ଯୋଗ ଦେଲେ ୨୪ ଦଳ
ବେଙ୍ଗଲୁରୁରେ ବିରୋଧୀ ମେଣ୍ଟର ଡିନର୍ ମିଟିଂ
ବେଙ୍ଗଲୁରୁ, ୧୭ା୭: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବେଙ୍ଗଲୁରୁରେ ସୋମବାର ବିରୋଧୀ ଦଳମାନଙ୍କ ଦ୍ୱିତୀୟ ବୈଠକ ଆରମ୍ଭ ହୋଇଛି । ତେବେ ମଙ୍ଗଳବାର ଔପଚାରିକ ତଥା ବିଧିବଦ୍ଧଭାବେ ପ୍ରମୁଖ ଏଜେଣ୍ଡାଗୁଡିକ ଉପରେ ଆଲୋଚନା ହେବ । ମଙ୍ଗଳବାର ପୂର୍ବାହ୍ଣ ୧୧ଟାରେ ଦ୍ୱିତୀୟ ଦିନର ବୈଠକ ଆରମ୍ଭ ହେବ ଏବଂ ଅପରାହ୍ଣ ୪ଟା ବେଳେ ସବୁ ଦଳର ନେତାମାନେ ଦେଶବାସୀଙ୍କୁ ସମ୍ବୋଧନ କରିବେ । କଂଗ୍ରେସ ମହାସଚିବ କେ ସି ବେଣୁଗୋପାଳ କହିଛନ୍ତି ବୈଠକରେ ୨୬ ଦଳ ଯୋଗ ଦେବେ ।
ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସୁଦ୍ଧରମେୟା ଆଗନ୍ତୁକ ନେତାମାନଙ୍କ ପାଇଁ ରାତ୍ରୀ ଭୋଜନ ଆୟୋଜନ କରିଛନ୍ତି । ଏଥିରେ ସୋନିଆ ଗାନ୍ଧି, ମଲ୍ଲିକାର୍ଜୁନ ଖଡ୍ଗେ, ମମତା ବାନାର୍ଜୀ, ଅଖିଳେଶ ଯାଦବ, ଅରବିନ୍ଦ କେଜରୀୱାଲ, ଭଗବନ୍ତ ମାନ୍, ସଂଜୟ ସିଂହ, ନୀତୀଶ କୁମାର, ଲାଲୁ ଓ ତେଜସ୍ୱୀ ଯାଦବ ପ୍ରମୁଖ ୨୪ ଦଳର ନେତା ଯୋଗ ଦେଇଛନ୍ତି । ଦଳଗୁଡ଼ିକ ହେଲା- କଂଗ୍ରେସ, ଟିଏମ୍ସି, ସିପିଆଇ, ସିପିଏମ୍, ସିପିଆଇ (ଏମ୍ଏଲ୍), ଏନ୍ସିପି, ଜେଡିୟୁ, ଡିଏମ୍କେ, ଆପ୍, ଜେଏମ୍ଏମ୍, ଶିବସେନା (ଉଦ୍ଧବ ଗୋଷ୍ଠୀ), ଆର୍ଜେଡ଼ି, ସମାଜବାଦୀ ପାର୍ଟି, ଜାମ୍ମୁକାଶ୍ମୀର ଏନ୍ସି, ପିଡିପି, ଆର୍ଏଲ୍ଡି, ଆଇୟୁଏମ୍ଏଲ୍, କେରଳ କଂଗ୍ରେସ, କେରଳ କଂଗ୍ରେସ (ଏମ୍), ଏମ୍ଡିଏମ୍କେ, ଭିସିକେ, ଆର୍ଏସ୍ପି, କେଏମ୍ଡିକେ ଓ ଏଆଇଏଫ୍ଡିଆଇ । ଏଗୁଡ଼ିକ ଛଡ଼ା ଆଉ ଦୁଇଟି ଦଳ ମିଟିଂରେ ସାମିଲ ହେବେ । ତେବେ ସେହି ଦୁଇ ଦଳର ନାଁ ଜଣାପଡ଼ିନାହିଁ । ଶରଦ ପାୱାର ମଙ୍ଗଳବାର ସକାଳେ ବେଙ୍ଗଲୁରୁରେ ପହଞ୍ଚôବେ । ତାଙ୍କ ସହ ଆସିବେ କନ୍ୟା ସୁପ୍ରିୟା ସୁଲେ । ବିରୋଧୀ ମେଣ୍ଟ ବୈଠକରେ ମୁଖ୍ୟତଃ ତିନିଟି ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରଥମ- ଲୋକସଭା ନିର୍ବାଚନରେ ବିରୋଧୀଦଳ ମାନଙ୍କ ଏକତା, ଦ୍ୱିତୀୟ- ଆସନ ବଣ୍ଟନ, ତୃତୀୟ- ୟୁପିଏର ନୂଆ ନାମ । ଏହାଛଡ଼ା ୟୁନିଫର୍ମ ସିଭିଲ୍ କୋର୍ଟ, ମଣିପୁର ହିଂସା, ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପିର ବାଟ ଓଗାଳିବାର ରଣନୀତି ପ୍ରଭୃତି ଉପରେ ହେବ ମନ୍ଥନ ।
