ତାଲିକାରୁ ହଟିବ ୩୪ଠଠ ଅପରାଧ
ଜନ ବିଶ୍ୱାସ ବିଧେୟକ
ନୂଆଦିଲ୍ଲୀ, ୧୬ ।୭: କେନ୍ଦ୍ର ସରକାର ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଜନ ବିଶ୍ୱାସ (ସଂଶୋଧନ) ବିଲ୍ ଆଣିବେ । ବିଲ୍ରେ ଥିବା ପ୍ରସ୍ତାବ ଅନୁସାରେ ପ୍ରାୟ ୩୪୦୦ ସାମାନ୍ୟ ଧରଣର ବେଆଇନ କାର୍ଯ୍ୟକୁ ଅପରାଧ ଶ୍ରେଣୀରୁ ବାଦ୍ ଦିଆଯାଇ କେବଳ ଜରିମାନା ବ୍ୟବସ୍ଥା ରହିବ । ପ୍ରତି ୩ ବର୍ଷରେ ଜରିମାନା ପରିମାଣ ୧୦ ପ୍ରତିଶତ ବଢ଼ିବ । ଏହିସବୁ ଅପରାଧ ମଧ୍ୟରୁ ଅଧିକାଂଶ ବ୍ୟବସାୟ ଓ ଶିଳ୍ପ ସହ ସମ୍ପର୍କିତ । ବଏଲର୍ସ, ଆଧାର, ଲିଗାଲ୍ ମେଟ୍ରୋଲଜି, ଫାର୍ମାସି, ସିନେମାଟୋଗ୍ରାଫ୍, କପିରାଇଟ୍, ପେଟେଣ୍ଟ୍ସ, ପରିବେଶ, ମୋଟରଯାନ, ରେଳବାଇ, ଟ୍ରେଡ୍ମାର୍କ, ସୂଚନା ପ୍ରଯୁକ୍ତି, ଧନଶୋଧନ, ଖାଦ୍ୟ ନିରାପତ୍ତା ଆଦି ସମ୍ବନ୍ଧୀୟ ଅଧିନିୟମ ଏହାର ଅନ୍ତର୍ଭୁକ୍ତ ।
ଜନବିଶ୍ୱାସ ବିଲ୍-୨୦୨୨ରେ ୪୨ଟି ଆଇନର ୧୮୩ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ରହିଛି । ଏ ସମ୍ପର୍କରେ ୧୯ ମନ୍ତ୍ରାଳୟ ସହ ବିଚାର ବିମର୍ଶ କରାଯାଇଛି । ଏହି ବିଲ୍ ପ୍ରଥମେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ଗତବର୍ଷ ଡିସେମ୍ବର ୨୨ରେ ଲୋକସଭାରେ ଆଗତ କରାଯାଇଥିଲା । ଯୁଗ୍ମ ସଂସଦୀୟ କମିଟିକୁ ଏହି ବିଲ୍ ପଠାଯିବା ପୂର୍ବରୁ ସଂସଦର ଗତ ଅଧିବେଶନରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍ କହିଥିଲେ, ଦେଶରେ ଏପରି ଅନେକ ପୁରୁଣା ଆଇନ ଅଛି, ଯେଉଁଥିରେ ସାମାନ୍ୟ ଅପରାଧ ପାଇଁ ଦଣ୍ଡବିଧାନ କରାଯାଇଛି । ଏହାଫଳରେ ଲୋକଙ୍କୁ ବାରମ୍ବାର ଅଦାଲତଙ୍କ ଦ୍ୱାରସ୍ଥ ହେବାକୁ ପଡ଼ୁଛି । ଏହି ସବୁ ପୁରୁଣା ବ୍ୟବସ୍ଥା ଉଚ୍ଛେଦ କରାଗଲେ ଅଦାଲତ ଉପରୁ ବୋଝ କମିଯିବ ।
କେନ୍ଦ୍ର ସରକାର ମୌସୁମୀ ଅଧିବେଶନରେ ୨୨ଟି ବିଲ୍ ଆଗତ କରିବେ । ଜନବିଶ୍ୱାସ ବିଲ୍-୨୦୨୨ରେ କୁହାଯାଇଛି ଯେ, ଏହି ବିଲ୍ ପାସ୍ ହେଲେ ନିବେଶକଙ୍କ ବିଶ୍ୱାସ ବଢ଼ିବା ସହ ବ୍ୟବସାୟରେ ସୁବିଧା (ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍) ର୍ୟାଙ୍କିଙ୍ଗ୍ରେ ସୁଧାର ଆସିବ । ଛୋଟ ଛୋଟ ଅପରାଧ ପାଇଁ ଲୋକଙ୍କ ମନରୁ କାରାଦଣ୍ଡ ଭୟ ମଧ୍ୟ ଦୂର ହେବ ।
ରିପୋର୍ଟ ଅନୁଯାୟୀ, ୧୫୦ରୁ ଅଧିକ କର୍ମଚାରୀ ଥିବା ନିର୍ମାଣକାରୀ ସଂସ୍ଥାକୁ ବର୍ଷରେ ୫୦୦ରୁ ୯୦୦
ଆଇନ ଅନୁପାଳନ କରିବାକୁ ପଡ଼ିଥାଏ । ଏ ବାବଦରେ ପ୍ରତିବର୍ଷ କମ୍ପାନୀକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ।
ଜନବିଶ୍ୱାସ ବିଲ୍ର ଆବଶ୍ୟକତା ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜେପିସି ରିପୋର୍ଟରେ ପୂର୍ବରୁ ୪୨ ଆଇନରେ ଥିବା ୩୫ ହଜାରରୁ ଅଧିକ ନିୟମ ଅନୁପାଳନର ବୋଝ କମ୍ କରାଇବା ଓ ଆର୍ଥିକ ଦଣ୍ଡ ସହ ୩୪୦୦ ଆଇନକୁ ଅପରାଧମୁକ୍ତ କରାଇବା ପ୍ରସ୍ତାବ ଦିଆଯାଇଥିଲା । ଏଥିରୁ ପ୍ରାୟ ୩୦ଟି ଆଇନ ଶିଳ୍ପ ଓ ବ୍ୟାବସାୟିକ ସଂସ୍ଥା ସହ ସିଧାସଳଖ ସଂପୃକ୍ତ । ଉଦ୍ୟୋଗ ଅଧିନିୟମ, ଟ୍ରେଡ୍ ମାର୍କ ଅଧିନିୟମ, ଖାଦ୍ୟ ସୁରକ୍ଷା ଅଧିନିୟମ, ଆଇଟି ଅଧିନିୟମ ପ୍ରଭୃତିରେ ଉଚିତ ଦଣ୍ଡ ବିଧାନ ହେବା ଆବଶ୍ୟକ । ଏ ସମ୍ବନ୍ଧୀୟ ପ୍ରସ୍ତାବ ଜନବିଶ୍ୱାସ ବିଲ୍ରେ ଅଛି ।
ମୌସୁମୀ ଅଧିବେଶନରେ ଆସିବାକୁ ଥିବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକ ମଧ୍ୟରେ ଦିଲ୍ଲୀ ସେବା ସମ୍ବନ୍ଧୀୟ ଅଧ୍ୟାଦେଶ, ଡାଟା ପ୍ରୋଟେକ୍ସନ, ଜଙ୍ଗଲ ସଂରକ୍ଷଣ, ଜନ୍ମ ମୃତୁ୍ୟ ପଞ୍ଜୀକରଣ, ଡାକସେବା, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବ୍ୟାଙ୍କ ରାଷ୍ଟ୍ରୀୟ ଦନ୍ତ ଚିକିତ୍ସା ଆୟୋଗ ଏବଂ ରାଷ୍ଟ୍ରୀୟ ନର୍ସିଂ ଓ ମିଡ୍ୱାଇଫରୀ ଆୟୋଗ ଗଠନ ପ୍ରଭୃତି ଅନ୍ତର୍ଭୁକ୍ତ । ଏହିସବୁକୁ ବିରୋଧୀ ଦଳମାନେ ଅନେକ ଦିନ ହେଲା ବିରୋଧ କରିଆସୁଛନ୍ତି ।
ସଂସଦ ଅଧିବେଶନ ପାଇଁ ସୂଚୀବଦ୍ଧ ହୋଇଥିବା ଡିଜିଟାଲ୍ ଡାଟା ପ୍ରୋଟେକ୍ସନ୍ ବିଲ୍ ୨୦୧୯ ପରଠାରୁ ବହୁବାର ଆଗତ ହୋଇଛି । ଏହି ବିଲ୍ ଆଇନରେ ପରିଣତ ହେଲେ ବିଭିନ୍ନ ଆପ୍ ଦ୍ୱାରା ବ୍ୟକ୍ତିଗତ ଡାଟା ସଂଗ୍ରହ ବ୍ୟବସ୍ଥା ପ୍ରଭାବିତ ହେବ । କମ୍ପାନୀମାନେ ନିୟମ ଲଂଘନ କଲେ ମାମଲା ରୁଜୁ ହେବା ସହ ଜରିମାନା ଦଣ୍ଡ ଦିଆଯିବ ।
ଗବେଷଣା କ୍ଷେତ୍ରରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ନ୍ୟାସନାଲ୍ ରିସର୍ଚ୍ଚ ଫାଉଣ୍ଡେସନ (ଏନ୍ଆର୍ଏଫ୍) ବିଲ୍ ଆଣିବେ । ତେବେ କଂଗ୍ରେସ ଏହାକୁ ପୂର୍ବରୁ ବିରୋଧ କରିଆସିଛି ।
ଜୈବିକ ବିବିଧତା (ସଂଶୋଧନ) ବିଲ୍-୨୦୨୧କୁ ମଧ୍ୟ ଏଥର ଆଗତ କରାଯାଇପାରେ । ସଂସଦୀୟ କମିଟି ଦ୍ୱାରା ପ୍ରସ୍ତାବିତ ସଂଶୋଧନଗୁଡ଼ିକ ଉପରେ ରିପୋର୍ଟ ଦାଖଲ ପରେ ପ୍ରସ୍ତୁତ ଏହି ବିଲ୍ ପାସ୍ ହେଲେ ପାରମ୍ପରିକ ଭାରତୀୟ ଚିକିତ୍ସକ, ବୀଜ ଉଦ୍ୟୋଗୀ ତଥା ଗବେଷଣା ସଂଗଠନମାନେ ବାୟୋଲଜିକାଲ୍ ଡାଇଭର୍ସିିଟି ଆକ୍ଟ-୨୦୦୨ରେ ଥିବା କଟକଣାରୁ ମୁକ୍ତି ପାଇବେ ।