ଟ୍ରେନ୍ ଧକ୍କାରେ ୨ ମାଈହାତୀ ମୃତ
ଭଗାମୁଣ୍ଡା, ୧୧ା୭ (ଆପ୍ର): କେନ୍ଦୁଝର ଜିଲ୍ଲା ଦୈତାରୀ ରେଞ୍ଜ ଅନ୍ତର୍ଗତ ଟାଙ୍ଗିରିଆପାଳ ଷ୍ଟେସନ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଧ୍ୟବର୍ତ୍ତି ଟ୍ରେନ୍ ଲାଇନରେ ଦୁଇଟି ମାଈହାତୀର ମୃତୁ୍ୟ ହୋଇଛି । ଘଟଣା ସ୍ଥଳରେ ବନବିଭାଗ ଓ ରେଳ ବିଭାଗର ଅଧିକାରୀ ପହଞ୍ଚିି ତଦନ୍ତ ଜାରି ରଖିଛନ୍ତି । ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଚାଲିଥିଲେ ମଧ୍ୟ ସରକାରଙ୍କ ହାତୀ ସୁରକ୍ଷା ପ୍ରତି ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଦୈତାରୀ ରେଞ୍ଜ ଅନ୍ତର୍ଗତ ଟାଙ୍ଗିରିଆପାଳ ଷ୍ଟେସନ ନିକଟ ଆମ୍ବଧରା ନାଳ ଓ କୋଠଘାଟି ମଧ୍ୟବର୍ତ୍ତି ଟ୍ରେନ୍ଲାଇନ୍ ନିକଟରେ ଏକ ମାଈହାତୀ ମରି ପଡ଼ିଥିବା ଖବର ପାଇ ଆନନ୍ଦପୁର ଡିଏଫ୍ଓ ଅଭୟ କୁମାର ଦଳେଇ ଓ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ସମୟରେ
କିଛିବାଟ ଦୂରରେ ଅନ୍ୟ ଏକ ମାଈହାତୀର ମଧ୍ୟ ମୃତୁ୍ୟ ଘଟିଥିବା ଜଣା ପଡ଼ିଥିଲା । ଗତ ରାତି ପ୍ରାୟ ୯ଟା ସମୟରେ ୫ ଟିିକିଆ ହାତୀପଲ ଟ୍ରେନ୍ ଲାଇନ୍ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍ ହାତୀପଲଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରୁ ଗୋଟିଏ ହାତୀ ପ୍ରାୟ ୨୦ ଫୁଟ ଦୂରକୁ ଛିଟିକି ପଡ଼ି ମୃତୁ୍ୟବରଣ କରିଥିିବା ବେଳେ ଅନ୍ୟ ହାତୀଟି ପାଖାପାଖି ୫୦ ଫୁଟ ତଳକୁ ଖସିପଡ଼ି ମରିପଡ଼ିଥିବା ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଏକ ମାଈ ହାତୀ ମଧ୍ୟ ଆହତ ହୋଇଛି । ଗତ ରାତିରେ ହାତୀପଲଙ୍କ ଗତିପଥ ସମ୍ପର୍କରେ ସ୍ଥାନୀୟ ଫରେଷ୍ଟର ରେଳ ବିଭାଗକୁ ଖବର ଦେବା ସହ ଟ୍ରେନ୍ର ଗତି କମ୍ କରିବା ଏବଂ ଜୋରରେ ହର୍ଣ୍ଣ ବଜାଇବା ପାଇଁ ସୂଚନା ଦେଇଥିଲେ । ମାତ୍ର ସ୍ଥାନୀୟ ଲୋକଙ୍କ କହିବା ଆନୁଯାୟୀ, ଉକ୍ତ ମାଲବାହୀ ଟ୍ରେନଟି ଦ୍ରୁତ ଗତିରେ ଆସି ହାତୀପଲଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଏଭଳି ଦୁର୍ଘଟଣା ଘଟିଛି । ତେବେ ଏଭଳି ଘଟଣା ରାଜ୍ୟରେ ବାରମ୍ବାର ଘଟୁଥିଲେ ମଧ୍ୟ ହାତୀ ମୃତୁ୍ୟ ରୋକିବା ପାଇଁ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ କେତେବେଳେ ବିଦୁ୍ୟତ୍ ଆଘାତ ତ ଆଉ କେତେବେଳେ ଟ୍ରେନ୍ ଧକ୍କାରେ ଅକାଳରେ ଚାଲିଯାଉଛି ମୂଲ୍ୟବାନ ହାତୀଙ୍କ ଜୀବନ । ଘଟଣା ଘଟିବା ପରେ ବନ ବିଭାଗ ଓ ରେଳ ବିଭାଗ ପରସ୍ପର ମଧ୍ୟରେ ଦୋଷାରୋପ କରି ଚାଲିଥିବା ବେଳେ ହାତୀ ମୃତୁ୍ୟ ଉପରେ କେବେ ରୋକ ଲାଗିବ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।