ସୁପ୍ରିମ୍କୋର୍ଟରେ ୨ ନୂଆ ଜଜ୍
ନୂଆଦିଲ୍ଲୀ, ୧୪ା୭: ସୁପ୍ରିମ୍କୋର୍ଟରେ ଶୁକ୍ରବାର ଦୁଇ ଜଣ ନୂଆ ଜଜ୍ ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଓ ଜଷ୍ଟିସ୍ ଏସ୍ ଭେଙ୍କଟନାରାୟଣ ଭଟ୍ଟୀ ଶପଥ ନେଇଛନ୍ତି । ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଡିୱାଇ ଚନ୍ଦ୍ରଚୂଡ ଶୀର୍ଷ ଅଦାଲତର ସଭାଗାରରେ ଦୁଇ ନ୍ୟାୟଧୀଶଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି ଦୁଇ ବିଚାରପତିଙ୍କ ନିଯୁକ୍ତି ସହିତ ସୁପ୍ରିମ୍କୋର୍ଟରେ ଜଜ୍ ସଂଖ୍ୟା ୩୨ ହୋଇଛି । ତେବେ ଆହୁରି ୨ଟି ପଦ ଖାଲି ଅଛି ।
ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବୁଧବାର ନ୍ୟାୟମୂର୍ତ୍ତି ଭୂୟାଁ ଓ ନ୍ୟାୟମୂର୍ତ୍ତି ଭଟ୍ଟୀଙ୍କ ନିଯୁକ୍ତି ସମ୍ବନ୍ଧୀୟ ଘୋଷଣା କରିଥିଲେ । ଏହି ଦୁଇ ବିଚାରପତି ସୁପ୍ରିମ୍କୋର୍ଟରେ ନିଯୁକ୍ତ ହୁଅନ୍ତୁ ବୋଲି କଲେଜିୟମ ପକ୍ଷରୁ ଗତ ୫ ତାରିଖ ଦିନ ସ୍ଥିର କରାଯାଇଥିଲା । ଜଷ୍ଟିସ୍ ଭୂୟାଁ ଥିଲେ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି । ସେହିପରି ଜଷ୍ଟିସ୍ ଭଟ୍ଟୀ ଥିଲେ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ।