ବନ୍ୟାରେ ଦିଲ୍ଲୀ ଉବୁଟୁବୁ
ନୂଆଦିଲ୍ଲୀ, ୧୩ା୭: ଯମୁନାର ଜଳସ୍ତର ବିପଦ ସଙ୍କେତ ୨୦୫ ମିଟର ଟପି ୨୦୮.୪୮ ମିଟର ଉପରେ ପ୍ରବାହିତ ହେବା ଫଳରେ ରାଷ୍ଟ୍ରୀୟ ରାଜଧାନୀରେ ଦେଖାଦେଇଛି ବନ୍ୟା । ବହୁ ଇଲାକା ୫ରୁ ୬ ଫୁଟ ଉଚ୍ଚ ପାଣିରେ ବୁଡି ରହିଛି । ଯମୁନା ନଦୀ ତଟବର୍ତ୍ତୀ ଅଞ୍ଚଳରୁ ୧୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ମହାନଗରୀରେ ଖୋଲାଯାଇଛି ୨୭୦୦ ରିଲିଫ୍ ଶିବିର । ଲାଲ୍ କିଲ୍ଲା, ଇଣ୍ଡିଆ ଗେଟ୍, ରିଙ୍ଗ୍ ରୋଡ୍ ପ୍ରଭୃତି ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି । ଏପରିକି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ବାସଭବନ ନିକଟକୁ ପହଞ୍ଚôଯାଇଛି ବନ୍ୟାଜଳ । ସୁଶ୍ରୁତ ଟ୍ରମା ସେଣ୍ଟର ଭିତରକୁ ବନ୍ୟାଜଳ ପ୍ରବେଶ କରିବାରୁ ସେଠାକାର ରୋଗୀଙ୍କୁ ଲୋକନାୟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ରାଜଧାନୀର କିଛି ଅଞ୍ଚଳରେ ବିଜୁଳି ସରବରାହକୁ ବନ୍ଦ ରଖାଯାଇଛି । ବନ୍ୟାଜଳ ଅଚାନକ ପ୍ରବେଶ କରିବାରୁ ୩ଟି ୱାଟର ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବନ୍ଦ ରହିବା ଫଳରେ ମହାନଗରୀରେ ପାନୀୟ ଜଳର ଅଭାବ ଦେଖାଦେବା ଆଶଙ୍କା ପ୍ରକାଶ ପାଇଛି । ଶୁକ୍ରବାରଠାରୁ ଯମୁନା ଜଳସ୍ତର କମିପାରେ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଶାସନ ଓ ପୁଲିସ୍କୁ ହାଇଆଲର୍ଟରେ ରଖାଯାଇଛି ।
ଦିଲ୍ଲୀ ସରକାର ଆଡ୍ଭାଇଜରୀ ଜାରି କରି ବାହାର ରାଜ୍ୟ ଲୋକଙ୍କୁ ଦିଲ୍ଲୀ ନ ଆସିବା ପାଇଁ ପରାମର୍ଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆର୍ଏଫ୍ର ୧୬ ଟିମ୍ ନିୟୋଜିତ ହୋଇଛି ।
ଦିଲ୍ଲୀରେ ଦୁଇଦିନ ହେଲା ବର୍ଷା ହୋଇନାହିଁ । ତା ସତ୍ତ୍ୱେ ହଥିନୀକୁଣ୍ଡ ବ୍ୟାରେଜ୍ରୁ ଅଧିକୁ ପାଣି ଛଡାଯିବା ଯୋଗୁଁ ଯମୁନା ଜଳସ୍ତର ବଢିଯାଇଛି । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, ଆଇଟିଓ ବ୍ରିଜ୍ ବ୍ୟାରେଜ୍ର ୫ଟି ଗେଟ୍ ଜାମ୍ ହେବା ଯୋଗୁଁ ଯମୁନାର ଉଦ୍ବୃତ୍ତ ବନ୍ୟାଜଳ ନିଷ୍କାସିତ ହୋଇପାରୁନାହିଁ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ନିଦେ୍ର୍ଦଶରେ ସେଗୁଡିକୁ ଆଧୁନିକ ପଦ୍ଧତିରେ ଖୋଲିବା ଉଦ୍ୟମ ଜାରି ରହିଛି । ଯଦି ନ ଖୋଲେ ଗ୍ୟାସ୍ କଟରରେ କାଟି ଦିଆଯିବ । ଆଇଟିଓ ବ୍ୟାରେଜ୍ ହରିଆଣା ସରକାରଙ୍କ ଅଧୀନରେ ଅଛି ।
ଯମୁନା ନଦୀରେ ଅଛି ୨ଟି ବ୍ୟାରେଜ୍ । ଗୋଟିଏ ଡେରାଡୁନ୍ର ଡାକପଥରଠାରେ, ଅନ୍ୟଟି ଯମୁନାନଗରର ହଥିନୀକୁଣ୍ଡଠାରେ । ହିମାଚଳ ଓ ହରିଆଣାରେ ପ୍ରବଳ ବର୍ଷା ହେଲେ ଯମୁନା ଜଳସ୍ତର ବଢିଥାଏ ଏବଂ ସେଥିରେ ଦିଲ୍ଲୀବାସୀ ପ୍ରଭାବିତ ହୋଇଥାନ୍ତି ।