ମାଷ୍ଟରମାଇଣ୍ଡ୍ ବିହାରରୁ ଗିରଫ
ଜେଇ ସିଭିଲ୍ ମେନ୍ ପ୍ରଶ୍ନପତ୍ର ଲିକ୍ ମାମଲା
ବାଲେଶ୍ୱର, ୨୭ା୭(ବୁ୍ୟରୋ): ଓଡିଶା ଷ୍ଟାଫ୍ କମିଶନ (ଓଏସ୍ଏସ୍ସି) ଦ୍ୱାରା ପରିଚାଳିତ ଜେଇ ସିଭିଲ୍ ମେନ୍ ପରୀକ୍ଷା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ୱର ପୁଲିସ୍ ବିହାରରୁ ମାଷ୍ଟରମାଇଣ୍ଡ୍କୁ ଗିରଫ କରିଛି । ଯେଉଁ ପ୍ରେସ୍ରେ ପ୍ରଶ୍ନପତ୍ର ଛପା ଯାଇଥିଲା, ସେହି ପ୍ରେସ୍ର ହେଲ୍ପର ପ୍ରଶ୍ନପତ୍ର ଆଣି ମୁଖ୍ୟ ଅଭିଯୁକ୍ତକୁ ଦେଇଥିଲା । ମୁଖ୍ୟ ଅଭିଯୁକ୍ତ ଜଣେ ସରକାରୀ ଅଧିକାରୀ । ପ୍ରେସ୍ ହେଲ୍ପର ଓ ଏହି ସରକାରୀ ଅଧିକାରୀ ଗୋଟିଏ ଗାଁର ।
ଗୁରୁବାର ବାଲେଶ୍ୱର ଏସ୍ପି ସାଗରିକା ନାଥ ଏ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଛନ୍ତି । ସେ କହିଛନ୍ତି, ସମ୍ପୃକ୍ତ ପ୍ରିଣ୍ଟିଂ ପ୍ରେସ୍ରୁ ଅଭିଯୁକ୍ତ ହେଲ୍ଫର ଜୁଲାଇ ୯ରୁ ୧୧ ତାରିଖ ଭିତରେ ଆଣିଥିଲା । ଓଡିଶାରୁ ଗିରଫ ହୋଇଥିବା ଲୋକମାନେ କେବଳ
ମଧ୍ୟସ୍ଥଭାବେ କାମ କରୁଥିଲେ । ଏହି କେଳେଙ୍କାରୀରେ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଏଯାଏଁ ଜଣାପଡିନାହିଁ । ତଦନ୍ତ ଜାରି ରହିଛି । ପୂର୍ବରୁ ଓଡିଶା ସୀମାନ୍ତବର୍ତ୍ତୀ ଦୀଘାସ୍ଥିତ ଏକ ହୋଟେଲ୍ରୁ ପ୍ରଶ୍ନପତ୍ର ଡିଲ୍ ବେଳେ ୯ଜଣଙ୍କୁ ଗିରଫ କରାଯାଇଥିଲା । ପରେ ଓଡିଶାରୁ ୪ ଜଣ ଓ ବିହାରରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ମୋଟ୍ ୧୬ ଜଣ ଗିରଫ ହେଲେଣି । ଆଗକୁ ଗିରଫ ଲୋକଙ୍କ ସଂଖ୍ୟା ବଢିପାରେ । ପ୍ରେସ୍ରୁ ପ୍ରଶ୍ନପତ୍ର ଆଣି ମାଷ୍ଟ୍ରରମାଇଣ୍ଡ୍କୁ ଯୋଗାଇଥିବା ହେଲ୍ପର ଘରୁ ନଗଦ ଲକ୍ଷେ ଟଙ୍କା ମିଳିଛି ।
ଉଲ୍ଲେଖଯୋଗ୍ୟ, ବିଭିନ୍ନ ରାଜ୍ୟରେ ସରକାରୀ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟସମ୍ପର୍କୀୟଭାବେ ମୋ ପରିଚୟ ଦେଇ ଅଭିଯୁକ୍ତ ଦଲାଲ୍ମାନେ ଆଶାୟୀ ପ୍ରାର୍ଥୀଙ୍କୁ ପ୍ରଶ୍ନପତ୍ର ଯୋଗାଉଥିଲେ । ବିନିମୟରେ ସେମାନେ ଆଶାୟୀଙ୍କଠାରୁ ୧୦ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଦାବି କରୁଥିଲେ । ଆଶାୟୀ ପ୍ରାର୍ଥୀଙ୍କ ନିକଟକୁ ହ୍ୱାଟ୍ସଆପ୍ ଓ ନେଟ୍ୱର୍କିଂ ମାଧ୍ୟମରେ ପ୍ରଶ୍ନପତ୍ର ଯାଉଥିଲା ।