ସହଜ ବିଜୟରୁ ଭାରତର ଅଭିଯାନ
ପ୍ରଥମ ଦିନିକିଆରେ ହାରିଲା ୱେଷ୍ଟଇଣ୍ଡିଜ୍
ବାର୍ବାଡୋସ୍, ୨୭ା୭ (ଏଜେନ୍ସି): କୁଲଦୀପ ଯାଦବଙ୍କ ଯାଦୁକରୀ ସ୍ପିନ୍ ବଳରେ ଟିମ୍ ଇଣ୍ଡିଆ ଗୁରୁବାର ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୫ ୱିକେଟ୍ରେ ସହଜରେ ହରାଇ ସକାରାତ୍ମକ ଅଭିଯାନ ଆରମ୍ଭ କରିଛି । ଏହା ସହ ରୋହିତ ସେନା ୧-୦ରେ ଅଗ୍ରଣୀ ହୋଇଛି ।
୧୧୫ ରନ୍ର ସହଜ ଟାର୍ଗେଟ୍ର ପିଛା କରିଥିବା ଭାରତୀୟ ଟିମ୍ ୨୨.୫ ଓଭର୍ ଖେଳି ୫ ୱିକେଟ୍ ହରାଇ ୧୧୮ ରନ୍ କରି ବିଜୟୀ ହୋଇଥିଲା । ଟିମ୍ ପକ୍ଷରୁ ଓପନର୍ ଈଶାନ କିଶନ ସର୍ବାଧିକ ୫୨ (୪୬ ବଲ୍ରୁ ୭ ଚୌକା ଓ ୧ ଛକା ସହାୟତାରେ) ରନ୍ କରିଥିଲେ । ତେବେ ଟିମ୍ର ଅଧିକାଂଶ ବ୍ୟାଟର୍ଙ୍କ ପ୍ରଦର୍ଶନ ଆଶାଜନକ ନ ଥିଲା ।
ଈଶାନ କିଶନ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ମାତ୍ର ୧୮ ରନ୍ରେ ଭାଙ୍ଗିଥିଲା । ଗିଲ୍ ମାତ୍ର ୭ ରନ୍ କରି ଜେଡେନ୍ ସିଲ୍ସଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଈଶାନ ଓ ସୂର୍ଯ୍ୟକୁମାର ସ୍କୋର୍କୁ ୫୪ ରନ୍ ଯାଏଁ ନେଇଥିଲେ । ସୂର୍ଯ୍ୟକୁମାର ୧୯ ରନ୍ କରି ଗୁଡ଼ାକେଶ ମୋଟିଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୫ ରନ୍ କରି ରନ୍ଆଉଟ୍ ହୋଇଯାଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଶାର୍ଦ୍ଦୂଳ ଠାକୁର ୧ ରନ୍ କରି ୟାନିକ କାରିଆଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ୯୭ ରନ୍ରେ ଅଧା ଟିମ୍ ଆଉଟ୍ ହୋଇଥିଲା । ଏହାପରେ ରବୀନ୍ଦ୍ର ଜାଡ଼େଜା ଓ ଅଧିନାୟକ ରୋହିତ ଶର୍ମା ମିଶି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଜାଡ଼େଜା ୧୬ ଓ ରୋହିତ ୧୨ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ କେନ୍ସିଙ୍ଗ୍ଟନ୍ ଓଭାଲ୍ରେ ଭାରତୀୟ ଅଧିନାୟକ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦ୍ରୁତ ବୋଲର୍ ମୁକେଶ କୁମାର ଟେଷ୍ଟ ପରେ ଦିନିକିଆରେ ବି ପଦାର୍ପଣ କରିଥିଲେ । ଅନ୍ୟପଟେ, ଚୂଡ଼ାନ୍ତ ଏକାଦଶରେ ୱିକେଟ୍କିପର୍ ସଞ୍ଜୁ ସାମ୍ସନ୍ଙ୍କ ସ୍ଥାନରେ ଈଶାନ କିଶନଙ୍କୁ ଅଗ୍ରାଧିକାର ଦିଆଯାଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୫ ରନ୍ ମଧ୍ୟରେ ତିନି ୱିକେଟ୍ ହରାଇଥିଲା । ଟିମ୍ର ସ୍କୋର୍ ମାତ୍ର ୭ ରନ୍ ହୋଇଥିବା ବେଳେ କାଇଲ୍ ମାଷ୍ଟର୍ସ (୨) ହାର୍ଦ୍ଦିକଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ମିଡ୍-ଅନ୍ରେ ରୋହିତ ତାଙ୍କ କ୍ୟାଚ୍ ଧରିଥିଲେ ।
ପ୍ରଥମ ପାୱାରପ୍ଲେ (୧୦ ଓଭର୍) ସୁଦ୍ଧା ଆଉ ଦୁଇଟି ୱିକେଟ୍ ପଡ଼ିଥିଲା ଏବଂ ସ୍କୋର୍ ହୋଇଥିଲା ୫୨/୩ । ତିନି ନମ୍ବର ବ୍ୟାଟର୍ ଆଲିକ୍ ଆଥନେଜ୍ (୨୨)ଙ୍କୁ ଆଉଟ୍ କରି
ନବାଗତ ମୁକେଶ ପ୍ରଥମ ସଫଳତା ପାଇଥିଲେ । ଜାଡ଼େଜା ଜମ୍ପ୍ କରି ଏକ ସୁନ୍ଦର କ୍ୟାଚ୍ ଧରିଥିଲେ । ଅନ୍ୟତମ ଓପନର୍ ବ୍ରାଣ୍ଡନ୍ କିଙ୍ଗ୍୍ ୧୭ ରନ୍ କରି ଶାର୍ଦ୍ଦୂଳ ଠାକୁରଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ ।
ଏହାପରେ ଅଧିନାୟକ ସାଇ ହୋପ୍ ଓ ଶିମରନ୍ ହେଟ୍ମାୟର୍ ମିଶି ଇନିଂସ୍ ସମ୍ଭାଳିବାକୁ ପ୍ରୟାସ କରିଥିଲେ । ଚତୁର୍ଥ ୱିକେଟ୍ ପାଇଁ ୪୩ ରନ୍ର ଭାଗୀଦାରୀ ହୋଇଥିଲା । ହେଟ୍ମାୟର୍ (୧୧)ଙ୍କୁ ବୋଲ୍ଡ କରି ରବୀନ୍ଦ୍ର ଜାଡ଼େଜା ଏହି ଯୋଡ଼ି ଭାଙ୍ଗିଥିଲେ । ଏହା ସହିତ ଟିମ୍ର ସଙ୍କଟ ବଢ଼ିଯାଇଥିଲା ।
ରୋଭମାନ୍ ପୱେଲ୍ (୪) ଓ ରୋମାରିଓ ଶେଫର୍ଡ (୦) ଜାଡ଼େଜାଙ୍କ ସ୍ପିନ୍ ଜାଲରେ ପଡ଼ିଥିଲେ । ଏହାପରେ କୁଲଦୀପ ଯାଦବଙ୍କ ବଲ୍ରେ ଡୋମିନିକା ଡ୍ରେକ୍ସ (୩) ଓ ୟାନ୍ନିକ କାରିଆ (୩) ଆଉଟ୍ ହୋଇଥିଲେ । ଅଧିନାୟକ ହୋପ୍ ଓ ଜେଡେନ୍ ସିଲ୍ସ ମଧ୍ୟ କୁଲଦୀପଙ୍କ ଯାଦୁକରୀ ସ୍ପିନ୍ରୁ ବର୍ତ୍ତି ନ ଥିଲେ । ହୋପ୍ ୪୫ ବଲ୍ରୁ ୪୩ ରନ୍ କରି ଏଲ୍ବିଡବ୍ଲୁ୍ୟ ହୋଇଥିବା ବେଳେ ଜେଡେନ୍ ଖାତା ଖୋଲି ନ ଡାରି ଶେଷ ବ୍ୟାଟର୍ ଭାବେ ପାଭିଲିଅନ୍ ଫେରିଥିଲେ । କାରିବୀୟ ଟିମ୍ ୨୩ ଓଭର୍ରେ ମାତ୍ର ୧୧୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଘରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ର ଏହା ସର୍ବନିମ୍ନ ସ୍କୋର୍ ଥିଲା ।
ଭାରତ ପକ୍ଷରୁ କୁଲଦୀପ ୩ ଓଭର୍ରେ ୬ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିବା ବେଳେ ଜାଡ଼େଜା ୩ ଏବଂ ପାଣ୍ଡ୍ୟା, ମୁକେଶ ଓ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।