ବେଙ୍ଗଲୁରୁରେ ଡବଲ ମର୍ଡର ଟେକ୍ କମ୍ପାନୀ ଏମ୍ଡି,  ସିଇଓଙ୍କୁ ହତ୍ୟା

ବେଙ୍ଗାଲୁରୁ, ୧୧ା୭: ମଙ୍ଗଳବାର ବେଙ୍ଗାଲୁରୁରେ ଚାଞ୍ଚଲ୍ୟକର ଡବଲ ମର୍ଡର ହୋଇଛି । ଏରୋନିକ୍ସ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀର ପରିଚାଳନା ନିଦେ୍ର୍ଦଶକ ଫଣୀନ୍ଦ୍ର ସୁବ୍ରମଣ୍ୟମ ଓ ସିଇଓ ବିନୁ କୁମାରଙ୍କୁ କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ ହତ୍ୟା କରିଛି । ଫିଲିକ୍ସ ନାମକ ଅଭିଯୁକ୍ତ ଖଣ୍ଡାରେ ହାଣି କମ୍ପାନୀର ଦୁଇ ତୁଙ୍ଗ ଅଧିକାରୀଙ୍କୁ ଲହୁଲୁହାଣ କରିଥିଲା । ହସ୍ପିଟାଲ ନିଆଯିବା ବାଟରେ ଦୁହେଁଙ୍କର ମୃତୁ୍ୟ ହୋଇଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡିଛି । ହତ୍ୟାକାଣ୍ଡ ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଅଭିଯୁକ୍ତ ଫେଲିକ୍ସକୁ ଧରିବା ପାଇଁ ପୁଲିସ୍ ଅଭିଯାନ ଜାରି ରଖିଛି ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଫେଲିକ୍ସକୁ କିଛି ମାସ ପୂର୍ବେ କମ୍ପାନୀ ଚାକିରିରୁ ବହିଷ୍କାର କରାଯାଇଥିଲା । ଚାକିରି ଯିବା ପରେ ସେ ନିଜେ ଏକ ବ୍ୟବସାୟ ଆରମ୍ଭ କରିଥିଲା । କିନ୍ତୁ କମ୍ପାନୀର ଦୁଇ ମୁଖ୍ୟ ଫେଲିକ୍ସର ବ୍ୟବସାୟରେ ବିଭ୍ରାଟ ସୃଷ୍ଟି କରୁଥିଲେ । ମଙ୍ଗଳବାର ଫେଲିକ୍ସ ଗୋଟିଏ ଧାରୁଆ ଖଣ୍ଡା ସହ ଏରୋନିକ୍ସ୍ ମିଡିଆ କମ୍ପାନୀ କାର୍ଯ୍ୟାଳୟକୁ ପସି ଅଚାନକ ଆକ୍ରମଣ କରିଥିଲା । ଆକ୍ରମଣ ବେଳେ ଏମ୍ଡି ଓ ସିଇଓ ନିଜ ନିଜ କ୍ୟାବିନ୍ରେ ଥିଲେ । ସନ୍ଧ୍ୟା ୪ଟା ବେଳେ ଏହି କାଣ୍ଡ ଘଟିଛି । ଏମ୍ଡି ଓ ସିଇଓ ପ୍ରାଣରକ୍ଷା ପାଇଁ ଅଫିସ୍ ଛାଡି ଦୌଡିବାକୁ ଲାଗିଥିଲେ । ଫେଲିକ୍ସି ଦୁହିଁଙ୍କୁ ଗୋଡାଇ ଗୋଡାଇ ଚୋଟ ମାରିଥିଲା ।
ଏରୋନିକ୍ସ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ୨୦୨୨ରେ ଗଢାଯାଇଥିଲା । ବେଙ୍ଗାଲୁରୁରେ ଏହାର ପଞ୍ଜୀକୃତ କାର୍ଯ୍ୟାଳୟ ଅଛି । ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଏହି କମ୍ପାନୀ କାର୍ଯ୍ୟ କରୁଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *