୨୬ ବିରୋଧୀ ଗଢିÿଲେ ଇଣ୍ଡିଆ
ବେଙ୍ଗାଲୁରୁ,୧୮ା୭: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆନୁକୂଲ୍ୟରେ ନୂଆ ବିରୋଧୀ ମେଣ୍ଟ ଗଢାଯାଇଛି । ମଙ୍ଗଳବାର ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳଙ୍କ ବୈଠକରେ ମେଣ୍ଟର ନାମ ଦିଆଯାଇଛି ‘ଇଣ୍ଡିଆ’ ଯାହାର ପୂର୍ଣ୍ଣ ନାମ ଇଣ୍ଡିଆନ୍ ନ୍ୟାସ୍ନାଲ୍ ଡେଭଲପମେଣ୍ଟାଲ ଇନ୍କ୍ଲୁସିଭ୍ ଆଲାଏନ୍ସ । ସୁତରାଂ ଆଗାମୀ ନିର୍ବାଚନରେ ବାରମ୍ବାର ଏହି ଇଣ୍ଡିଆ ନାମ ଶୁଣିବାକୁ ମିଳିବ । ବିଜେପି ନେତୃତ୍ୱାଧୀନ ଏନ୍ଡିଏ ବିରୋଧରେ ୟୁପିଏ ପରିବର୍ତ୍ତେ ଲଢିବ ଇଣ୍ଡିଆ ।
ସୂତ୍ର ଅନୁଯାୟୀ, ରାହୁଲ ଗାନ୍ଧୀ ମେଣ୍ଟ ନାମ ଇଣ୍ଡିଆ ରଖିବାକୁ ପ୍ରସ୍ତାବ ଦେଇଥିଲେ । ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ନାମକୁ ପସନ୍ଦ କରି ନ ଥିଲେ । ସେ ଯୁକ୍ତି ଦର୍ଶାଇଥିଲେ ଯେ ଇଣ୍ଡିଆ ଶବ୍ଦ ଏନ୍ଡିଏ ଭଳି ଶୁଣାଯାଉଛି । ତେଣୁ ଅନ୍ୟ କିଛି ନାମ ଦିଆଯାଉ । ସେହିପରି କେତେକ ବାମପନ୍ଥୀ ନେତା ଆଲାଏନ୍ସ ଶବ୍ଦରେ ଆପତ୍ତି ଉଠାଇଥିଲେ । ତେବେ ରାହୁଲ ଗାନ୍ଧୀ ଇଣ୍ଡିଆ ନାମକରଣ ଉଦେ୍ଦଶ୍ୟ ବୁଝାଇ ଦେବାରୁ ନୀତୀଶ ଓ ଅନ୍ୟମାନେ ସହମତ ପ୍ରକାଶ କରିଥିଲେ ।
ମଙ୍ଗଳବାର ପୂର୍ବାହ୍ଣ ୧୧ଟାରେ ଆରମ୍ଭ ହୋଇଥିବା ବିରୋଧୀ ମେଣ୍ଟ ବୈଠକ । ଅପରାହ୍ଣ ୪ଟାରେ ବୈଠକ ଶେଷ ହେବା ପରେ ମେଣ୍ଟ ପକ୍ଷରୁ ‘ସାମୂହିକ ସଂକଳ୍ପ’ ଘୋଷଣା କରାଯାଇଛି । ସେଥିରେ ଜାତି ଜନଗଣନା ଦାବି କରାଯିବା ସହ ସଂଖ୍ୟାଲଘୁ, ମହିଳା, ଦଳିତ ଓ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ମେଣ୍ଟ ଲଢିବ ବୋଲି କୁହାଯାଇଛି ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ସାମ୍ବାଦିକ ସମ୍ମିଳନୀରେ କହିଲେ, ୨୬ ଦଳ ମଧ୍ୟରେ ସମନ୍ୱୟ ପାଇଁ ୧୧ ସଦସ୍ୟବିଶିଷ୍ଟ ଏକ କମିଟି ଗଢାଯିବ । ଦିଲ୍ଲୀରେ ଇଣ୍ଡିଆ କାର୍ଯ୍ୟାଳୟ ଖୁବ୍ଶୀଘ୍ର ସ୍ଥାପନ କରାଯିବ । ପରବର୍ତ୍ତୀ ବୈଠକ ହେବ ମୁମ୍ବାଇରେ । ମୁମ୍ବାଇ ବୈଠକରେ ସମନ୍ୱୟ କମିଟି ସଦସ୍ୟମାନଙ୍କ ନାମ ଘୋଷଣା କରାଯିବ । ଖଡ୍ଗେ କହିଲେ, ବିଜେପି ଗଣତନ୍ତ୍ରର ସବୁ ଏଜେନ୍ସି ଯଥା ଇଡି, ସିବିଆଇ ଆଦିକୁ ନଷ୍ଟ କରିଦେଇଛି । ଆମ ଭିତରେ ରାଜନୈତିକ ମତଭେଦ ରହିଛି । କିନ୍ତୁ ଦେଶକୁ ବଞ୍ଚାଇବା ପାଇଁ ଆମେ ଏକଜୁଟ ହୋଇଛୁ । ଆମର ପ୍ରଥମ ପାଟନା ବୈଠକରେ ୧୬ ଦଳ ଯୋଗଦେଇଥିଲେ । ଆଜିର ବୈଠକରେ ୨୬ ଦଳ ଭାଗ ନେଇଛନ୍ତି । ଆମକୁ ଦେଖି ଏନ୍ଡିଏ ମଧ୍ୟ ଆଜି ବୈଠକ ଡାକିଛି । ଏନ୍ଡିଏ ସବୁ ଅଂଶୀଦାର ଦଳ ପଞ୍ଜୀକୃତ କି ନୁହେଁ ଜଣାନାହିଁ । ସବୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀ ମୋଦି କବ୍ଜା କରିନେଇଛନ୍ତି । ବିରୋଧୀଙ୍କ ପ୍ରତି ଗଣମାଧ୍ୟମ ଶତ୍ରୁତାପୂର୍ଣ୍ଣ ଆଭିମୁଖ୍ୟ ଦେଖାଇବା ପୂର୍ବରୁ କେବେ ଦେଖାଯାଇ ନ ଥିଲା । ଆଜି ଆମେ ନିଜ ହିତ ପରିବର୍ତ୍ତେ ଦେଶକୁ ବଞ୍ଚାଇବା ପାଇଁ ଏକଜୁଟ ହୋଇଛୁ । ୨୦୨୪ରେ ସମସ୍ତେ ଏକାଠି ଲଢିବୁ ଆଉ ଜିତିବୁ ।
ମେଣ୍ଟର ନେତୃତ୍ୱ କିଏ ନେବେ ବୋଲି ସାମ୍ବାଦିକମାନେ ପଚାରିବାରୁ ଖଡ୍ଗେ କହିଲେ, ଆମେ ସମନ୍ୱୟ କମିଟି ଗଢିବୁ । ମୁମ୍ବାଇ ବୈଠକରେ ୧୧ ନାମ ସ୍ଥିର କରାଯିବ ।
ଖଡ୍ଗେଙ୍କ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଲେ, ଦେଶରେ ଦଳିତ, ହିନ୍ଦୁ, ମୁସ୍ଲିମ୍ ସମସ୍ତଙ୍କ ଜୀବନ ବିପଦାପନ୍ନ ହୋଇପଡିଛି । କେନ୍ଦ୍ର ସରକାର ସରକାର ବିକୁଛନ୍ତି ଓ କିଣୁଛନ୍ତି । ଏଣିକି ବିଜେପି ‘ଇଣ୍ଡିଆ’କୁ ଚାଲେଞ୍ଜ୍ କରିପାରିବ ନାହିଁ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ କହିଲେ, ୯ ବର୍ଷରେ କେନ୍ଦ୍ର ସରକାର ସବୁ କ୍ଷେତ୍ରକୁ ଧ୍ୱଂସ କରିଦେଇଛନ୍ତି । ଦେଶରେ ଘୃଣାର ବାତାବରଣ ସୃଷ୍ଟି କରାଯାଉଛି । ସେଥିରୁ ଦେଶକୁ ବଞ୍ଚାଇବା ପାଇଁ ଆମେ ମେଣ୍ଟ ଗଢିଲୁ । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ବଲିଉଡ୍ ଷ୍ଟାଇଲ୍ରେ କହିଲେ, ‘ହମ୍ ଦେଶ୍କୋ ବତାନେ ଆୟେହୈଁ କି ମେଁ ହୁଁ ନା ।’ ରାହୁଲ ଗାନ୍ଧୀ କହିଲେ, ଆଜି ଦେଶର ସ୍ୱରକୁ ଦବାଇ ଦିଆଯାଉଛି । ମେଣ୍ଟ ନାମ ଇଣ୍ଡିଆ ଏଇଥିପାଇଁ ଦିଆଗଲା କାରଣ ଆଗାମୀ ଲଢେଇ ଏନ୍ଡିଏ ଓ ଇଣ୍ଡିଆ ମଧ୍ୟରେ ହେବ । ଇଣ୍ଡିଆ ବିରୋଧରେ କେହି ଛିଡା ହେଲେ କିଏ ଜିତେ ଆପଣମାନଙ୍କୁ ଜଣାଅଛି ।