୧ଠ ଦଲାଲ ଗିରଫ

ପରୀକ୍ଷା ପୂର୍ବରୁ ସିଜିଏଲ୍ ପ୍ରଶ୍ନପତ୍ର ଡିଲ୍
ବାଲେଶ୍ୱର, ୧୬ ।୭ (ଆପ୍ର): ବିପୁଳ ଅର୍ଥ ବିନିମୟରେ ଚାକିରି ପ୍ରତିଶ୍ରୁତି ଦେଉଥିବା ଏକ ପ୍ରକାଣ୍ଡ ରାକେଟ୍ର ପର୍ଦ୍ଦାଫାସ ହୋଇଛି । ରାଜ୍ୟର ଶତାଧିକ ଆଶାୟୀ ଚାକିରି ପ୍ରାର୍ଥୀଙ୍କୁ ଠକିଥିବା ଅଭିଯୋଗରେ ପୁଲିସ ଜଣେ ମହିଳା ସମେତ ୧ଠ ଜଣ ଦଲାଲଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୧୫ଟି ମୋବାଇଲ୍ ଫୋନ୍, ଦସ୍ତଖତ କରାଯାଇଥିବା ବ୍ଲାଙ୍କ ଚେକ୍, ୩ ଜଣ ଚାକିରି ପ୍ରାର୍ଥୀଙ୍କ ଅରିଜିନାଲ୍ ସାର୍ଟିଫିକେଟ୍, ୬ଟି କାର୍, ଗୋଟିଏ ବସ୍ ଏବଂ ନଗଦ ୫୫୦୦ ଟଙ୍କା ଜବତ କରାଯାଇଛି ।
ଗିରଫ ହୋଇଥିବା ଦଲାଲମାନଙ୍କ ନାମ ପୁଲିସ ପକ୍ଷରୁ ପ୍ରକାଶ କରାଯାଇନାହିଁ । ତେବେ ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ଦଲାଲମାନଙ୍କ ନାମରେ ପୂର୍ବରୁ ବାଲୁଗାଁ, ଆସ୍କା ଓ ନିରାକାରପୁର ଥାନାରେ ଅପରାଧିକ ମାମଲା ଥିବା ସୂଚନା ମିଳିଛି ।
ଜବତ ହୋଇଥିବା ବସରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୦ରୁ ଅଧିକ ପରୀକ୍ଷାର୍ଥୀ ଥିଲେ । ସମସ୍ତଙ୍କୁ ପୁଲିସ ଅଟକ ରଖିଛି । ବାଲେଶ୍ୱର ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି ।
ଦଲାଲମାନେ ସରକାରୀ ଚାକିରି ଆଶାୟୀ ଯୁବକଯୁବତୀମାନଙ୍କ ସହ ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇଣ୍ଡ୍ ଗ୍ରାଜୁଏଟ ଲେଭଲ (ସିଜିଏଲ୍) ପ୍ରଶ୍ନପତ୍ର ଡିଲ୍ ବେଳେ ବିଶେଷସୂତ୍ରରୁ ଖବରପାଇ ସାଇବର ପୁଲିସ ଓ ତାଳସାରୀ ମେରାଇନ ପୁଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢ଼ଉ କରିଥିଲା । ଦୀଘାର ଏକ ଘରୋଇ ହୋଟେଲରେ ୧୦ଲକ୍ଷ ଟଙ୍କାରେ ପ୍ରଶ୍ନ ପତ୍ର ବିକ୍ରି ପାଇଁ ଡିଲ୍ ହେଉଥିଲା ।
ବାଲେଶ୍ୱର ଏସ୍ପି ସାଗରିକା ନାଥ ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦଲାଲମାନେ ସରକାରୀ ଚାକିରି ଆଶାୟୀମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ଓଜେଇଇ ମେନ୍ସ ଓ ସିଜିଏଲ୍-ଏସ୍ଏସ୍ସି ପରୀକ୍ଷାରେ ପାସ୍ କରାଇଦେବା ପ୍ରତିଶ୍ରୁତି ଦେଇଥିଲେ । ଡିଲ୍ ପାଇଁ ଚାକିରି ଆଶାୟୀଙ୍କୁ ବାଲେଶ୍ୱର ଆସିବା ଲାଗି କୁହାଯାଇଥିଲା । ଚାକିରି ବିନିମୟରେ ଆଶାୟୀଙ୍କଠାରୁ ୧୦ରୁ ୧୬ ଲକ୍ଷ ଟଙ୍କା ଚେକ୍ ମାଧ୍ୟମରେ ଆଦାୟ କରାଯାଉଥିଲା । କେତେକ ଦଲାଲ ଆଶାୟୀ ଚାକିରି ପ୍ରାର୍ଥୀଙ୍କଠାରୁ ଅରିଜିନାଲ୍ ସାର୍ଟିଫିକେଟ୍, ମୋବାଇଲ ନମ୍ବର ଓ ଦସ୍ତଖତ ଥିବା ବ୍ଲାଙ୍କ ଚେକ୍ ମଧ୍ୟ ସଂଗ୍ରହ କରିଥିଲେ । ଚାକିରି ପାଇବା ପରେ ଯେପରି ସେମାନଙ୍କଠାରୁ ଟଙ୍କା ଆଦାୟ କରାଯାଇପାରିବ, ସେଥିଲାଗି ଏଭଳି ପନ୍ଥା ସେମାନେ ଅବଲମ୍ବନ କରିଥିଲେ । ଏ ସଂପର୍କରେ ସହଦେବଖୁଣ୍ଟା ଥାନାରେ ରବିବାର ଏକ କେସ୍ ରୁଜୁ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *