୭ ଘଣ୍ଟା ରେଳରୋକ
ପୋଲରେ ପାଣି ଜମିବା ପ୍ରତିବାଦରେ
ରାଇରଙ୍ଗପୁର,୧୬ ।୭ (ଆପ୍ର): ଟାଟା-ବାଦାମପାହାଡ଼ ମେମୁ ଟ୍ରେନ୍କୁ ରବିବାର ଗୋରୁମହିଷାଣୀ ଷ୍ଟେସନ ନିକଟ ବଡ଼ମୌଦାଠାରେ ଗ୍ରାମବାସୀ ପ୍ରାୟ ୭ ଘଣ୍ଟା ଅଟକ ରଖିଥିଲେ । ଗୋଳାପୋଲରେ ପାଣି ଜମି ରହୁଥିବା ସମସ୍ୟା ନେଇ କର୍ତ୍ତୃପକ୍ଷ ଦୃଷ୍ଟି ନ ଦେବା ପ୍ରତିବାଦରେ ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଛନ୍ତି ।
ବଡ଼ମୌଦା ଗ୍ରାମ ନିକଟ ରେଳଫାଟକ ପାଶ୍ୱର୍ରେ ଥିବା ଗୋଳାପୋଲରେ ସାମାନ୍ୟ ବର୍ଷାହେଲେ ୫ ଫୁଟ ଯାଏଁ ପାଣି ଘଣ୍ଟା ଘଣ୍ଟା ଧରି ଜମି ରହେ । ବଡ଼ମୌଦା ଗ୍ରାମ ସମେତ ହାତିଆ ପଞ୍ଚାୟତର ବିିଭିନ୍ନ ଗ୍ରାମର ଲୋକଙ୍କ ପାଇଁ ତାହା ଏକମାତ୍ର ରାସ୍ତା । ପାଣି ଜମି ରହୁଥିବାରୁ ଗାଁଗୁଡ଼ିକ ବାହ୍ୟଜଗତରୁ ବହୁ ସମୟ ଧରି ବିଚ୍ଛିନ୍ନ ହୋଇଯାଉଛି । ପ୍ରତିକାର ବିଧାନ ପାଇଁ ଗ୍ରାମବାସୀ ବହୁବାର ଗୋରୁମହିଷାଣୀ ଷ୍ଟେସନ ମାଷ୍ଟର, ଚକ୍ରଧରପୁର ରେଳ ଡିଭିଜନ୍ର ଡିଆର୍ଏମ୍ଙ୍କ ନିକଟରେ ଆପତ୍ତି କରିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।
ଏହାର ପ୍ରତିବାଦରେ ତଥା ଗୋଳାପୋଲ ନିର୍ମାଣ ଶେଷ ନ ହେବା ପର୍ଯ୍ୟନ୍ତ ରେଳଫାଟକକୁ ୨୪ ଘଣ୍ଟା ଖୋଲିବା ଦାବିରେ ଗ୍ରାମବାସୀ ଟାଟା-ବାଦାମପାହାଡ଼ ମେମୁ ଟ୍ରେନ୍କୁ ଗୋରୁମହିଷାଣୀ ଷ୍ଟେସନ୍ଠାରୁ ୩ କିମି. ଦୂରବର୍ତ୍ତୀ ବଡ଼ମୌଦା ଗ୍ରାମ ନିକଟରେ ପ୍ରାୟ ୭ ଘଣ୍ଟା ଅଟକ ରଖିଥିଲେ । ଷ୍ଟେସନ୍ ମାଷ୍ଟର, ରାଇରଙ୍ଗପୁର ଏସ୍ଡିପିଓ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚô ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚକ୍ରଧରପୁର ଡିଆର୍ଏମ୍, ଉପଜିଲ୍ଲାପାଳ ଓ ଗ୍ରାମବାସୀଙ୍କୁ ନେଇ ବୈଠକ ଡାକି ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନରୁ ଗ୍ରାମବାସୀ ଓହରିଥିଲେ ।