ଆଜି ଚନ୍ଦ୍ରଯାନ ଲଞ୍ଚ୍

ବେଙ୍ଗଲୁରୁ, ୧୩ା୭: ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ପାଇଁ ଜୁଲାଇ ୧୪ ଏକ ଐତିହାସିକ ଦିନ । ଶୁକ୍ରବାର ଅପରାହ୍ଣ ୨ଟା ୩୫ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ର ହେବ ଉତ୍କ୍ଷେପଣ । ଏଥିପାଇଁ ଅବଗଣନା ଜାରି ରହିଛି । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଶ୍ରୀଧର ପାନିକର୍ ସୋମନାଥ କହିଛନ୍ତି, ଏପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଛି ।
ଏହି ମିଶନ ୧୦ ପର୍ଯ୍ୟାୟରେ ପୂର୍ଣ୍ଣାଙ୍ଗ ହେବ ଏବଂ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ରେ ଚନ୍ଦ୍ର ଉପରେ ଅବତରଣ କରିବ । ଚନ୍ଦ୍ରଯାନ-୩ ଲଞ୍ଚିଂ ପାଇଁ ଇସ୍ରୋ ଏଲ୍ଭିଏମ୍-୩ ଲଞ୍ଚର୍ର ଉପଯୋଗ କରିବ । ଏହା ଇସ୍ରୋର ହାଇଟେକ୍ ରକେଟ୍ ଯାହାର ସଫଳତା ହାର ଶତ ପ୍ରତିଶତ । ଏହାର ଓଜନ ୧୩୦ ହାତୀଙ୍କ ଓଜନ ସଙ୍ଗେ ସମାନ । ୪୩.୫ ମିଟର ଲମ୍ବ ଓ ୬.୪ ଲକ୍ଷ କେଜି ଓଜନ ବିଶିଷ୍ଟ ଏଲ୍ଭିଏମ୍-୩ ରକେଟ୍ ପୂର୍ବରୁ ୬ ଥର ଉତ୍କ୍ଷେପଣରେ ସଫଳତା ହାସଲ କରିଛି । ଇସ୍ରୋ ଏଥର ଲାଣ୍ଡର ଓ ରୋଭରର ନାମ ଦେଇନାହିଁ । ଚନ୍ଦ୍ର ଅଭିଯାନ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ସଫ୍ଟଲାଣ୍ଡିଂ କରିବ ।
ଏହି ମିଶନରେ ଯେପରି କୌଣସି ବାଧକ ସୃଷ୍ଟି ନ ହେବ, ସେଥିପାଇଁ ଶ୍ରୀହରିକୋଟାରେ କିଛିଦିନ ହେଲା ସବୁ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯାଇଛି ।
ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ ପାଇଁ ଇସ୍ରୋ ବୈଜ୍ଞାନିକମାନେ ଗତ ୧୧-୧୨ ତାରିଖ ଦିନ ରିହର୍ସଲ୍ କରିଥିଲେ । ରିହର୍ସଲ୍ରେ ସବୁ ବ୍ୟବସ୍ଥା ଠିକ୍ ରହିଥିଲା । ବହୁ ପ୍ରତୀକ୍ଷିତ ଏହି ମୁନ୍ ମିଶନର ସଫଳତା ପ୍ରାର୍ଥନା କରି ଗୁରୁବାର ଦେଶର ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରାଯାଇଛି । ଇସ୍ରୋ ବୈଜ୍ଞାନିକମାନେ ମଧ୍ୟ ଆନ୍ଧ୍ର ପ୍ରଦେଶର ଭିନ୍ନ ଭିନ୍ନ ମନ୍ଦିରରେ ପୂଜାପାଠ କରିଛନ୍ତି । ସେମାନଙ୍କର ଗୋଟିଏ ଟିମ୍ ଚନ୍ଦ୍ରଯାନ-୩ର ଏକ ମିନି ମଡେଲ୍ର ପୂଜାର୍ଚ୍ଚନା ପାଇଁ ତିରୁପତି ଭେଙ୍କଟଚଲପତି ମନ୍ଦିରକୁ ଯାଇଥିଲେ । ଇସ୍ରୋ ମୁଖ୍ୟ ବି ତିରୁପତିରେ ଶ୍ରୀ ଚଙ୍ଗଲମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *