କୁଆଖାଇରେ ବୁଡ଼ିଗଲେ ୪ ସାଙ୍ଗ
ବାଲିଅନ୍ତା, ୧୧ା୭(ଆପ୍ର): ବାଲିଅନ୍ତା ଥାନା ବଇଁଚୁଆ ପଞ୍ଚାୟତ ଅଧୀନ ଧବଳାହାର ସ୍ଥିତ କୁଆଖାଇ ନଦୀରେ ଗାଧୋଇବାକୁ ଆସି ଆଜି ୪ ଜଣ ଛାତ୍ରଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ସଂକଟାପର୍ଣ୍ଣ ଅଛି । ଦୁଇଜଣ ମୃତକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଏବେ ସୁଦ୍ଧା ନିଖୋଜ ଅଛନ୍ତି । ବାଲିଅନ୍ତା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ଖୋଜାଖୋଜି ଚଳାଇଛନ୍ତି ।
ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଗୁରୁତର ଛାତ୍ରଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି । ଉଦ୍ଧାର ମୃତ ଛାତ୍ରଦ୍ୱୟ ଜାମସେଦପୁର ମଙ୍ଗୋ ଅଞ୍ଚଳର ଆର୍ଯ୍ୟନ ଏବଂ କଟକ ଜିଲ୍ଲା ଅଞ୍ଚଳର କୁମାର ଅବିନାଶ । ସେହିପରି ଅନ୍ୟ ନିଖୋଜ ଛାତ୍ର ଦୁଇଜଣ ହେଲେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ରୋହିତ ଏବଂ କଟକ ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର ପ୍ରତୀକ ।
ଖବର ପ୍ର·ର ହୋଇଯିବା ପରେ ନଦୀପଠା ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା । ବାଲିଅନ୍ତା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ପ୍ରଥମେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି କରିଥିଲେ । ଏହାପର ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ରିପୋର୍ଟ ଲେଖା ହେବା ବେଳକୁ ଅନ୍ୟ ନିଖୋଜ ଯୁବକ ଦ୍ୱୟଙ୍କ ପତ୍ତା ମିଳିପାରିନି ।
ସୂଚନା ଅନୁସାରେ ବାଲିଅନ୍ତା ଥାନା ଅଟଳାସ୍ଥିତ ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷା ଅନୁଷ୍ଠାନର ୯ ଜଣ ଏମବିଏ ଛାତ୍ର ଆଜି ମଧ୍ୟାହ୍ନରେ କୁଆଖାଇ ନଦୀ ଧବଳାହାରସ୍ଥିତ ନଦୀପଠା ଝାଉଁବଣରେ ଭୋଜି କରିଥିଲେ । ଭୋଜି ଖାଇସାରି ନିଶାସକ୍ତ ଅବସ୍ଥାରେ ଗାଧୋଇବାକୁ ନଦୀକୁ ଯାଇଥିଲେ । ୯ ଜଣଙ୍କ ମଧ୍ୟରୁ ଭୋଜି ଖାଇ ସାରିବା ପରେ ଜଣେ ଛାତ୍ର ହଷ୍ଟେଲକୁ ଯାଇଥିବାବେଳେ ଅନ୍ୟ ୮ ଜଣ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଉପରେ ୩ ଜଣ ଛାତ୍ର ଥିବା ବେଳେ ଅନ୍ୟ ୫ ଜଣ ଛାତ୍ର ଗାଧୋଇବାକୁ ନଦୀକୁ ପଶିଥିଲେ । ସୂଚନା ଅନୁସାରେ ପ୍ରଥମେ ଆର୍ଯ୍ୟନ ପାଣିରେ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣକ ପରେ ଜଣେ ଅନ୍ୟ ୩ ଜଣଯାକ ପାଣିରେ ବୁଡ଼ି ଯାଇଥିଲେ । ସହପାଠୀ ସାଙ୍ଗମାନେ ପାଣିରେ ବୁଡ଼ି ଯାଉଥିବା ଦେଖି ଉପରେ ଠିଆ ହୋଇଥିବା ସାଙ୍ଗମାନେ ଚିକ୍ରାର କରିଥିଲେ । ପାଟିଶୁଣି ସ୍ଥାନୀୟ ଲୋକ ପହଞ୍ଚି ଅନ୍ୟ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।
କାନ୍ଦବୋବାଳିରେ ଫାଟିପଡ଼ିଲା ନଦୀପଠା : ଖବର ପାଇ ମୃତ ଛାତ୍ରଙ୍କ ସଂପର୍କୀୟ ଏବଂ ପରିବାର ଲୋକଙ୍କର ହସ୍ପିଟାଲରେ ଭିଡ଼ ଜମିଥିଲା । ଜଣକ ପରେ ଜଣେ ଛାତ୍ରଙ୍କର ମୃତଦେହ କୁଆଖାଇରୁ ଉଦ୍ଧାର ହେଲା । ଏଭଳି ଦୁଃଖଦ ଘଟଣା ଦେଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ଆଖିରୁ ମଧ୍ୟ ଲୁହ ଝରି ଆସିଥିଲା ।
ପୂର୍ବରୁ ଗତ ମେ’ ମାସ ୨୫ ତାରିଖରେ ଅନ୍ୟ ଦୁଇ ଯୁବକଙ୍କର ମୃତୁ୍ୟ ଘଟିଥିଲା । ଗତ ମେ’ ମାସ ୨୫ ତାରିଖ ଅପରାହ୍ନ ୪ଟା ସମୟରେ ଅନ୍ୟ ଦୁଇଜଣ ଛାତ୍ରଙ୍କର ମଧ୍ୟ କୁଆଖାଇରେ ଗାଧୋଇବାକୁ ଆସି ମୃତୁ୍ୟ ଘଟିଥିଲା । ଉକ୍ତ ନଦୀର ଇନ୍ଦ୍ରପାଳ ନିକଟରେ ଏହି ଘଟଣା ଘଟିଥିଲା । ମୃତକ ଦ୍ୱୟ ହେଲେ ତମାଣ୍ଡୋ ଅଞ୍ଚଳରେ ରହୁଥିବା ସ୍ମୃତି ସୌରଭ ପ୍ରଧାନ (୨୩) ଏବଂ ଅନ୍ୟ ଜଣକ ହେଲେ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଅଞ୍ଚଳର ସତ୍ୟଜିତ ଦାଶ ।