ପୃଥିବୀ କକ୍ଷରେ ଚନ୍ଦ୍ରଯାନ
ଅଗଷ୍ଟ ୨୩ ସନ୍ଧ୍ୟାରେ ଲାଣ୍ଡିଂ
ଶ୍ରୀହରିକୋଟା, ୧୪ା୭: ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-୩ର ଉତକ୍ଷେପଣ ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି । ପୂର୍ବ ର୍ନିଦ୍ଧାରିତ ସମୟ ଅନୁସାରେ ଦିନ ୨ଟା ୩୫ରେ ଏଲ୍ଭିଏମ୍-୩ ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-୩ ।
ଇସ୍ରୋ ସୂଚନା ମୁତାବକ, ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇଛି । ଭୂପୃଷ୍ଠ ଛାଡିବାର ୧୬ ମିନିଟ ପରେ ୧୮୦ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି । ଆସନ୍ତା ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ ମିନିଟ୍ରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ହେବ, ଯାହା ଉପରେ ପୁରା ବିଶ୍ୱର ନଜର ରହିଛି ।
ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚୟନ କରିଛି ଇସ୍ରୋ । ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହେବ । ଏଥିସହ ପରୀକ୍ଷଣ ସଫଳ ହେଲେ ଭାରତକୁ ଭବିଷ୍ୟତରେ ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବା ଏବଂ ସେଠାରେ ଜୀବ ସତ୍ତା ଜାଣିବା ସହଜ ହୋଇଯିବ । ବିକ୍ରମ ଲ୍ୟାଣ୍ଡରରେ ଥିବା ·ରୋଟି ପେ-ଲୋଡ୍ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସଠିକ୍ ଦୂରତା ଚିହ୍ନଟ କରିବ, ଚନ୍ଦ୍ରପୃଷ୍ଠ କିପରି ଉତ୍ତାପକୁ ପ୍ରବାହିତ କରେ ସେ ବାବଦରେ ସୂଚନା ଦେବ । ପ୍ରଜ୍ଞାନ ରୋଭରରେ ଲାଗିଥିବା ଏକ୍ସ-ରେ ଏବଂ ଲେଜର୍ ଚନ୍ଦ୍ରପୃଷ୍ଠର କମ୍ପୋଜିସନ ବାବଦରେ ତଥ୍ୟ ପଠାଇବ ।
ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ପରେ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥନ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଅନ୍ତରୀକ୍ଷ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଏହା ବାସ୍ତବରେ ଭାରତ ପାଇଁ ଗର୍ବ ଓ ଗୌରବର ମୂହୁର୍ତ୍ତ । ଭାରତକୁ ଗର୍ବିତ କରିଥିବାରୁ ଇସ୍ରୋ ଟିମକୁ ଧନ୍ୟବାଦ ।
ଚନ୍ଦ୍ରଯାନ-୩ ସଫଳ ଉତକ୍ଷେପଣ ନେଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ମୁର୍ମୁ ଟୁଇଟ କରି ଲେଖିଛନ୍ତି ଯେ, ମହାକାଶ ଅନୁସନ୍ଧାନରେ ଭାରତ ସଫଳତାର ସହ ଚନ୍ଦ୍ରଯାନ-୩ ଲଞ୍ଚ କରିଛି । ଯେଉଁମାନେ ଏହି ସଫଳତା ହାସଲ କରିବାକୁ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସେମାନଙ୍କୁ ଅଭିନନ୍ଦନ । ଚନ୍ଦ୍ର ମିଶନର ସଫଳତା ପାଇଁ ମୋର ଶୁଭେଚ୍ଛା ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି । ସେ କହିଛନ୍ତି, ପ୍ରତି ଭାରତୀୟଙ୍କ ସ୍ୱପ୍ନ ଓ ଅଭିଳାଷକୁ ନେଇ ଉପରକୁ ଉଠିଛି ଚନ୍ଦ୍ରୟାନ-୩’ । ଏହି ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ଆମ ବୈଜ୍ଞାନିକଙ୍କ ନିରନ୍ତର ଉତ୍ସର୍ଗର ଉଦାହରଣ । ମୁଁ ସେହି ବୈଜ୍ଞାନିକଙ୍କ ଇଚ୍ଛାଶକ୍ତି ଓ ପ୍ରତିଭାକୁ ସଲାମ୍ କରୁଛି ।