ଅଶ୍ୱିନ ତୃତୀୟ ଭାରତୀୟ
୭୦୦+ ଆନ୍ତର୍ଜାତିକ ୱିକେଟ୍
ରୋସିଉ, ୧୩ା୭ (ଏଜେନ୍ସି): ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଟିମ୍ ଇଣ୍ଡିଆର ଅଫ୍ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନାମରେ ରହିଥିଲା । ସେ ତାଙ୍କ ଟେଷ୍ଟ କ୍ୟାରିଅରରେ ୩୩ତମ ଥର ୫ ୱିକେଟ୍ ନେଇଥିଲେ, ଯାହା ଫଳରେ କାରିବୀୟ ଟିମ୍ ମାତ୍ର ୧୫୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଗୋଟିଏ ଇନିଂସ୍ରେ ସର୍ବାଧିକ ୫ ବା ଏହାଠାରୁ ଅଧିକ ୱିକେଟ୍ ନେଇଥିବା ବୋଲର୍ଙ୍କ ମଧ୍ୟରେ ଅଶ୍ୱିନ ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ଙ୍କୁ ପଛରେ ପକାଇଛନ୍ତି ।
ଅଶ୍ୱିନ ଆନ୍ତର୍ଜାତିକ କ୍ରିକେଟ୍ରେ ୭୦୦ ୱିକେଟ୍ ପୂରଣ କରିଛନ୍ତି । ଏହା ସହିତ ସେ ସର୍ବାଧିକ ବୋଲ୍ଡ ଆଉଟ୍ (୯୬ ଥର) କରିଥିବା ଭାରତୀୟ ହୋଇପାରିଛନ୍ତି । ସେ ଅନିଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଛନ୍ତି ।
ଅଶ୍ୱିନଙ୍କ ୭୦୨ ଆନ୍ତର୍ଜାତିକ ୱିକେଟ୍
ଅଶ୍ୱିନ ପ୍ରଥମ ଇନିଂସ୍ରେ ୫ ୱିକେଟ୍ ନେବା ସହ ତାଙ୍କ ଆନ୍ତର୍ଜାତିକ ୱିକେଟ୍ ସଂଖ୍ୟା ୭୦୨ରେ ପହଞ୍ଚିଛି । ତିନି ଫର୍ମାଟ୍ରେ ସର୍ବାଧିକ ୱିକେଟ୍ ହାସଲକାରୀଙ୍କ ତାଲିକାରେ ସେ ୧୬ତମ ସ୍ଥାନରେ ପହଞ୍ଚିଛନ୍ତି । ଏଥିରେ ଶ୍ରୀଲଙ୍କାର ପୂର୍ବତନ ସ୍ପିନର୍ ମୁଥୟା ମୁରଲୀଧରନ୍ ୧୩୪୭ ୱିକେଟ୍ ସହ ସର୍ବାଗ୍ରେ ଅଛନ୍ତି । ଏହାପରେ ଅଷ୍ଟ୍ରେଲିଆର ଦିବଙ୍ଗତ ସ୍ପିନର୍ ଶେନ୍ ୱାର୍ନ (୧୦୦୧) ଓ ଇଂଲଣ୍ଡର ପେସର୍ ଜେମ୍ସ ଆଣ୍ଡରସନ୍ (୯୭୫)ଙ୍କ ସ୍ଥାନ ଆସୁଛି ।
ଅଶ୍ୱିନ ଦକ୍ଷିଣ ଆଫ୍ରିକାର ପୁରୁଖା ପେସର୍ ଡେଲ୍ ଷ୍ଟେନ୍ (୬୯୯ ୱିକେଟ୍)ଙ୍କୁ ପଛରେ ପକାଇଛନ୍ତି । ସେ ୭୦୦+ ୱିକେଟ୍ ନେବାରେ ତୃତୀୟ ଭାରତୀୟ ବୋଲର୍ । ତାଙ୍କ ପୂର୍ବରୁ ଅନିଲ କୁମ୍ବଲେ (୯୫୬ ୱିକେଟ୍) ଓ ହରଭଜନ ସିଂହ (୭୧୧ ୱିକେଟ୍) ଏହି ସଫଳତା ହାସଲ କରିସାରିଛନ୍ତି ।
୩୩ ଥର ଇନିଂସ୍ରେ ୫ ୱିକେଟ୍
ଅଶ୍ୱିନ ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ଥର ୫ ୱିକେଟ୍ ନେଇଥିବା ବୋଲର୍ଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛନ୍ତି । ସେ ୯୩ ଟେଷ୍ଟର ୩୩ ଇନିଂସ୍ରେ ୫ ବା ଏହାଠାରୁ ଅଧିକ ୱିକେଟ୍ ନେଇଛନ୍ତି । ସେ ଇଂଲଣ୍ଡର ପେସର୍ ଜେମ୍ସ ଆଣ୍ଡରସନ୍ (୩୨ ଇନିଂସ୍)ଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ବି ମୁରଲୀଧରନ୍ ସବୁଠାରୁ ଆଗରେ ରହିଛନ୍ତି । ସେ ୬୭ ଥର ଏହି ସଫଳତା ପାଇଛନ୍ତି ।
ସର୍ବାଧିକ ବୋଲ୍ଡ କରିଥିବା ଭାରତୀୟ
ଅଶ୍ୱିନ ଯୁବ ଖେଳାଳି ତେଜନାରାୟଣ ଚନ୍ଦ୍ରପଲ୍ଙ୍କୁ ବୋଲ୍ଡ କରି ଇନିଂସ୍ରେ ପ୍ରଥମ ୱିକେଟ୍ ନେଇଥିଲେ । ଏହା ସହ ସେ ଟେଷ୍ଟ କ୍ରିକେଟ୍ରେ ବୋଲ୍ଡରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ବୋଲର୍ ହୋଇପାରିଛନ୍ତି । ସେ ୯୬ ବୋଲ୍ଡ କରି ପୂର୍ବତନ ସ୍ପିନର୍ ଅନିଲ କୁମ୍ବଲେ (୯୪ ବୋଲ୍ଡ)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ସର୍ବାଧିକ ବୋଲ୍ଡ ରେକର୍ଡ ବି ମୁରଲୀଧରନଙ୍କ ନାମରେ ରହିଛି । ସେ ୧୩୩ ମ୍ୟାଚ୍ରେ ୧୬୭ ୱିକେଟ୍ ବୋଲ୍ଡ କରି ନେଇଛନ୍ତି । ଓଭର୍ଅଲ୍ ଖେଳାଳିଙ୍କ ମଧ୍ୟରେ ଅଶ୍ୱିନ ୧୧ତମ ସ୍ଥାନରେ ରହିଛନ୍ତି ।