ସୂତ୍ର ଅନୁଯାୟୀ ସୋମବାର ବୈଠକରେ ଅନେକ ପ୍ରସଙ୍ଗ ଉପରେ ସହମତି ସୃଷ୍ଟି ହୋଇଛି । ବିରୋଧୀ ଦଳମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଦଳ କଂଗ୍ରେସ ଅନ୍ୟ ଦଳମାନଙ୍କ ଦାବିକୁ ଗ୍ରହଣ କରି ନେଇଥିବାବେଳେ ମେଣ୍ଟର ଅଧ୍ୟକ୍ଷ ପଦ ନିଜ ପାଖରେ ରଖିବାକୁ ଚାହୁଁଛି । ମେଣ୍ଟର ନାମ ପୂର୍ବଭଳି ୟୁପିଏ ରହିବ ନା ଅନ୍ୟ କିଛି ହେବ, ତାହାକୁ କଂଗ୍ରେସ ଅନ୍ୟ ଦଳମାନଙ୍କ ଉପରେ ଛାଡ଼ି ଦେଇଛି ।
ସୋନିଆ ଗାନ୍ଧିଙ୍କୁ ମେଣ୍ଟ ଅଧ୍ୟକ୍ଷ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ସୋମବାର ବୈଠକରେ ପ୍ରସ୍ତାବ ଦିଆଯାଇଛି ।
ପ୍ରସ୍ତାବରେ କୁହାଯାଇଛି ସୋନିଆଙ୍କୁ ଅଧ୍ୟକ୍ଷ କରାଯିବା ନେଇ କାହାରି ଆପତ୍ତି ନ ରହୁ, କାରଣ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ନୁହଁନ୍ତି । ଯଦି ଏ ପ୍ରସ୍ତାବରେ ଅନ୍ୟ ବିରୋଧୀ ଦଳମାନେ ରାଜି ନ ହେବେ କିମ୍ବା ଯଦି ସୋନିଆ ଗାନ୍ଧି ଅନିଚ୍ଛା ପ୍ରକାଶ କରିବେ, ସେ କ୍ଷେତ୍ରରେ କଂଗ୍ରେସ ତରଫରୁ ମେଣ୍ଟ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜ୍ଜୁନ ଖଡ଼ଗେଙ୍କ ନାମ ଉପସ୍ଥାପନ କରାଯାଇପାରେ ।
୨୪ ଦିନ ପୂର୍ବେ ଜୁନ୍ ୨୩ ତାରିଖ ଦିନ ପାଟନାରେ ହୋଇଥିବା ବିରୋଧୀ ମେଣ୍ଟର ପ୍ରଥମ ବୈଠକରେ କେତେକ ଦଳ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମେଣ୍ଟ ସଂଯୋଜକ କରାଯିବା ପ୍ରସ୍ତାବ ଦେଇଥିଲେ । ଏଥିରେ କଂଗ୍ରେସ ପକ୍ଷରୁ କୌଣସି ଆପତ୍ତି ଉଠିନାହିଁ । ତେବେ ବେଙ୍ଗଲୁରୁ ବୈଠକରେ ସଂଯୋଜକ ନିଯୁକ୍ତି ଚୁଡ଼ାନ୍ତ ହେବ । ଅନ୍ୟ ଯେଉଁ ପ୍ରସଙ୍ଗରେ ସହମତି ସୃଷ୍ଟି ହେବା ସମ୍ଭାବନା ଅଛି ସେଗୁଡ଼ିକ ହେଲା- ୨୬ ଦଳ ମଧ୍ୟରେ ସମନ୍ୱୟ ବଜାୟ ରଖିବା ପାଇଁ ଗୋଟିଏ ସବ୍-ଗ୍ରୁପ୍ ଗଢ଼ାଯିବ । ଏକ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ପ୍ରସ୍ତାବ ଆସିବ । ଏଥିପାଇଁ ଆଉ ଏକ ସବ୍କମିଟି ଗଢ଼ା ଯାଇପାରେ । ବେଙ୍ଗଲୁରୁରେ ବୈଠକ ପୂର୍ବରୁ କଂଗ୍ରେସ ମହାସଚିବ ବେଣୁଗୋପାଳ, ଜୟରାମ ରମେଶ, ବିବେକ ତନଖା ଓ ଡି କେ ଶିବକୁମାର ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ୟୁସିସି ପ୍ରସଙ୍ଗ ଓ ମେଣ୍ଟର ନେତା କିଏ ହେବେ ବୋଲି ସାମ୍ବାଦିକମାନେ ପଚାରିବାରୁ ବେଣୁଗୋପାଳ ବିରକ୍ତି ପ୍ରକାଶ କରିଥିଲେ । ସେ କହିଥିଲେ, ସରକାର ଚାହୁଁଛନ୍ତି ମଣିପୁର ହିଂସା ପ୍ରସଙ୍ଗରେ ବିରୋଧୀ ଦଳମାନେ ମଧ୍ୟ ଚୁପ୍ ରୁହନ୍ତୁ । ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ କରାଯିବା ଏକ ବଡ଼ ପ୍ରସଙ୍ଗ ଯାହା ଉପରେ ଆପଣମାନେ ପ୍ରଶ୍ନ ପଚାରୁ ନାହାନ୍ତି ।