ଖୁବ୍ଶୀଘ୍ର କ୍ୟାବିନେଟ୍ ସମ୍ପ୍ରସାରଣ

ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକ
ନୂଆଦିଲ୍ଲୀ,୩ା୭: ପ୍ରଗତି ମୈଦାନରେ ନବନିର୍ମିତ ସେମିନାର ହଲ୍ରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି କେନ୍ଦ୍ର ମନ୍ତ୍ରିପରିଷଦ ବୈଠକ । ଏହା ଚଳିତବର୍ଷର ଦ୍ୱିତୀୟ ମନ୍ତ୍ରିପରିଷଦ ବୈଠକ । ଏହି ବୈଠକ ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ଅନୁରାଗ ଠାକୁର, ଜି କିଷନ ରେଡ୍ଡୀ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ ।
ସୂତ୍ର ଅନୁଯାୟୀ ବିଭିନ୍ନ ନୀତିଗତ ପ୍ରସଙ୍ଗ ବାଦ୍ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପିର ରଣନୀତି ଉପରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଛି । ଖୁବ୍ଶୀଘ୍ର କେନ୍ଦ୍ର କ୍ୟାବିନେଟ୍ର ସମ୍ପ୍ରସାରଣ ହେବା ସମ୍ଭାବନା ଥିବାବେଳେ ସୋମବାର ବୈଠକରେ ଏହି ପ୍ରସଙ୍ଗ ଆଲୋଚିତ ହୋଇଛି । ଆଗାମୀ ବିଧାନସଭା ତଥା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର କ୍ୟାବିନେଟ୍ ସମ୍ପ୍ରସାରଣରେ ସରକାର ଓ ସଂଗଠନ ମଧ୍ୟରେ ତାଳମେଳ ରଖିବା ପ୍ରୟାସ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ବିଜେପି ସୂତ୍ରରୁ ସଂକେତ ମିଳିଛି ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ସହଯୋଗୀ ଦଳମାନଙ୍କୁ ମଧ୍ୟ ପ୍ରତିନିଧିତ୍ୱ ଦିଆଯିବ । ଆସନ୍ତା ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ଭାବନା ରହିଛି ।
ଏଥର ସମ୍ପ୍ରସାରଣରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଓ ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆର୍ ପାଟିଲଙ୍କୁ ସ୍ଥାନ ମିଳିପାରେ । ପ୍ରଧାନମନ୍ତ୍ରୀ ୨୦୨୧ରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଥିଲେ । ସେ ସମୟରେ ୩୬ ନୂଆ ନେତାଙ୍କୁ ମନ୍ତ୍ରୀ କରାଯାଇଥିଲା ଏବଂ ୧୨ ଜଣ ମନ୍ତ୍ରୀଙ୍କୁ ବିଦା କରିଦିଆଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *