ମଣିପୁର ଭାଇରାଲ୍ ଭିଡିଓର ହେବ ସିବିଆଇ ତଦନ୍ତ
ନୂଆଦିଲ୍ଲୀ, ୨୭ା୭: ମଣିପୁରରେ ମେ’ ୪ ତାରିଖ ଦିନ କୁକୀ ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ସର୍ବସମ୍ମୁଖରେ ଉଲ୍ଲଗ୍ନ କରି ଚଲାଇବା ପରେ ସେମାନଙ୍କ ସହ ଗଣଦୁଷ୍କର୍ମ କରାଯିବା ଘଟଣାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି କେନ୍ଦ୍ର ସରକାର । ଶୁକ୍ରବାର ଏହି ବିଷୟରେ କେନ୍ଦ୍ର ପକ୍ଷରୁ ସୁପ୍ରିମ୍କୋର୍ଟଙ୍କୁ ଅବଗତ କରାଯିବ । ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଏହି ଘଟଣାର ଶୁଣାଣି ରାଜ୍ୟ ବାହାରେ କରାଇବା ଲାଗି ସୁପ୍ରିମ୍କୋର୍ଟଙ୍କଠାରୁ ଅନୁମତି ଲୋଡିପାରନ୍ତି । ଯେତେଦୂର ସମ୍ଭବ ପଡୋଶୀ ଆସାମର କୌଣସି କୋର୍ଟର ମାମଲାର ଶୁଣାଣି ହୋଇପାରେ । ଅନ୍ୟ ଏକ ଘଟଣାକ୍ରମରେ ମହିଳାଙ୍କ ନଗ୍ନ ପରେଡ୍ର ଭିଡିଓ ସୁଟ୍ କରିଥିବା ଲୋକକୁ ଗୁରୁବାର ତଦନ୍ତ କରୁଥିବା ଅଧିକାରୀମାନେ ଗିରଫ କରିବା ସହ ତା’ର ସେହି ମୋବାଇଲ୍କୁ ଜବତ କରିଛନ୍ତି । ଏହି ଭିଡିଓ ଜୁଲାଇ ୧୯ରେ ସାମ୍ନାକୁ ଆସିଥିଲା । ମଣିପୁର ଘଟଣାକୁ ନେଇ ଗୁରୁବାର ମଧ୍ୟ ସଂସଦରେ ଖୁବ୍ ହଙ୍ଗାମା ହୋଇଛି । ବିରୋଧୀ ଦଳମାନଙ୍କ ମେଣ୍ଟ ଇଣ୍ଡିଆ ପକ୍ଷରୁ ସାଂସଦମାନଙ୍କର ଏକ ଟିମ୍କୁ ଆସନ୍ତା ୨୯ ତାରିଖ ଦିନ ମଣିପୁର ପଠାଇବା ପାଇଁ ସ୍ଥିର କରାଯାଇଛି । ବିରୋଧୀ ସାଂସଦମାନେ ମଣିପୁର ଦୁଇଦିନ ଗସ୍ତ କରି ହିଂସା ପୀଡିତମାନଙ୍କୁ ଭେଟିବେ । ଉଲ୍ଲେଖଯେ ପୂର୍ବରୁ ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରିଥିଲେ ।