୩ ପିଲାଙ୍କ ସହ କୂଅକୁ ଡେଇଁଲା ମା’
ଶେରଗଡ, ୩ା୭(ଆପ୍ର): ଶେରଗଡ ବ୍ଲକ କରଡାକଣା ପଂଚାୟତର ଲାଉଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଦୃଶ୍ୟ । ଦାମ୍ପତ୍ୟ କଳହ ଯୋଗୁଁ ମା’ ତା’ର ଦୁଇ ଝିଅ ଓ ପୁଅକୁ ଫିଙ୍ଗି ନିଜେ ସେହି କୂଅକୁ ଡେଇଁ ପଡିଛି । ପୁଅ ଓ ସାନ ଝିଅର ମୃତୁ୍ୟ ହୋଇଥିବା ବେଳେ ମା’ ଓ ବଡ ଝିଅ ବର୍ତ୍ତିଯାଇଛନ୍ତି । କୋରା ଗୌଡଙ୍କ ପୁଅ ବଳିଆ ପ୍ରାୟ ୧୦ ବର୍ଷ ତଳେ କୁଶପଲ୍ଲୀ ଗ୍ରାମର ରଶ୍ମୀତାଙ୍କୁ ବିବାହ କରିଥିଲେ । ବିବାହ ପରେ କୋରା ଗୌଡଙ୍କ ପାଖରୁ ପୁଅ ଓ ବୋହୂ ଅଲଗା ହୋଇ ରହୁଥିଲେ । ଇତି ମଧ୍ୟରେ ବଳିଆଙ୍କ ୨ ଝିଅ ଏବଂ ଗୋଟିଏ ପୁଅ ଜନ୍ମ ହୋଇଥିଲେ । ବଳିଆ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରରେ ରହି ପରିବାର ପ୍ରତିପୋଷଣ କରନ୍ତି । ବଳିଆଙ୍କ ବଡଝିଅ ଗୁଂଜନର ବୟସ ୯ ବର୍ଷ, ପୁଅ ଆଶିଷର ବୟସ ୫ ବର୍ଷ ଏବଂ ସାନ ଝିଅ ଆଲିଶାର ବୟସ ମାତ୍ର ୯ ମାସ । ବଳିଆ ଏବଂ ରଶ୍ମୀତାଙ୍କ ମଧ୍ୟରେ ମୋବାଇଲରେ ପ୍ରାୟତଃ କଳିଗୋଳ ଲାଗିଥାଏ । ରବିବାର କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ରାତି ପ୍ରାୟ ଗୋଟାଏ ବେଳେ ରଶ୍ମୀତା ୨ ଝିଅ ଏବଂ ପୁଅକୁ ଘରଠାରୁ ପ୍ରାୟ ୪୦ ମିଟର ଦୂରରେ ଥିବା ଏକ କୂଅ ପାଖକୁ ନେଇଥିଲେ । କୂଅ ପାଖରେ ପହଁଚିବା ପରେ ପ୍ରଥମେ ସାନ ଝିଅ ଆଲିଶା, ପରେ ପୁଅ ଆଶିଷ ଏବଂ ବଡଝିଅ ଗୁଂଜନକୁ କୂଅକୁ ଫିଙ୍ଗିଦେବା ପରେ ନିଜେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଗୁଂଜନ କୂଅ ଭିତରେ ଏକ ପଥରକୁ ଧରି ଜୀବନ ବିକଳରେ ରକ୍ଷା କର ବୋଲି ଚିକ୍ରାର କରିଥିଲା । ଚିକ୍ରାର ଶୁଣି ଯଜ୍ଞମଣ୍ଡପରେ ଶୋଇଥିବା ଗାଁର କିଛି ଲୋକ ସେଠାରେ ପହଞ୍ଚôଥିଲେ । ଗୁଂଜନ ଏକ ପଥରକୁ ଧରି
ପାଣି ଭିତରେ ଓହଳି ରହିଥିବାବେଳେ ମା’ ରଶ୍ମୀତା ପହଁରୁଥିଲେ । ଗ୍ରାମବାସୀ ବହୁ କଷ୍ଟରେ ଗୁଂଜନ ଏବଂ ରଶ୍ମୀତାଙ୍କୁ ଉଦ୍ଧାର କରିଥିଲେ । କୂଅ ଭିତରେ ପ୍ରାୟ ୨୦ ଫୁଟର ପାଣି ଥିବାରୁ ସାନଝିଅ ଆଲିଶା ଏବଂ ପୁଅ ଆଶିଷଙ୍କୁ ଉଦ୍ଧାର କରାଯାଇପାରି ନ ଥିଲା ।
ଗୁଂଜନ ଏବଂ ମା’ ରଶ୍ମୀତାଙ୍କୁ ଗ୍ରାମବାସୀ ଶେରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଚିକିତ୍ସିତ ହୋଇ ମା ଏବଂ ଝିଅ ଘରକୁ ଫେରିଥିଲେ । ଦୁଇ ଶିଶୁ କୂଅ ଭିତରେ ପଡିଥିବା ଖବର ସକାଳ ୮ ଟାରେ ପାଇ ଶେରଗଡ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଦୁଇ ଶିଶୁଙ୍କୁ କୂଅ ମଧ୍ୟରୁ ଉଦ୍ଧାର କରିଥିଲେ । ପୁଅ ଏବଂ ସାନ ଝିଅର ମୃତଦେହକୁ ଦେଖି ନିଜେ ଜୀବନ ହାରିବାକୁ ଯାଇ ଏକ ଧାରୁଆ ଅସ୍ତ୍ରରେ ନିଜର ଜିଭକୁ କାଟି ଦେଇଥିଲେ ରଶ୍ମିତା । ଦୁଇ ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଗୁରୁତର ଥିବା ମା ରଶ୍ମୀତାଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଏନେଇ ଶେରଗଡ ପୋଲିସ ପକ୍ଷରୁ ୩୪୫/୨୩ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତ ୨ ଶିଶୁଙ୍କ ଶବ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ପଠାଯାଇଥିବା ଥାନାଧିକାରୀ ମନୋଜ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଘଟଣାର ଗମ୍ଭୀରତାକୁ ଦେଖି ଶେରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଟପୁର ଥାନଧିକାରୀ ସବ୍ୟସାଚ୍ଚୀ ମଲ୍ଲ ଉପସ୍ଥିତ ଥିଲେ ।