ଦକ୍ଷିଣରେ ଅନାବୃଷ୍ଟି,  ଉତ୍ତରରେ ମାତ୍ରାଧିକ

ମୌସୁମୀ ସମୀକ୍ଷା
ନୂଆଦିଲ୍ଲୀ, ୧୭ା୭: ଗଣମାଧ୍ୟମରେ ଉତ୍ତର ଭାରତରେ ମୌସୁମୀ ବର୍ଷାର ତାଣ୍ଡବ ଖୁବ୍ ଦେଖିବାକୁ ମିଳୁଛି । ବାଦଲଫଟା ବର୍ଷାରେ ବହୁ କ୍ଷୟକ୍ଷତି ଘଟିଚାଲିଛି । କିନ୍ତୁ ଦେଶର ଅଦେ୍ର୍ଧକ ଅଂଶରେ ଏବେ ବି ଅନାବୃଷ୍ଟି ଯୋଗୁଁ ମରୁଡ଼ି ସ୍ଥିତି ଆଶଙ୍କା ସୃଷ୍ଟି ହେଲାଣି । ସ୍କାଇମେଟ୍ ୱେଦରର ଅଧ୍ୟକ୍ଷ ଭାଇସ୍ ମାର୍ଶଲ ଗୁରୁପ୍ରସାଦ ଶର୍ମା ମୌସୁମୀ ବର୍ଷାର ସମୀକ୍ଷା କରି କହିଛନ୍ତି, କେରଳ ଓ ଉତ୍ତର କର୍ଣ୍ଣାଟକରେ ୩୫ ପ୍ରତିଶତ ନିଅଣ୍ଟିଆ ବର୍ଷା ସହ ଦକ୍ଷିଣ ଭାରତରେ ଚଳିତ ମୌସୁମୀ ଋତୁରେ ହାରାହାରି ୨୨ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି । ଉତ୍ତରରେ ରେକର୍ଡ ପରିମାଣର ବର୍ଷା ଓ ଦକ୍ଷିଣରେ ନିଅଣ୍ଟିଆ ବର୍ଷାର ଅର୍ଥ ହେଉଛି ଦେଶସାରା ଚାଷୀମାନେ ସଂଘର୍ଷ କରୁଛନ୍ତି । ହରିୟାଣାରେ ଅତ୍ୟଧିକ ବୃଷ୍ଟିପାତ କାରଣରୁ ଚାଷୀଙ୍କ ଧାନ ଓ ଅନ୍ୟ ଫସଲ ବରବାଦ୍ ହୋଇଗଲାଣି ।
ଶର୍ମା କହିଛନ୍ତି, କେରଳରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ । ଏ ବର୍ଷ ତାହା ହୋଇନାହିଁ । ସେହିପରି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ପୂର୍ବ ଉତ୍ତର ପ୍ରଦେଶରେ ଆଶାନୁରୂପ ବୃଷ୍ଟିପାତ ହୋଇନାହିଁ । ଏ ସବୁ ରାଜ୍ୟରେ ଆଜି ସୁଦ୍ଧା ୨୦-୪୦ ପ୍ରତିଶତ କମ୍ ବର୍ଷା ହୋଇଛି । ସବୁଠୁ ବେଶୀ ପ୍ରଭାବିତ ହୋଇଛି ଝାଡ଼ଖଣ୍ଡ ଯେଉଁଠି ୪୫ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି । ଅପରପକ୍ଷେ, କେବଳ ଉତ୍ତର-ପଶ୍ଚିମ ଭାରତରେ ଗତ ସପ୍ତାହରେ ମାତ୍ରାଧିକ ବର୍ଷା ହେବା ଯୋଗୁ ହାରାହାରି ହିସାବରେ ଦେଶରେ ବର୍ଷା ପରିମାଣ ୨ ପ୍ରତିଶତ ଅଧିକ ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ରିପୋର୍ଟ ଅନୁଯାୟୀ ପୂର୍ବ ଓ ପୂର୍ବୋତ୍ତର କ୍ଷେତ୍ରରେ ୧୭ ପ୍ରତିଶତ କମ୍ ବର୍ଷା ହୋଇଥିବା ସ୍ଥଳେ ଉତ୍ତର ଭାରତରେ ୫୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ମଧ୍ୟ ଭାରତ, ଯେଉଁଠି ଅଧିକାଂଶ ଚାଷୀ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ, ସେଠାରେ ୪ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଜଣାଯାଇଛି ।
ଚଣ୍ଡୀଗଡ଼ରେ ୨୪ ଘଣ୍ଟାରେ ୩୨୨ ମିମିର ଅସାଧାରଣ ବୃଷ୍ଟିପାତ ହୋଇଛି । ସେହିପରି ଗୁଜରାଟରେ ମୌସୁମୀ ଋତୁର ପ୍ରାରମ୍ଭରେ ବାତ୍ୟାବଳରେ ପର୍ଯ୍ୟାପ୍ତ ବର୍ଷା ହୋଇଛି । କିନ୍ତୁ ଏହାର ବିପରୀତରେ କେରଳରେ ଜୁନ୍ରୁ ଆଜି ସୁଦ୍ଧା ୬୩୯.୪ମିମି ବର୍ଷା ହୋଇଛି ଯାହା ସ୍ୱାଭାବିକ (୯୯୨.୬ ମିମି)ରୁ ୩୬ ପ୍ରତିଶତ କମ୍ । କେରଳରେ ଜୁଲାଇରେ ପ୍ରତିଦିନ ବର୍ଷା ହେବା କଥା କିନ୍ତୁ ଅଳ୍ପ କିଛି ଦିନ ଏହି ରାଜ୍ୟରେ ବର୍ଷା ହୋଇଛି ।
ସାଧାରଣତଃ ଦେଶସାରା ମୌସୁମୀ ଦୃଷ୍ଟିରୁ ଜୁଲାଇ ପ୍ରମୁଖ ମାସ ହୋଇଥାଏ । ଉତ୍ତର ଭାରତରେ ଜୁଲାଇ ଓ ଅଗଷ୍ଟରେ ଖୁବ୍ ବର୍ଷା ହୁଏ । ପୂର୍ବ ଭାରତରେ ୪ ମାସ ବର୍ଷା ହୋଇଥାଏ । ତାହା ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହେ । ମାତ୍ର ଜୁନ୍ରେ ଦେଶର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *