ମାଛଗାଁ କେନାଲରେ ଘାଇ
ରଘୁନାଥପୁର,୧୬ ।୭ (ଆପ୍ର): ଚଳିତ ବର୍ଷର ପ୍ରଥମ ଦୁଇ ତିନିଦିନ ହେଲା ମାଛଗାଁ କେଲନାଲରେ ପାଣି ଛଡା ଯାଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ତହସିଲ ଅଧୀନସ୍ଥ ତରୀକୁନ୍ଦ ବଜାର ଦେବେନ୍ଦ୍ର ପାତ୍ର ଦୋକାନ ପଛପଟ ମାଛଗାଁ କେନାଲ ବନ୍ଧ ଭାଙ୍ଗି ୩୦ଫୁଟ ଘାଇ ହୋଇଥିବାବେଳେ ବିରିଡି ତହସିଲ ଅନ୍ତର୍ଗତ ବରଡ଼ାରେ ମଧ୍ୟ ୧୫ଫୁଟ ଘାଇ ହୋଇଯାଇଛି । ତରୀକୁନ୍ଦରେ ଘାଇରେ ପଞ୍ଚାୟତ କାର୍ଯ୍ୟାଳୟ, ବିଟି ହାଉସ, ସେବାସମବାୟ ସମିତି, ରାଜସ୍ୱନିରୀକ୍ଷକ କାର୍ଯ୍ୟାଳୟ, ମାଦରର୍ଶା, ଗ୍ରାମ୍ୟ ବ୍ୟାଙ୍କ ସମେତ ବଜାରରେ ଥିବା ସାର ଗୋଦାମ, ଗୋଲକୋଇଲା ଫ୍ୟାକ୍ତ୍ରୀ ଓ ଘାଇ ସମ୍ମୁଖରେ ରହିବା ଗୃହ ଗୁଡିକ ଜଳବନ୍ଦୀ ହୋଇରହିଛି । ଘାଇ ହେବାଦ୍ୱାରା ତରୀକୁନ୍ଦ ବଜାର ସେସମୁଣ୍ଡରେ ପାଣି ପାସ କାରୁଥିବାରୁ ଦିନ ୧୦ଟା ପର୍ଯ୍ୟନ୍ତ ଯାତାୟାତ ଜଗତସିଂହପୁର କଟକ ରାସ୍ତା ବନ୍ଦ ହୋଇଯାଇଥିଲା । ତରୀକୁନ୍ଦର ଦରିଆପୁର ତଳିଅଞ୍ଚଳ ସମେତ ତରୀକୁନ୍ଦ, ବଡତିହାଡ଼ା, ସାନ ତିହଡ଼ା, ବିଶ୍ୱନାଥପୁର, ପଣ୍ଡିଆସାହି ଗହୀରର ଶହଶହ ଏକର ଚାଷ ଜମୀରେ ୩ଫୁଟ ପାଣି ଭର୍ତ୍ତି ହୋଇଯାଇଛି । ଯାହାଫଳରେ ପନିପରିବା ଓ ଧାନ ତଳି ମଧ୍ୟ ସମ୍ପୂର୍ଣ୍ଣ ବୁଡିଯାଇଛି ।
ଖବରପାଇ ବିଧାୟକ ବିଜୟ ଶଙ୍କର ଦାସ ତକ୍ରାଳ ଭିତ୍ତିରେ ବନ୍ଧ ବନ୍ଧା କାର୍ଯ୍ୟ ସାରିବା ସହ କ୍ଷତି ଆକଳନ କରି ଜଳବନ୍ଦୀ ଥିବା ଲୋକଙ୍କୁ ରିଲିଫ ଯୋଗାଇବାକୁ ନିଦେ୍ର୍ଦଶ ଦେଇଥିଲେ । ବରଡ଼ା ଘାଇ ବନ୍ଦ କରାଯାଇଥିବାବେଳେ ମାଛଗାଁ କେନାଲ ପାଣି ବନ୍ଦ କରାଯାଇଛି । ପାଣି କମ ହେଲା ପରେ ତରୀକୁନ୍ଦ ଘାଇ ବନ୍ଦ କାର୍ଯ୍ୟ ତକ୍ରାଳୀନ ଆରମ୍ଭ ହୋଇଛି । ଉଭୟ ସ୍ଥାନରେ ଉପଜିଲ୍ଲାପାଳ ପ୍ରଦୀପ ସାହୂ, ଏସି ପ୍ରତାପ ଶତପଥୀ, ବାଲିଆ ସହକାରୀ ଯନ୍ତ୍ରୀ ରାଜକିଶ୍ୱର ସାହୁ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେହିପରି ରଘୁନାଥପୁର ବିଡିଓ ତପନ ସେନାପତି, ଆରଆଇ ମଣି ବିଶ୍ୱାଳ, ସୁପରଭାଇଜର ସୁଦାମ ଗୁରୁ ପହଞ୍ଚି ସମସ୍ୟା ସମ୍ପର୍କରେ ସରପଞ୍ଚ ବନମାଳୀ ସାହୂ ସହିତ ଆଲୋଚନା କରିଥିବା ବେଳେ ଜଗତସିଂହପୁର ଅତିରିକ୍ତ ଥାନା ଅଧିକାରୀ ପବିତ୍ର ମହାରଣା ସମେତ ପୁଲିସ କର୍ମଚାରୀ ଉପସ୍ଥିତ ରହି ଯାତାୟତର ସୁବିଧା କରାଇଥିଲେ । ବିଧାୟକ ଦାସ ଉଭୟ ସ୍ଥାନ ପରିଦର୍ଶନ କରିଥିବାବେଳେ ତାଙ୍କ ସହିତ ସଂଖ୍ୟାଲଘୁ ସେଲ ସଭାପତି ଆଜମିର ଅଲି, ଜିଲ୍ଲା ପରିଷଦ ପ୍ରତିନିଧି ପ୍ରକାଶ ମଲ୍ଲିକ ବିରିଡି ବ୍ଲକ୍ ଉପାଧ୍ୟକ୍ଷା ପ୍ରତିନିଧି ପ୍ରଦୀପ୍ତ ଭୂୟାଁ ଉପସ୍ଥିତ ଥିଲେ ।