ଦିଲ୍ଲୀ ବନ୍ୟା ସ୍ଥିତି ସାଂଘାତିକ
ନୂଆଦିଲ୍ଲୀ, ୧୪ା୭: ତିନି ଦିନ ହେଲା ଦିଲ୍ଲୀରେ ବର୍ଷା ହୋଇନି । ଯମୁନାର ଜଳସ୍ତର ମଧ୍ୟ ଧୀରେ ଧୀରେ କମୁଛି । ତଥାପି ରାଜଧାନୀ ଦିଲ୍ଲୀର ବନ୍ୟାସ୍ଥିତିରେ ସୁଧୁରୁନାହିଁ । ଶୁକ୍ରବାର ରାଜଘାଟରେ ବନ୍ୟାଜଳ ପ୍ରବେଶ କରିଛି । ଜବାହାରଲାଲ୍ ନେହରୁ, ଲାଲ୍ବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ ଆଦି ଅନେକ ନେତାଙ୍କ ସ୍ମାରକସ୍ଥଳରେ ବନ୍ୟା ଜଳ ପ୍ରବେଶ କରିଛି । ଏପରିକି ସୁପ୍ରିମ୍କୋର୍ଟ ପାଖକୁ ଚାଲିଆସିଛି ବନ୍ୟାଜଳ ।
ଇତିମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ଉତ୍ତର-ପଶ୍ଚିମ ଜିଲ୍ଲାର ମୁକୁନ୍ଦପୁର ନିକଟରେ ୩ ଜଣ ନାବାଳକ ବନ୍ୟାଜଳରେ ବୁଡି ପ୍ରାଣ ହରାଇଛନ୍ତି । ମୃତକମାନେ ହେଉଛନ୍ତି ପୀୟୂଷ (୧୩), ନିଖିଲ (୧୦) ଓ ଆଶିଷ (୧୩) । ମୁକୁନ୍ଦପୁର ଅଞ୍ଚଳରେ ଏକ ର୍ନିମାଣାଧୀନ ସ୍ଥାନ ନିକଟରେ ଥିବା ବଡ଼ ଗାତ ବନ୍ୟାଜଳରେ ଭରି ଯାଇଛି । ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏହି ତିନି ଜଣ ନାବାଳକ ଗାଧୋଇବା ଉଦେ୍ଦଶ୍ୟରେ ଉକ୍ତ ବନ୍ୟାଜଳ ଭର୍ତ୍ତି ଉକ୍ତ ଗାତକୁ ଡେଇଁ ପଡ଼ିଥିଲେ । ତେବେ ସେମାନେ ସେଥିରେ ବୁଡ଼ି ଯାଇଥିଲେ ।
ବନ୍ୟାଜଳ ଘେରରେ ନିଗମବୋଧ ଶ୍ମଶାନ ଘାଟ ଥିବାରୁ ଶ୍ମଶାନକୁ ବନ୍ଦ କରିଦିଆଯାଇଛି । ଗୁରୁବାର ଯମୁନା ନଦୀର ଜଳସ୍ତର ୪୫ ବର୍ଷର ରେକର୍ଡ ଭାଙ୍ଗିଥିଲା । ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର କମି ୨୦୮.୧୭ ମିଟର ରହିଛି । ତଥାପି ଏହା ବିପଦସଙ୍କେତଠାରୁ ୩ ମିଟର ଅଧିକ । ତଳିଆ ଅଞ୍ଚଳର ଲୋକମାନେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି । ବନ୍ୟା ଯୋଗୁଁ ରାଜଧାନୀରେ ଯାତାୟତ ଗୁରୁତରଭାବେ ପ୍ରଭାବିତ ହୋଇଛି । ଅଧିକାଂଶ ମୁଖ୍ୟ ରାସ୍ତା ଉପରେ ପାଣି ସୁଅ ଛୁଟିଛି ।
ଦିଲ୍ଲୀ ବନ୍ୟାକୁ ନେଇ ଆପ୍ ପକ୍ଷରୁ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଅଣାଯାଇଛି । ଆପ୍ ସାଂସଦ ସଂଜୟ ସିଂହ କହିଛନ୍ତି, ଦିଲ୍ଲୀ ବନ୍ୟା ବିଜେପିର ଷଡଯନ୍ତ୍ର । ସେ ଏ ସମ୍ବନ୍ଧରେ ଏକ ଭିଡିଓ ସେୟାର କରି ପଚାରିଛନ୍ତି, ବିଜେପି ଦିଲ୍ଲୀ ଲୋକଙ୍କୁ ବନ୍ୟାରେ ମାରି ନିଜ ପରାଜୟର ବଦ୍ଲା ନେବାକୁ ଚାହୁଁଛି କି?