ଦିଲ୍ଲୀ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର
ନୂଆଦିଲ୍ଲୀ, ୧୫ା୭: ଗତ ୪ ଦିନ ହେଲା ଯମୁନା ନଦୀର ବନ୍ୟା ଯୋଗୁଁ ଦିଲ୍ଲୀରେ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୁରୁବାରଠାରୁ ଯମୁନା ବିପଦସଙ୍କେତରୁ ପ୍ରାୟ ୩ ମିଟର ଉଚ୍ଚରେ ପ୍ରବାହିତ ହୋଇ ବ୍ୟାପକ ଅଞ୍ଚଳ ଜଳମଗ୍ନ କରିଥିଲା । ହନୁମାନ ମନ୍ଦିର, ଆଇଟିଓ, ସିଭିଲ୍ ଲାଇନ୍, ସୁପ୍ରିମ୍କୋର୍ଟ ନିକଟରେ ପାଣି ସୁଅ ଛୁଟି ଥିଲା । ଦୁଇଦିନ ଯମୁନା ୨୦୮.୬୬ ମିଟରରେ ପ୍ରବାହିତ ହେବା ପରେ ଶନିବାର ଜଳସ୍ତର ହ୍ରାସ ପାଇଛି । ସନ୍ଧ୍ୟା ସୁଦ୍ଧା ୨୦୬.୯୭ ମିଟରରେ ପ୍ରବାହିତ ହେଉଛି । ଏହା ବିପଦସଙ୍କେତଠାରୁ ପ୍ରାୟ ୧ ମିଟର ଅଧିକ । ହରିଆଣାର ହଥିନୀକୁଣ୍ଡ ବ୍ୟାରେଜ୍ରୁ ଜଳ ନିଷ୍କାସନ ଅବ୍ୟାହତ ରହିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଅନୁରୋଧ ସତ୍ତ୍ୱେ ବନ୍ୟାଜଳ ବନ୍ଦ ଲାଗି କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।
ଅନ୍ୟପକ୍ଷରେ ଉତ୍ତର ଦିଲ୍ଲୀର କାଶ୍ମୀର ଗେଟ୍ ଥାନା ଅନ୍ତର୍ଗତ ଧର୍ମସଂଘ ବିଦ୍ୟାଳୟ ଗୁରୁକୁଳରେ ୩ ଦିନ ହେଲା ଫଶି ରହିଥିବା ପ୍ରାୟ ୧୨ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ଉଦ୍ଧାରରେ ନିୟୋଜିତ ପୁଲିସ୍ କର୍ମୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଜଳପ୍ଲାବିତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ହୋଇଛି । କିନ୍ତୁ ବନ୍ୟା ଦୁର୍ଗତଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ବିଶେଷକରି ଖାଦ୍ୟ ଓ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୋଇଛି । ଉଦ୍ଧାର ଓ ସହାୟତାରେ ଶୁକ୍ରବାରଠାରୁ ଏନ୍ଡିଆର୍ଏଫ୍, ସେନା ଓ ସ୍ଥାନୀୟ ପୁଲିସ୍କୁ ନିୟୋଜିତ କରାଯାଇଛି । କେନ୍ଦ୍ରୀୟ ଦିଲ୍ଲୀ, ଆଇଟିଓ, ରାଜଘାଟ ଅଞ୍ଚଳରେ ଅଧିକ କ୍ଷତି ଘଟିଛି । ହନୁମାନ ମନ୍ଦିର, ଯମୁନା ବଜାର, ଗୀତା କଲୋନୀ, ସିଭିଲ୍ ଲାଇନ୍ରେ ବନ୍ୟାଜଳ ଏବେବି ଜମି ରହିଛି । ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି । ବନ୍ୟାଜଳ ନିଷ୍କାସନ ଲାଗି ଯମୁନା ବ୍ୟାରେଜ୍ର ୫ ଗେଟ୍ ଖୋଲିବା ଲାଗି ମୁଖ୍ୟମନ୍ତ୍ରୀ କେଜରୀୱାଲ ନିଦେ୍ର୍ଦଶ ଦେଇଛନ୍ତି । ଆଇଟିଓ ବ୍ୟାରେଜ୍ର କେତେକ ଗେଟ୍ ଖୋଲାଯାଇଛି । ସବୁ ଗେଟ୍ ରାତି ସୁଦ୍ଧା ଖୋଲାଯିବ ବୋଲି ମୁଖ୍ୟ କେଜରୀୱାଲ ସୂଚନା ଦେଇଛନ୍ତି । ଏହାସହିତ ବର୍ଷା ନ ହେଲେ ପରିସ୍ଥିତି ସୁଧୁରିଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କେଜରୀୱାଲ ଧୈର୍ଯ୍ୟ ଧରିବା ଲାଗି ଦିଲ୍ଲୀବାସୀଙ୍କୁ ନିବେଦନ କରିବା ସଙ୍ଗେ ସଙ୍ଗେ ବିପନ୍ନମାନଙ୍କୁ ରିଲିଫ୍ ସହାୟତା ଯୋଗାଇ ଦେବା ଲାଗି ନିଦେ୍ର୍ଦଶ ଦେଇଛନ୍ତି । ଜଳ ଘେରରେ ଥିବା ଲୋକଙ୍କୁ ରିଲିଫ୍ କ୍ୟାମ୍ପ୍କୁ ନିଆଯାଇଛି । ସନ୍ଧ୍ୟା ସୁଦ୍ଧା ପ୍ରାୟ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ରିଲିଫ୍ ଓ ଉଦ୍ଧାରରେ ନିୟୋଜିତ ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ନିଗମବୋଧ ଘାଟ, ସୁପ୍ରିମ୍କୋର୍ଟ ଓ କିଛି ଶ୍ମାଶନ ଅଞ୍ଚଳରେ ବନ୍ୟା ପାଣି ଜମି ରହିଛି । ୪,୫୦୦ରୁ ଅଧିକ ଟ୍ରାଫିକ୍ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବା ସହିତ ଟ୍ରାଫିକ୍ କଟକଣା କିଛି ମାତ୍ରାରେ କୋହଳ କରାଯାଇଛି । ରିଲିଫ୍ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ କରାଯାଇଥିବା କୁହାଯାଇଛି ।