ଦେଢ଼ଲକ୍ଷ କୋଟି ଡିଲ୍ରୁ ଓହରିଲା ଫକ୍ସକନ୍
ମେକ୍ ଇନ୍ ଇଣ୍ଡିଆ ଚିପ୍ ପ୍ରକଳ୍ପକୁ ଝଟ୍କା
ନୂଆଦିଲ୍ଲୀ, ୧ଠା୭: ତାଇୱାଲ କମ୍ପାନୀ ଫକ୍ସକନ୍ ବେଦାନ୍ତ ସହ ମିଳିତଭାବେ ସେମିକଣ୍ଡକ୍ଟର କାରଖାନା ବସାଇବା ଡିଲ୍ରୁ ଓହରିଯାଇଛି । ଫଳତଃ ଭାରତରେ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରିବ ନାହିଁ ଏହି କମ୍ପାନୀ । ଗତବର୍ଷ ବେଦାନ୍ତ ଓ ଫକ୍ସକନ୍ ଗୁଜରାଟରେ ପ୍ଲାଣ୍ଟ୍ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ ୧ କୋଟି ୫୪ ଲକ୍ଷ ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଦୁଇ କମ୍ପାନୀ ମିଶି ସେମିକଣ୍ଡକ୍ଟର ଓ ଡିସ୍ପ୍ଲେ ପ୍ରଡକ୍ସନ ପ୍ଲାଣ୍ଟ ବସାଇବାର ଥିଲା ।
ବଡକଥା ହେଉଛି, ଫକ୍ସକନ୍ ଏହି ଡିଲ୍ ଭାଙ୍ଗିବାର ନିର୍ଦ୍ଦିଷ୍ଟ କାରଣ ଜଣାଇନାହିଁ । ଫକ୍ସକନ୍ ପକ୍ଷରୁ କୁହାଯାଇଛି, ପ୍ରସ୍ତାବିତ ପ୍ରକଳ୍ପରୁ ତା’ର ନାମ ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଭାରତ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଲକ୍ଷ୍ୟକୁ କମ୍ପାନୀ ପୂର୍ଣ୍ଣ ସମର୍ଥନ କରୁଛି । ସ୍ଥାନୀୟ ପାର୍ଟନର୍ସିପ୍ ଜରିଆରେ ଷ୍ଟେକ୍ ହୋଲ୍ଡର ଆବଶ୍ୟକତା କମ୍ପାନୀ ପୂରଣ କରିବ । ମିଡିଆ ରିପୋର୍ଟ ଅନୁଯାୟୀ, ଫକ୍ସକନ୍ ଓ ବେଦାନ୍ତ ମଧ୍ୟରେ ମତଭେଦ ଯୋଗୁଁ ଚୁକ୍ତିରୁ ଫକ୍ସକନ୍ ଓହରିବାକୁ ନିଷ୍ପତ୍ତି ନେଇଛି ।
ମିଳିତ ଉଦ୍ୟୋଗ (ଜଏଣ୍ଟ ଭେଞ୍ଚର) ଭାଙ୍ଗିବା ପରେ ବେଦାନ୍ତ ଦେଇଛି ପ୍ରତିକ୍ରିୟା । କମ୍ପାନୀ କହିଛି, ଏବେ ଅନ୍ୟ କମ୍ପାନୀ ସହ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି । ଅପରପକ୍ଷେ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ଜଏଣ୍ଟ ଭେଞ୍ଚର ଭାଙ୍ଗିବା ଦ୍ୱାରା ଭାରତକୁ ସେମିକଣ୍ଡକ୍ଟର ଚିପ୍ ହବ୍ କରିବା ଲକ୍ଷ୍ୟ ବାଧାପ୍ରାପ୍ତ ହେବନାହିଁ ।