ଫେରିଗଲା ବିମାନ

ଜୟପୁରରେ ସିଗ୍ନାଲ୍ ମିଳିଲାନି
ଜୟପୁର,୧୬ ।୭ (ଆପ୍ର): ଭୁବନେଶ୍ୱରରୁ ଜୟପୁରକୁ ଘଣ୍ଟାକ ଭିତରେ ପହଞ୍ଚିବାକୁ ଆରମ୍ଭ ହୋଇଥିଲା ବିମାନ ସେବା । ହେଲେ ଅଧିକାଂଶ ସମୟରେ ସେଥିରେ ବ୍ୟତିକ୍ରମ ଘଟୁଛି । କେତେବେଳେ ବିମାନ ଯନ୍ତ୍ରାଂଶ ମରାମତି ଯୋଗୁ ତ ଆଉ କେତେବେଳେ ସିଗନାଲ ନ ମିଳିବାରୁ ସେବା ବ୍ୟାହତ ହେଉଛି । ଫଳରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ବେଳେବେଳେ ଏକ ଘଣ୍ଟାର ଯାତ୍ରାକୁ ଲାଗୁଛି ଦୁଇ ଦିନ ।
ଏମିତି ଏକ ବ୍ୟତିକ୍ରମ ରବିବାର ମଧ୍ୟ ଘଟିଛି । ଭୁବନେଶ୍ୱରରୁ ଧାର୍ଯ୍ୟ ସମୟରେ ବିମାନ ଉଡ଼ାଣ ଭରିଥିଲା । କିନ୍ତୁ ବିମାନଟି ଜୟପୁର ବିମାନବନ୍ଦରର ଆକାଶ ଉପରକୁ ଆସିବା ପରେ ଓହ୍ଲାଇବା ପାଇଁ ବିମାନବନ୍ଦରରୁ ଅବତରଣ ପାଇଁ ମିଳି ନଥିଲା ଅନୁମତି । ବହୁ ସମୟ ଧରି ବିମାନଟି ସହର ଉପରେ ୬ ରାଉଣ୍ଡ ଚକ୍କର କାଟିଥିଲା । ଶେଷରେ ଇନ୍ଧନକୁ ଦୃଷ୍ଟିରେ ରଖି ପାଇଲଟ୍ ଆଉ ଅଧିକା ସମୟ ନ ବୁଲାଇ ପୁଣି ବିମାନକୁ ଭୁବନେଶ୍ୱରକୁ ଫେରାଇ ନେଇଥିଲେ । ତଳେ ଜୟପୁରରୁ ବିଶାଖାପାଟଣା, ବିଶାଖାପାଟଣାରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ୱର ଯିବା ପାଇଁ ଯାତ୍ରୀମାନେ ଟିକେଟ୍ କାଟି ବିମାନକୁ ଅପେକ୍ଷା କରି ରହିଥିଲେ । କିଛି ଯାତ୍ରୀ ବିମାନବନ୍ଦରରେ ପାଟିତୁଣ୍ଡ କରିଥିଲେ ହେଁ ସୁରକ୍ଷାକର୍ମୀ ଆଦି ବୁଝାସୁଝା କରି ପଠାଇ ଦେଇଥିଲେ ।
ଗତ ୧୫ ଦିନ ମଧ୍ୟରେ ଏଭଳି ୫ ଥର ହେଲାଣି । ସପ୍ତାହରେ ୭ ଦିନ ଚଳାଇବାକୁ ଘୋଷଣା କରିଥିବା ଇଣ୍ଡିଆ ୱାନ୍ ଏୟାର ନିଜ କଥା ରଖିପାରୁନି । ବର୍ତ୍ତମାନ ସପ୍ତାହକ ୩-୪ ଦିନ ଚାଲୁଥିବା କହିଛନ୍ତି । କିଛି ଟ୍ରାଭେଲସ୍ ଏଜେନସୀ ଓ ଇଣ୍ଟରନେଟ୍ କାଫେ ମାଲିକ । ଇଣ୍ଡିଆ ୱାନ୍ ଏୟାର ଅ ।ଣିଥିବା ଆଉ ୨ ଟି ବିମାନ ସହ ଏହି ବିମାନ ୩ ଟି କୁ ନେଇ ଜାମସେଦପୁର, କୋଲକାତା ସହ ଜୟପୁର- ଭୁବନେଶ୍ୱର, ଜୟପୁର-ବିଶାଖାପାଟଣାକୁ ଚଳାଉଛି । ଯନ୍ତ୍ରାଂଶ ମରାମତି ନାଁରେ ଅଧିକାଂଶ ସମୟ ଜୟପୁର- ଭୁବନେଶ୍ୱର, ଜୟପୁର -ବିଶାଖାପାଟଣା ରୁଟର ବିମାନକୁ ବାତିଲ କରୁଛି । ଫଳରେ ଯାତ୍ରୀ ହନ୍ତସନ୍ତ ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *