ଟିମ୍ ଇଣ୍ଡିଆର ଆଧିପତ୍ୟ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ, ଦ୍ୱିତୀୟ ଦିବସ
ରୋସିଉ, ୧୩ା୭ (ଏଜେନ୍ସି): ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର୍ଙ୍କ ପରେ ବ୍ୟାଟର୍ଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି । ଦ୍ୱିତୀୟ ଦିନ ରିପୋର୍ଟ ଲେଖା ବେଳକୁ ଟିମ୍ ଇଣ୍ଡିଆ ୬୩ ଓଭର୍ ଖେଳି କୌଣସି ୱିକେଟ୍ ନ ହରାଇ ୧୬୯ ରନ୍ ସଂଗ୍ରହ କରିଥିଲା । ଯଶସ୍ୱୀ ଜୟସ୍ୱାଲ ୭୮ ଓ ଅଧିନାୟକ ରୋହିତ ଶର୍ମା ୭୫ ରନ୍ କରି କ୍ରିଜ୍ରେ ଥିଲେ ।
ଭାରତୀୟ ଟିମ୍ ଗୁରୁବାର ୮୦/୦ ସ୍କୋର୍ରୁ ଅସମାପ୍ତ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ଉଭୟ ଓପନର୍ – ଯଶସ୍ୱୀ ଓ ରୋହିତ ଅନାୟାସରେ ଇନିଂସ୍କୁ ଆଗେଇ ନେଇଥିଲେ । ନବାଗତ ଯଶସ୍ୱୀ ୧୦୪ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ରୋହିତ ମଧ୍ୟ ୧୦୬ ବଲ୍ରୁ ଅର୍ଦ୍ଧଶତକ ଲଗାଇଥିଲେ । ଏହା ତାଙ୍କର ୧୫ତମ ଅର୍ଦ୍ଧଶତକ । ଭୋଜନକାଳ ବିରତି ସୁଦ୍ଧା ଟିମ୍ କୌଣସି ୱିକେଟ୍ ନ ହରାଇ ୧୪୬ ରନ୍ କରିଥିଲା । ଦ୍ୱିତୀୟ ସତ୍ରର ଆରମ୍ଭରେ ଭ୍ରମଣକାରୀ ଟିମ୍ ଇନିଂସ୍ ଅଗ୍ରଣୀ ଲାଭ କରିଥିଲା ।
ରୋହିତ ଇତ୍ୟବସରେ ଟେଷ୍ଟରେ ୩୫୦୦ ରନ୍ ପୂରଣ କରିଥିଲେ । ଏତଦ୍ଭିନ୍ନ, ୧୭ ବର୍ଷ ପରେ ଭାରତୀୟ ଓପନର୍ ଶତକୀୟ ଭାଗୀଦାରୀ କରିଛନ୍ତି । ଏହା ପୂର୍ବରୁ ୨୦୦୬ରେ ବୀରେନ୍ଦ୍ର ସେହ୍ୱାଗ ଓ ୱାସିମ ଜାଫରଙ୍କ ମଧ୍ୟରେ ଶତକୀୟ ଭାଗୀଦାରୀ ହୋଇଥିଲା ।
ପ୍ରଥମ ଦିନ ୱେଷ୍ଟଇଣ୍ଡିଜ୍ ଟିମ୍ ପ୍ରଥମ ଇନିଂସ୍ରେ ମାତ୍ର ୧୫୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଆୟୋଜକ ଟିମ୍ ପକ୍ଷରୁ ନବାଗତ ଆଲିକ୍ ଆଥନାଜ ସର୍ବାଧିକ ୪୭ ରନ୍ କରିଥିବା ବେଳେ ଅଧିନାୟକ କ୍ରେଗ୍ ବ୍ରାଥ୍ୱେଟ୍ ୨୯ ଓ ତେଜନାରାୟଣ ଚନ୍ଦ୍ରପଲ୍ ୧୨ ରନ୍ର ଇନିଂସ୍ ଖେଳିଥିଲେ ।
ଭାରତ ପକ୍ଷରୁ ଅଫ୍ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ସର୍ବାଧିକ ୫ ୱିକେଟ୍ ଅକ୍ତିଆର କରିଥିବା ବେଳେ ବାମହାତି ସ୍ପିନର୍ ରବୀନ୍ଦ୍ର ଜାଡ଼େଜା ୩ ଏବଂ ମହମ୍ମଦ ସିରାଜ ଓ ଶାର୍ଦ୍ଦୂଳ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।