ଆସିବ ୩୧ ବିଧେୟକ

ଆଜିଠୁ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ, ୧୯ା୭(ବୁ୍ୟରୋ): ଗୁରୁବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ଲୋକସଭା ଓ ରାଜ୍ୟସଭାର ମୋଟ୍ ୧୭ ବୈଠକ ଅନୁଷ୍ଠିତ ହେବ । ଅଧିବେଶନ କାଳରେ ମୋଟ୍ ୩୧ ବିଧେୟକ ଉପସ୍ଥାପନ କରାଯିବା ସମ୍ଭାବନା ରହିଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସୂଚୀର ପ୍ରଥମରେ ଅଛି ଦିଲ୍ଲୀ ଅଧ୍ୟାଦେଶ । ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ଏଥର ଆଗତ କରାଯିବ ନାହିଁ ।
ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ବୁଲେଟିଂ ଅନୁଯାୟୀ ମୌସୁମୀ ଅଧିବେଶନ (୧୭ତମ ଲୋକସଭାର ଦ୍ୱାଦଶ ଅଧିବେଶନ) ପାଇଁ ଉଦ୍ଦିଷ୍ଟ ସରକାରୀ କାର୍ଯ୍ୟ ସୂଚୀରେ ୨୧ଟି ନୂଆ ବିଲ୍ ଉପସ୍ଥାପନ ସହ ସେଗୁଡିକୁ ପାରିତ କରାଇବା ଲକ୍ଷ୍ୟ ରଖାଯାଇଛି । ସେଥିରେ ଦିଲ୍ଲୀ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ସରକାର ସଂଶୋଧନ ବିଲ୍, ୨୦୨୩ ଅନ୍ତର୍ଭୁକ୍ତ । ପୂର୍ବରୁ ଜାରି ହୋଇଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ଏହି ବିଲ୍ ଅଣାଯିବ ।
ପରମ୍ପରା ଅନୁଯାୟୀ, ଅଧିବେଶନ ପୂର୍ବରୁ ବୁଧବାର ସର୍ବଦଳୀୟ ବୈଠକ ଡକାଯାଇଥିଲା । ଏଥିରେ ୩୪ ଦଳର ୪୪ ନେତା ଉପସ୍ଥିତ ଥିଲେ । ବିରୋଧୀ ଦଳମାନଙ୍କ ପକ୍ଷରୁ ମଣିପୁର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ବିବୃତି ଦିଅନ୍ତୁ ବୋଲି ବୈଠକରେ ଦାବି କରାଯାଇଥିଲା । ଏହାଛଡା ବିରୋଧୀ ଦଳମାନେ ଆଗାମୀ ଅଧିବେଶନରେ ବାହାନଗା ରେଳ ଦୁର୍ଘଟଣା, ଭାରତ-ଚୀନ୍ ସୀମା ସ୍ଥିତି, ଦରଦାମ ବୃଦ୍ଧି, ସଂଘୀୟ ଢାଞ୍ଚା ଉପରେ ପ୍ରହାର ଆଦି ପ୍ରସଙ୍ଗ ସହିତ ମହିଳା ଆରକ୍ଷଣ ବିଲ୍ ପାସ୍ କରାଇବାକୁ କହିଥିଲେ । କଂଗ୍ରେସ ପକ୍ଷରୁ ସର୍ବଦଳୀୟ ବୈଠକରେ କୁହାଯାଇଥିଲା ଯେ ସରକାର ଯଦି ଗୃହ କାର୍ଯ୍ୟ ଚଳାଇବାକୁ ଚାହୁଁଛନ୍ତି, ବିରୋଧୀଙ୍କୁ ବକ୍ତବ୍ୟ ଉପସ୍ଥାପନ ପାଇଁ ସୁଯୋଗ ଦେବା ସର୍ବାଦୌ ଆବଶ୍ୟକ ।
ସଂସଦ ଅଧିବେଶନ ପୂର୍ବରୁ ଲୋକସଭା ଅଧ୍ୟକ୍ଷ ଓମ୍ ବିରଳା ମଧ୍ୟ ବିଜ୍ନେସ୍ ଆଡ୍ଭାଇଜରୀ କମିଟି (ବିଏସି) ବୈଠକ ଡାକିଥିଲେ । ସେଥିରେ ବିଜେପି ସାଂସଦ ଡକ୍ଟର ସଂଜୟ ଜୟସ୍ୱାଲ,
କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ, ସମାଜବାଦୀ ପାର୍ଟିର ଏସ୍ଟି ହସନ୍, ବିଜେଡି ସାଂସଦ ପିନାକୀ ମିଶ୍ର, ଡିଏମ୍କେ ସାଂସଦ ପଲାନୀମଣିକ୍କମ୍ ଓ ଟିଆର୍ ବାଲୁ, ଶିବସେନା (ଶିନେ୍ଦ) ସାଂସଦ ଆର୍ଆର୍ ଶିୱାଲେ, ଟିଆର୍ଏସ୍ ସାଂସଦ ଏନ୍ ନାଗେଶ୍ୱର ରାଓ, ଟିଡିପି ସାଂସଦ ଜୟଦେବ ଗଲ୍ଲା, ଟିଆର୍ଏସ୍ ସାଂସଦ ଏମ୍ଏସ୍ ରେଡ୍ଡୀ ପ୍ରମୁଖ ଉପସ୍ଥି ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *