ଗଛ ସହ କାର୍ ଧକ୍କା: ତିନି ମୃତ
ଉମରକୋଟ, ୩ଠା୬(ଆପ୍ର): ପୁଣି ସଡ଼କ ଦୁର୍ଘଟଣାରେ ଯାଇଛି ୩ ଜୀବନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବାସିନୀ ଛକଠାରେ ଭାରସାମ୍ୟ ହରାଇ ଗଛ ସହ କାର୍ ଧକ୍କା ଲାଗିଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିଲା । ଓଡି୨୪ଜି୪୯୬୨ ସ୍ୱିଫ୍ଟ ଡିଜାୟର କାରଟି ଛତିଶଗଡ଼ର ଜଗଦଲପୁରରୁ ଫେରୁଥିବା ବେଳେ ବାସିନୀ ଠାରେ ଭାରସାମ୍ୟ ହରାଇ ଏକ ତେନ୍ତୁଳି ଗଛ ସହ ଧକ୍କା ଲାଗିଥିଲା । କାର୍ରେ ଥିବା ରାଇଘର ବ୍ଲକ ସୋନପୁର ଗ୍ରାମର ଗୌରାଙ୍ଗ ରାୟ, ଛତାବେଡା ଗ୍ରାମର ଗାଡି ମାଲିକ (ନିଜେ ଗାଡି ଚଳାଉଥିଲେ), ଉମରକୋଟ ବ୍ଲକ ଅଞ୍ଚଳାର ସତ୍ୟ ରଞ୍ଜନ ବେପାରୀ, ତୋରୁଲତା ବେପାରୀ ଥିଲେ ।
ଉମରକୋଟ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ । କିନ୍ତୁ ଡାକ୍ତର ଡ୍ରାଇଭର ସୁରେଶ ମଣ୍ଡଳ, ସତ୍ୟ ରଞ୍ଜନ ବେପାରୀ, ଗୌରାଙ୍ଗ ରାୟଙ୍କୁ ମୃତ ଘୋଷଣା କରିଥିଲେ । ଉମରକୋଟ ପୁଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଏବଂ ତରୁଲତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି । ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କୋରାପୁଟ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।
ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।