ଜୋକୋଭିଚ୍ଙ୍କୁ ହରାଇ ଆଲ୍କାରାଜ ଚାମ୍ପିଅନ୍
ୱିମ୍ବଲଡନ୍ ପାଇଲା ନୂଆ ବିଜେତା
ଲଣ୍ଡନ, ୧୭ ।୭ (ଏଜେନ୍ସି): ୱିମ୍ବଲଡନ୍ ଚମ୍ପିଆନସିପର ୧୦ ବର୍ଷର ବିଜେତା ନୋଭାକ ଜୋକୋଭିକଙ୍କୁ ପଛରେ ପକାଇଲେ ସ୍ପେନର କାର୍ଲୋସ୍ ଆଲ୍କାରାଜ । ତୃତୀୟ ସ୍ପେନ୍ ତାରକା ଭାବେ ରଚିଲେ ଇତିହାସ । ୱିମ୍ବଲଡନ୍ ଚାମ୍ପିଅନସିପର ନୂଆ ବାଦଶାହ କାର୍ଲୋସ୍ ଆଲ୍କାରାଜ । ୧୦ ବର୍ଷର ବିଜେତା ନୋଭାକ ଜୋକୋଭିକଙ୍କୁ ପଛରେ ପକାଇ ପ୍ରଥମ କରି ୱିମ୍ବଲଡନ୍ ଟେନିସ୍ ଚାମ୍ପିଅନସିପ୍ ଟାଇଟଲ୍ ହାସଲ କରିଛନ୍ତି । ଏହି ରେକର୍ଡ ସହ ସେ ବନି ଯାଇଛନ୍ତି ୱିମ୍ବଲଡନ୍ ଚାମ୍ପିଅନ ହେବାରେ ସ୍ପେନର ତୃତୀୟ ଖେଳାଳି ।
ରବିବାର (ଜୁଲାଇ ୧୬)ରେ ଲଣ୍ଡନରେ ୱିମ୍ବଲଡନ୍ ଟେନିସ ଚାମ୍ପିଅନସିପ୍ ୨୦୨୩ ଏକକ ପୁରୁଷ ଖେଳା ଯାଇଥିଲା । ପାଞ୍ଚ ସେଟ୍ ବିଶିଷ୍ଟ ଫାଇନାଲରେ ସ୍ପେନର ଆଲ୍କାରାଜ ସର୍ବିଆର ଜୋକୋଭିକଙ୍କୁ ୧-୬, ୭-୬, ୬-୧, ୩-୬ ଓ ୬-୪ରେ ପରାସ୍ତ କରିଛନ୍ତି । ଫାଇନାଲରେ ଦୁଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ପ୍ରଥମ ସେଟରେ ୩୬ ବର୍ଷୀୟ ଜୋକୋଭିକ୍ ୬-୧ରେ ଜିତିଥିଲେ । ଏହାପରେ ଆଲ୍କାରାଜ ଦ୍ୱିତୀୟ ସେଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ଗୋଟିଏ ପର୍ଯ୍ୟାୟରେ ସେଟ୍ ୬-୬ରେ ଟାଇ ହୋଇଯାଇଥିଲା । ଏହାପରେ ଏକ ଟାଇ-ବ୍ରେକର ଖେଳାଯାଇଥିଲା । ଯାହାକୁ ଆଲ୍କାରାଜ ୭-୬ରେ ଜିତି ନେଇଥିଲେ ।
ତୃତୀୟ ସେଟରେ ମଧ୍ୟ ୨୦ ବର୍ଷୀୟ ସ୍ପେନୀୟ ଖେଳାଳି ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ । ବହୁ ଅଭିଜ୍ଞ ଜୋକୋଭିକଙ୍କୁ ୬-୧ରେ ପରାସ୍ତ କରିଥିଲେ । ଚତୁର୍ଥ ସେଟରେ ଜୋକୋଭିକ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୬-୩ରେ ଜିତିଥିଲେ ।
ପଞ୍ଚମ ତଥା ଶେଷ ସେଟରେ ଆଲ୍କାରାଜଙ୍କ କମାଲ୍ ଦେଖିବାକୁ ମିଳିଥିଲା । ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ୬-୪ରେ ସେ ଏହି ଟାଇଟଲକୁ ନିଜ ନାମରେ ଲେଖି ଦେଇଛନ୍ତି । ମ୍ୟାଚ୍ ସମୟରେ ସେ ଏପରି ଅନେକ ସଟ୍ ଖେଳିଥିଲେ, ଯାହା ପ୍ରଶଂସକ ଏବଂ ୧୦ ବର୍ଷର ବିଜେତା ଜୋକୋଭିକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।