ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ମମତା!
‘ଇଣ୍ଡିଆ’ ନାମକରଣ ନେଇ ୨୬ ଦଳ ବିରୋଧରେ ଏତଲା
କୋଲକାତା/ନୂଆଦିଲ୍ଲୀ, ୧୯ା୭: ନବଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସ୍ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ନାମ ଏବେ ଆଗରେ ଅଛି । ମଙ୍ଗଳବାର ବେଙ୍ଗାଲୁରୁଠାରେ ଅନୁଷ୍ଠିତ ବିରୋଧୀ ମେଣ୍ଟ ବୈଠକ ପରେ ଏହି ଚର୍ଚ୍ଚା ଜୋର ଧରିଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ ବୋଲି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ । କଂଗ୍ରେସ ପଛଘୁଞ୍ଚା ଦେବା ମାତ୍ରେ ଟିଏମ୍ସି ଏହି ରେସରେ ଏଣ୍ଟ୍ରି ମାରିଛି ।
ଟିଏମ୍ସି ସାଂସଦ ଶତାବ୍ଦୀ ରାୟ କହିଛନ୍ତି, ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ନାହିଁ, ତେବେ ମମତା ବାନାର୍ଜୀ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ଆମେ ଚାହୁଁଛୁ ଆମ ନେତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚନ୍ତୁ । ଏଥିପାଇଁ ଆମର ଆଗାମୀ ପଦକ୍ଷେପ କିଛି ଭିନ୍ନ ହେବାକୁ ଯାଉଛି । ସ୍ୱପ୍ନ ଦେଖିବା ଓ ବଡ ଇଚ୍ଛା ରଖିବାରେ କୌଣସି ସମସ୍ୟା ନାହିଁ । ଉଲ୍ଲେଖଯୋଗ୍ୟ ଯେ ବେଙ୍ଗାଲୁରୁ ବୈଠକରେ ଲାଲୁ ଯାଦବ ମମତାଙ୍କ ନେତୃତ୍ୱକୁ ପ୍ରଚ୍ଛନ୍ନ ସମର୍ଥନ ଜଣାଇଥିଲେ ।
ଅନ୍ୟ ଏକ ଘଟଣାକ୍ରମରେ ବିରୋଧୀ ମେଣ୍ଟର ‘ଇଣ୍ଡିଆ’ ନାମକରଣ ନେଇ ଦିଲ୍ଲୀର ବାରାଖମ୍ଭା ଥାନାରେ ଏତଲା ଦିଆଯାଇଛି । ଅବନୀଶ ମିଶ୍ର ନାମକ ଜଣେ ଆଇନଜୀବୀ ୨୬ ବିରୋଧୀ ଦଳଙ୍କ ବିରୋଧରେ ଏତଲା ଦେଇଛନ୍ତି । ସେଥିରେ ଅଭିଯୋଗ କରାଯାଇଛି ଯେ କେହି ହେଲେ ବ୍ୟକ୍ତିଗତ ଫାଇଦା ପାଇଁ ଦେଶର ନାମକୁ ଉପଯୋଗ କରିପାରିବେ ନାହିଁ । ବିରୋଧୀ ମେଣ୍ଟର ସଂକ୍ଷିପ୍ତ ନାମ ଇଣ୍ଡିଆ ରଖାଯାଇଥିବାରୁ ଏମ୍ବ୍ଲେମ୍ସ ଅଧିନିୟମର ଉଲ୍ଲଂଘନ ହୋଇଛି । ତେଣୁ ସମସ୍ତ ୨୬ ଦଳଙ୍କୁ ଦଣ୍ଡ ଦିଆଯିବା ଆବଶ୍ୟକ ।