ଖାଲି ହେବ ୭ ହାଇକୋର୍ଟ ଜଜ୍ ପଦବୀ
ଭୁବନେଶ୍ୱର,୧୭ା୭(ତଥ୍ୟ): ଓଡିଶା ହାଇକୋର୍ଟରେ ଏବେ ୬ଟି ବିଚାରପତି ପଦବୀ ଖାଲି ପଡିଥିବାବେଳେ ଆସନ୍ତା ମାସରେ ଏହି ସଂଖ୍ୟା ୭କୁ ବଢିପାରେ ।
ହାଇକୋର୍ଟରେ ଏବେ ପ୍ରାୟ ୧.୪୫ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ପ୍ରତିଦିନ ନୂଆ ନୂଆ ମାମଲା ରୁଜୁ ହେଉଥିବାବେଳେ ପୁରୁଣା ମାମଲାଗୁଡିକର ଚାପ ମଧ୍ୟ କମ୍ ନୁହେଁ । ଏହା ସତ୍ୱେ ରୁଜୁ ହେଉଥିବା ମାମଲା ତୁଳନାରେ ଏଠାରେ ଫଏସଲା ହେଉଥିବା ମାମଲାର ହାର ପ୍ରାୟ ୧୩୩ ପ୍ରତିଶତ ବୋଲି କୁହାଯାଉଛି । ହାଇକୋର୍ଟର ମୁଖ୍ୟ ବିଚାରପତି ଖୁବ୍ଶୀଘ୍ର ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଓଡିଶା ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିଙ୍କ ସମେତ ୨୭ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ରହିଛି । ଏବେ ଏଥିରେ ୨୧ଜଣ କାର୍ଯ୍ୟରତ ଥିବାବେଳେ ମୁଖ୍ୟ ବିଚାରପତିଙ୍କ ଅବସରପରେ କାର୍ଯ୍ୟରତ ବିଚାରପତିଙ୍କ ସଂଖ୍ୟା ୨୦କୁ ହ୍ରାସ ପାଇବ । ତେବେ ମୁଖ୍ୟ ବିଚାରପତି ପଦବୀରୁ ଜଷ୍ଟିସ ଏସ୍.ମୁରଲୀଧରନ ଅବସର ଗ୍ରହଣ କରିବାପରେ ତାଙ୍କ ସ୍ଥାନରେ ହାଇକୋର୍ଟର ବରିଷ୍ଠ ବିଚାରପତି ଶୁଭାଶିଷ ତାଳପତ୍ର ମୁଖ୍ୟ ବିଚାରପତି ଦାୟିତ୍ୱ ନିର୍ବାହ କରିବେ । ଓଡିଶା ହାଇକୋର୍ଟରେ ଯେତେ ସଂଖ୍ୟକ ମାମଲା ରହିଛି ସେଗୁଡିକର ସମୟ ଭିତ୍ତିକ ଫଏସଲା ଲାଗି ଆଉ ଅନୁ୍ୟନ ୧୦ଟି ବିଚାରପତି ପଦବୀ ସୃଷ୍ଟି ହେବାକଥା । ନୂଆ ପଦବୀ ସୃଷ୍ଟି ତ ଦୂରରକଥା ପୁରୁଣା ପଦବୀଗୁଡିକ ପୂରଣ କରାଯାଉ ନଥିବାରୁ ନ୍ୟାୟପାଇଁ ଦଉଡୁଥିବା ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହା ସତ୍ୱେ ବି କେତେକ ବିଚାରପତିଙ୍କ ବେଞ୍ଚରେ ପ୍ରତିଦିନ ଢେର ସଂଖ୍ୟକ ମାମଲା ପଏସଲା ହେଉଛି ।
ଓଡିଶା ହାଇକୋର୍ଟରେ ଏବେ ଯେତେ ମାମଲା ବିଚାରଧିନ ରହିଛି ସେଥି ମଧ୍ୟରୁ ପ୍ରାୟ ୩୭ହଜାର ହେଉଛି ଅପରାଧିକ ମାମଲା । ତେବେ ଚଳିତବର୍ଷ ଆରମ୍ଭରୁ ହାଇକୋର୍ଟରେ ୪୨,୭୦୦ ଅପରାଧିକ ମାମଲା ଥିବାବେଳେ ଜୁନ୍ ଶେଷ ବେଳକୁ ଏହି ସଂଖ୍ୟା ୩୭,୮୫୮କୁ ହ୍ରାସ ପାଇଥିବା ହାଇକୋର୍ଟ ୱେବାସାଇଟ୍ର ତଥ୍ୟରୁ ଜଣାପଡିଛି ।
ମୋଟାମୋଟି ଭାବେ ଓଡିଶା ହାଇକୋର୍ଟରେ ଚଳିତ ବର୍ଷ ଜାନୁୟାରୀ ପହିଲା ବେଳକୁ ୧,୬୪,୭୭୧ ମାମଲା ଥିବାବେଳେ ପ୍ରଥମ ଛଅମାସ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୨୦ହଜାର କମି ୧,୪୫,୨୬୫ରେ ପହଞ୍ଚିଛି । ମୋଟାମୋଟି ଭାବେ ଏଠାରେ ଥିବା ମାମଲାଗୁଡିକ ମଧ୍ୟରୁ ପାଖାପାଖି ୬୦ହଜାର ହେଉଛି ୫ରୁ ୩୦ କିମ୍ବା ତଦୁର୍ଦ୍ଧ ବର୍ଷର ପୁରୁଣା ମାମଲା ।
୧୯୪୮ ମସିହାରେ ପ୍ରତିଷ୍ଠା କରାଯାଇଥିବା ଓଡିଶା ହାଇକୋର୍ଟ ଏବର୍ଷ ତାହାର ୭୫ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଏହି ୭୫ବର୍ଷ ମଧ୍ୟରେ ଓଡିଶା ହାଇକୋର୍ଟ ସୁପ୍ରିମ୍କୋର୍ଟକୁ ଅନୁ୍ୟନ ୩ଜଣ ଓଡିଆ ମୁଖ୍ୟ ବିଚାରପତି ଦେଇଛି । ଓଡିଶା ହାଇକୋର୍ଟରେ ବିଚାରପତି ଥିବା ରଙ୍ଗନାଥ ମିଶ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ ଓ ଦୀପକ ମିଶ୍ର ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ପଦବୀ ମଣ୍ଡନ କରିଥିବାବେଳେ ରାଧାଚରଣ ପଟ୍ଟନାୟକ, ଅରଜିତ ପଶାୟତ, ଅନଙ୍ଗ ପଟ୍ଟନାୟକଙ୍କ ଭଳି ଅନେକ କୃତବିଦ୍ୱ ବିଚାରପତିଙ୍କୁ ଓଡିଶା ସୁପ୍ରିମ୍କୋର୍ଟକୁ ପଠାଇଛି । ତେବେ ବର୍ତ୍ତମାନ ସୁପ୍ରିମକୋର୍ଟରେ କୌଣସି ଓଡିଆ ବିଚାରପତି ନାହାନ୍ତି । ଓଡିଶା ହାଇକୋର୍ଟ ତାହାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା ଅବସରରେ ଏଠାରେ ଖାଲି ପଡିଥିବା ସମସ୍ତ ବିଚାରପତି ପଦବୀ ପୂରଣ ସହିତ ମାମଲା ସଂଖ୍ୟାକୁ ଆଖିଆଗରେ ରଖି ଅଧିକ ବିଚାରପତି ପଦବୀ ସୃଷ୍ଟିପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।