+୨ ଛାତ୍ରୀଙ୍କ ଗଳା କାଟି ହତ୍ୟା

ବଲାଙ୍ଗୀର, ୧୩ା୭(ଆପ୍ର): ଘରେ ପଶି ଜଣେ ନାବାଳିକା ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ବଲାଙ୍ଗିର ଜିଲ୍ଲା ନିଖିଲ ନଗରରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ନାବାଳିକାଙ୍କ ନାମ ଶେଷାଦ୍ରୀ ନାଗ ଓ ସେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁୁଥିଲେ ।
ସେଣ୍ଟ୍ରାଲ ସ୍କୁଲ ନିକଟ ନିଖିଳନଗରରେ ଶେଷାଦ୍ରୀଙ୍କ ପରିବାର ରହୁଛନ୍ତି । ଘରେ କେହି ନଥିବାର ସୁଯୋଗ ନେଇ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛି ଦୁର୍ବୃତ୍ତ । ବାପା ମା’ ଘରେ ପହଞ୍ଚି ଝିଅର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ । ସେମାନେ ପାଖ ପଡୋଶୀଙ୍କୁ ପଚରା ଉଚରା କରିବା ସହ ପୁଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୁଲିସ ଶବ ବ୍ୟବଚ୍ଛେଦ ଲାଗି ପଠାଇ ସାଇଣ୍ଟଫିକ୍ ଟିମ୍ ସହାୟତାରେ ତଦନ୍ତ ଚଳାଇଛି । ହତ୍ୟାର କାରଣ ଜଣାପଡ଼ି ନାହିଁ ।
ନିଖିଳନଗର ପଡାର ମକରଧ୍ୱଜ ନାଗ, ତାଙ୍କ ସ୍ତ୍ରୀ ଓ ପୁଅ ସବୁଦିନ ପରି ଗୁରୁବାର ସକାଳେ କାମକୁ ଯାଇଥିଲେ । ଗଲା ବେଳେ ଶେଷାଦ୍ରୀଙ୍କୁ ମଧ୍ୟାହ୍ନରେ ଭାତ ରାନ୍ଧି ଦେଇଆସିବା ପାଇଁ କହିଥିଲେ ମକରଧ୍ୱଜ । ଶେଷାଦ୍ରୀ ରୋଷେଇ କରିଥିଲେ । ମଧ୍ୟାହ୍ନରେ ଝିଅ ନ ଯିବାରୁ ମକରଧ୍ୱଜ ଓ ପତ୍ନୀ ଚିନ୍ତାରେ ପଡ଼ଥିଲେ । କାଳ ବିଳମ୍ବ ନ କରି ସେମାନେ ଘରକୁ ଫେରି ଚଟାଣରେ ରକ୍ତ ଲହଡି ମାରୁଥିଲା ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶେଷାଦ୍ରୀ ପଡ଼ିଥିବା ଦେଖିଥିଲେ । ତାଙ୍କ ବେକକୁ ପଛରୁ କଟାଯାଇଥିଲା । ପରିବାର ଲୋକଙ୍କ କାନ୍ଦ ବୋବାଳି ଶୁଣି ପଡ଼ୋଶୀମାନେ ପହଞ୍ଚି ଶେଷାଦ୍ରୀଙ୍କ ଶବ ଦେଖିଥିଲେ । ଟାଉନ୍‌ ଥାନାକୁ ଖବର ଦିଆଯାଇଥିଲା ।
ବଲାଙ୍ଗୀର ଏସ୍ପି ଋଷିକେଶ ଖିଲାରୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ପରିବାର ଲୋକେ ଶେଷାଦ୍ରୀଙ୍କ ଦୁଇ ଝିଅ ସାଙ୍ଗଙ୍କୁ ସନେ୍ଦହ କରୁଛନ୍ତି । ପ୍ରେମ ସମ୍ପର୍କ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ଆଲୋଚନା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *