନଥାଏ । ମାନସିକ ଶାନ୍ତି ବିନା ମନୁଷ୍ୟ ପ୍ରକୃତ ସୁଖ ପାଇପାରିବ ନାହିଁ । ନକାରାତ୍ମକ ଚିନ୍ତାରୁ ବାହାରି ସକାରାତ୍ମକ ଦିଗ ଆଡକୁ ଯିବା ସହିତ ଆଧ୍ୟାତ୍ମିକ ବିକାଶରେ ବ୍ରତୀ ହେଲେ ଆମେ ବିଶ୍ୱଗୁରୁ ହୋଇପାରିବା । ତିନିଦିଆ ଓଡିଶା ଗସ୍ତର ଶେଷ ଦିନରେ ଏହି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଗୁରୁବାର ସ୍ଥାନୀୟ ତମାଣ୍ଡୋ ଦଶବାଟିଆସ୍ଥିତ ବ୍ରହ୍ମକୁମାରୀ ସେଣ୍ଟରର ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ ଅବସରରେ ରାଷ୍ଟ୍ରପତି କହିଛନ୍ତି, ସମାଜରେ ପରିବର୍ତ୍ତନ ଆଣିବାକୁ ବ୍ରହ୍ମକୁମାରୀ ଅନୁଷ୍ଠାନ ବହୁ ପ୍ରୟାସ କରିଛି । ରାଷ୍ଟ୍ରପତି ଆହୁରି କହିଛନ୍ତି, ସୋସାଲ୍ ମିଡିଆ ଆମକୁ କୁପମଣ୍ଡୁକ କରିଦେଉଛି । ବସ୍ତୁବାଦୀ ଦୁନିଆରେ ଆମେ ବିଭିନ୍ନ ଦ୍ରବ୍ୟର ମୋହରେ ଆମେ ପଡୁଛି । କିନ୍ତୁ ଜୀବନର ଶେଷ ସମୟରେ ବଡ ଘର, ଗାଡି, ଦାମୀ ପୋଷାକ, ସୁସ୍ୱାଦୁ ଖାଦ୍ୟ ଆଦିର ବିଶେଷ ଆବଶ୍ୟକତା ନ ଥାଏ । ପିଲାମାନେ ଚାକିରି କରିବାହାରକୁ ଚାଲିଯାଆନ୍ତି । ଶରୀର କ୍ଷୀଣ ହୋଇଯାଇଥିବା ଭଲ ଲୁଗାପଟା ପିନ୍ଧିବା ସମ୍ଭବ ହୁଏନାହିଁ । ଦୁଇପଟ ରୁଟି ହଜମ କରିବାକୁ ମଧ୍ୟ ଶରୀରରେ ସାମର୍ଥ୍ୟ ନଥାଏ । ଏପରି ସମୟରେ କେବଳ ଆଧ୍ୟାତ୍ମିକ ଚେତନାର ଶକ୍ତି ସାହା ହୁଏ । ଧ୍ୟାନ ଏବଂ ଶୃଙ୍ଖଳିତ ଜୀବନଶୈଳୀ ଜରିଆରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଧ୍ୟତ୍ମିକତାର ମାର୍ଗ ଦେଖାଉଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ, ବିଭିନ୍ନ ସମୟରେ ଅନେକ ନକାରାତ୍ମକ ଚିନ୍ତାଧାରା ଆମ ମାନସିକତାକୁ ପ୍ରଭାବିତ କରିଥାଏ । କିନ୍ତୁ ଆତ୍ମସମୀକ୍ଷା ନ କରିବା କାରଣରୁ, ଆମେ ନକାରାତ୍ମକ ବିଚାରର ଶିକାର ହୋଇଥାଉ ।
ନିର୍ଦ୍ଧାରିତ ସମୟରେ ରାଷ୍ଟ୍ରପତି ପହଞ୍ଚô ଏକ ଶାନ୍ତ ପରିବେଶରେ ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିଥିଲେ । ଏହାପରେ ଆୟୋଜିତ ‘ସକାରାତ୍ମକ ପରିବର୍ତ୍ତନ ବର୍ଷ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଷ୍ଟ୍ରପତି କହିଥିଲେ, ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହୁଏ । ପରିବର୍ତ୍ତନ ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା ।
ଏହାପୂର୍ବରୁ ରାଷ୍ଟ୍ରପତି ବ୍ରହ୍ମାକୁମାରୀ ସେଣ୍ଟରରେ ଗୋଟିଏ ଆମ୍ବ ଚାରା ରୋପଣ କରିଥିଲେ । ଦଶବାଟିଆ କାର୍ଯ୍ୟକ୍ରମ ପୂର୍ବରୁ ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ୧୦ଟି
ଜନଜାତିର ୫୦ ଜଣ ପ୍ରତିନିଧିଙ୍କୁ ଭେଟି ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ପ୍ରଭୃତି ବିଷୟରେ ବୁଝିଥିଲେ । ଗତ ରାତିରେ ରାଷ୍ଟ୍ରପତିଙ୍କ ପାଇଁ ରାଜଧାନୀର ଏକ ବସ୍ତ୍ରାଳୟରୁ ରାଜଭବନକୁ ୩୫ଟି ଶାଢି ଓ ଚୁଡିଦାର ପଠାଯାଇଥିଲା । ରାଷ୍ଟ୍ରପତି ଓ ତାଙ୍କ ଝିଅ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ଖଣ୍ଡୁଆ, କୋଟ୍ଟପାଡ, ସମ୍ବଲପୁରୀ ଆଦି ୬ଟି ଶାଢି ଓ ୬ଟି ସୁଟ୍ ପିସ୍ କିଣିଥିଲେ । ଗୁରୁବାର ଅପରାହ୍ଣରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଛନ୍ତି ।