ବୁମ୍ରା ପୂରା ଫିଟ୍

ମୁମ୍ବାଇ, ୨୭ା୭ (ଏଜେନ୍ସି): ଭାରତୀୟ ଟିମ୍ର ପେସ୍ ବୋଲର୍ ଯଶପ୍ରୀତ ବୁମ୍ରା ସମ୍ପୁର୍ଣ୍ଣ ରୂପେ ଫିଟ୍ ହୋଇଛନ୍ତି । ସେ ଶୀଘ୍ର ଜାତୀୟ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିବେ । ବିସିସିଆଇ ସମ୍ପାଦକ ଜୟ ଶାହା ଏହି ସୂଚନା ଦେଇଛନ୍ତି ।
ବୋର୍ଡ ସମ୍ପାଦକ ଗୁରୁବାର ଭେନୁୁ୍ୟର ରାଜ୍ୟ ସଂଘଗୁଡ଼ିକର ଜରୁରୀକାଳୀନ ବୈଠକ ଡକାଇଥିଲେ । ଏହାପରେ ସେ ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କିତ ସୂଚନା ଦେବା ସହ ଗଣମାଧ୍ୟମକୁ କହିଛନ୍ତି ଯେ ଦୁଇ-ତିନି ଦିନ ମଧ୍ୟରେ ବିଶ୍ୱକପ୍ରେ ଭାରତ-ପାକିସ୍ତାନ ମ୍ୟାଚ୍ କାର୍ଯ୍ୟକ୍ରମର ପୁନଃନିର୍ଦ୍ଧାରଣ ନେଇ ନିଷ୍ପତ୍ତି ନିଆଯିବ । ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସହ ଆଲୋଚନା କରାଯିବ ।
ଆୟରଲାଣ୍ଡ ବିପକ୍ଷରେ ଅଗଷ୍ଟ ୧୮ରୁ ଆରମ୍ଭ ହେବାକୁ ଥିବା ଟି-୨୦ ଶୃଙ୍ଖଳା ପାଇଁ ନୂଆ ଅଧିନାୟକଙ୍କୁ ଟିମ୍ ଇଣ୍ଡିଆର ଦାୟିତ୍ୱ ଦିଆଯାଇପାରେ । ବୁମ୍ରା ଫିଟ୍ ଘୋଷିତ ହୋଇଥିବାରୁ ତାଙ୍କୁ ନେତୃତ୍ୱ ଦାୟିତ୍ୱ ମିଳିପାରେ ।
ଏକ କ୍ରୀଡ଼ା ୱେବ୍ସାଇଟ୍ର ରିପୋର୍ଟ ଅନୁଯାୟୀ, ବରିଷ୍ଠ ଖେଳାଳିମାନଙ୍କୁ ଆୟରଲାଣ୍ଡ ଗସ୍ତ ପାଇଁ ବିଶ୍ରାମ ମିଳିବ । ଦିନିକିଆ ଟିମ୍ର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଟି-୨୦ ବିଶେଷଜ୍ଞ ସୂର୍ଯ୍ୟକୁମାର ଯାଦବ ପ୍ରମୁଖ ଖେଳାଳି ବେଙ୍ଗାଲୁରୁରେ ଏସିଆ କପ୍ ପାଇଁ ପ୍ରସ୍ତୁତି କରିବେ । ତେବେ ବୁମ୍ରାଙ୍କୁ ଏଥିରୁ ଛାଡ଼ ମିଳିପାରେ ।
ନବରାତ୍ରୀ ଯୋଗୁଁ ଦିନେ ପୂର୍ବରୁ ହୋଇପାରେ ଭାରତ-ପାକ୍ ମ୍ୟାଚ୍
ଭାରତ ଓ ପାକିସ୍ତାନ ମଧ୍ୟରେ ଦିନିକିଆ ବିଶ୍ୱକପ୍ ମ୍ୟାଚ୍ ଦିନକ ପୂର୍ବରୁ ଆୟୋଜିତ ହୋଇପାରେ । ଅକ୍ଟୋବର ୧୫ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଉଭୟ ଟିମ୍ ମଧ୍ୟରେ ମ୍ୟାଚ୍ ହେବାର କାର୍ଯ୍ୟକ୍ରମ ରହିଛି । ସେହି ଦିନ ଠାରୁ ନବରାତ୍ରୀ ପର୍ବ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ନିରାପତ୍ତା ଏଜେନ୍ସି ମ୍ୟାଚ୍ ତାରିଖ ଅଥବା ଭେନୁ୍ୟ ବଦଳାଇବା ପାଇଁ ପରାମର୍ଶ ଦେଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚ୍ ଅକ୍ଟୋବର ୧୪ରେ ହୋଇପାରେ । ଯଦି ମ୍ୟାଚ୍ ଅକ୍ଟୋବର ୧୪କୁ ଘୁଞ୍ଚେ, ତା’ହେଲେ ଇଂଲଣ୍ଡ-ଆଫଗାନିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ରେ ଆୟୋଜିତ ହୋଇପାରେ ।
ନିରାପତ୍ତା ଏଜେନ୍ସିର ପରାମର୍ଶ ଗ୍ରହଣ କରି ଯଦି ମ୍ୟାଚ୍ର ଭେନୁ୍ୟ ବା ତାରିଖ ବଦଳା ଯାଏ, ତା’ହେଲେ ଅହମଦାବାଦକୁ ଆସିବା ପାଇଁ ଯୋଜନା କରିଥିବା ପ୍ରଶଂସକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଟୁର୍ଣ୍ଣାମେଣ୍ଟ ପାଇଁ ଏ ଯାଏଁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ନାହିଁ, କିନ୍ତୁ ପ୍ରଶଂସକ ଅହମଦାବାଦରେ ହୋଟେଲ୍ ରୁମ୍ ବୁକ୍ କରିବା ଆରମ୍ଭ କରିଦେଲେଣି ।
ଆଇସିସି କାର୍ଯ୍ୟସୂଚୀ ଜାରି କରିବା କ୍ଷଣି ଦେଶ-ବିଦେଶର ଶହ ଶହ ପ୍ରଶଂସକ ଅହମଦାବାଦ ଠାରେ ହୋଟେଲ୍ ରୁମ୍ ବୁକ୍ କରିଛନ୍ତି । ହୋଟେଲ୍ ମାଲିକ ଆଶାନୁଯାୟୀ ଭଡ଼ା ବଢ଼ାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *