ପୁଲିସ୍ ଲାଠିରେ ବିଜେପି ନେତାଙ୍କ ମୃତୁ୍ୟ
ପାଟନା: ବିଧାନସଭା ମାର୍ଚ ବେଳେ ଅଘଟଣ
ସାଂସଦ ସମେତ ଅନେକ କର୍ମୀ ଲହୁଲୁହାଣ
ପାଟନା, ୧୩ା୭: ବିହାର ରାଜଧାନୀ ପାଟନାରେ ସରକାରଙ୍କ ବିରୋଧରେ ଗୁରୁବାର ବିଧାନସଭା ମାର୍ଚ କରୁଥିବା ବିଜେପି ନେତା ଓ କର୍ମୀମାନଙ୍କ ଉପରେ ପୁଲିସ୍ ଲାଠିଚାର୍ଜ କରିଛି । ଲାଠି ମାଡରେ ବହୁ ନେତା ଓ କର୍ମୀ ଲହୁଲୁହାଣ ହୋଇଛନ୍ତି । ଜଣେ ନେତାଙ୍କ ମୃତୁ୍ୟ ଘଟିଛି । ୱାଇ ସିକୁ୍ୟରିଟିରେ ଥିବା ମହାରାଜଗଞ୍ଜ ସାଂସଦ ଜନାର୍ଦ୍ଦନ ସିଗ୍ରୀୱାଲ ମଧ୍ୟ ଲାଠି ମାଡରେ ଆହତ ହୋଇଛନ୍ତି । ପ୍ରତିବାଦରେ ଦଳର ଅନେକ ବିଧାୟକ ବିଧାନସଭା ପରିସରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ଶୁକ୍ରବାର ବିଜେପି ରାଜଭବନ ମାର୍ଚ କରିବ । ଗାନ୍ଧୀ ମୈଦାନରେ ବିଜେପି ନେତା ଓ କର୍ମୀମାନେ ସମବେତ ହୋଇ ବିଧାନସଭା ଅଭିମୁଖେ ପଦଯାତ୍ରାରେ ଯାଉଥିବାବେଳେ ଡାକବଙ୍ଗଳା ଛକ ଠାରେ ପୁଲିସ୍ ସେମାନଙ୍କୁ ଘେରିଯାଇ ଲାଠି ଚାର୍ଜ କରିଥିଲା । ସେମାନଙ୍କ ଉପରେ ମଧ୍ୟ ପାଣିମାଡ କରାଯାଇଥିଲା । ଦଳର ବହୁ ବିଧାୟକ ଗୁରୁତରଭାବେ ଆହତ ହୋଇଛନ୍ତି । ପୁଲିସ୍ ମହିଳା କର୍ମୀଙ୍କୁ ମାଡ ଦେବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ଜହାନବାଦର ବିଜେପି ଜିଲ୍ଲା ମହାସଚିବ ବିଜୟ କୁମାର ସିଂହ ପୁଲିସ୍ ଲାଠି ମାଡରେ ପ୍ରାଣ ହରାଇଥିବା ଖବର ଆସିଛି । ଏ ସମ୍ପର୍କରେ ବିଜେପି ନେତା ସୁଶୀଲ ମୋଦି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ବିଜୟ କୁମାର ସିଂହ ଲାଠିମାଡରେ ରାସ୍ତାରେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗି ଥିଲା । ପଡିଯିବା ପରେ ମଧ୍ୟ ତାଙ୍କ ଉପରେ ପୁଲିସ୍ ଲାଠିବର୍ଷା କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନର୍ସିଂ ହୋମ୍କୁ ପଠାଗଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଜମି ବିନିମୟରେ ଚାକିରି ଘୋଟାଲା ମାମଲାରେ ସିବିଆଇ ତେଜସ୍ୱୀ ଯାଦବଙ୍କୁ ଅଭିଯୁକ୍ତ ତାଲିକାଭୁକ୍ତ କରିଥିବାରୁ ତେଜସ୍ୱୀଙ୍କ ଇସ୍ତଫା ଦାବିରେ ପଦଯାତ୍ରା କରାଯାଇଥିଲା । ଏହାସହିତ ଶିକ୍ଷକ ନିଯୁକ୍ତି ନିୟମରେ ହୋଇଥିବା ପରିବର୍ତ୍ତନଗୁଡିକର ପ୍ରତ୍ୟାହାର କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଥିଲା ।