ଓଡ଼ିଶାରେ ବିରୋଧୀ ମଞ୍ଚର ପ୍ରଭାବ ନାହିଁ

ଭୁବନେଶ୍ୱର,୩ଠା୬(ତଥ୍ୟ): କଂଗ୍ରେସ ମୁକ୍ତ ଭାରତ ପାଇଁ ବିଜେପି ନାରା ଦେଉଥିବାବେଳେ ବିଜେପିକୁ କ୍ଷମତାଚୁ୍ୟତ କରିବା ପାଇଁ ଅଣବିଜେପି ଦଳମାନଙ୍କୁ ଗୋଟିଏ ମଞ୍ଚରୁ ଲଢିବା ପାଇଁ ଜାତୀୟସ୍ତରରେ ଯେଉଁ ଉଦ୍ୟମ ଚାଲିଛି ତାହାର ବିଶେଷ ପ୍ରଭାବ ଏଯାବତ୍‌ ଓଡ଼ିଶାରେ ଅନୁଭୂତ ହେଉନାହିଁ । ଏଠାରେ ଉଲ୍ଲେଖନୀୟ ଯେ, ପରସ୍ପର ବିରୁଦ୍ଧରେ ବିବୃତି ଯୁଦ୍ଧରେ ଲିପ୍ତ ଥିବା କେତେକ ଅଣବିଜେପି ଦଳ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉଦ୍ୟମକ୍ରମେ ମଞ୍ଚ ଗଠନ ଲାଗି କିଛିଦିନ ତଳେ ପାଟ୍‌ନାରେ ଏକତ୍ରିତ ହୋଇଥିଲେ । ଏହି ମଞ୍ଚର ପରବର୍ତ୍ତୀ ବୈଠକ ସିମ୍‌ଲାଠାରେ ହେବବୋଲି ଘୋଷଣା କରାଯାଇଥିଲେ ମଧ୍ୟ ଏବେ ତାହା ବାତିଲ୍‌ କରାଯାଇ ବେଙ୍ଗାଲୁରୁଠାରେ ହେବାକୁ ଯାଉଛି ।
ଇତିମଧ୍ୟରେ ଏହି ମଞ୍ଚରେ ସାମିଲ ହୋଇଥିବା ଆପ୍‌ ସହିତ କଂଗ୍ରେସ ନେତାମାନଙ୍କର ତୀବ୍ର ବାକ୍ୟୁଦ୍ଧ ଚାଲିଥିବାରୁ ଆପ୍‌ ଏହି ମେଣ୍ଟରେ ରହିବା ଘେନି ସନେ୍ଦହ ସୃଷ୍ଟି ହେଉଛି । ସେହିଭଳି ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନରେ ତୃଣମୂଳ କଂଗ୍ରେସ ବିରୋଧରେ ମଞ୍ଚର ଅଂଶୀଦାର ବାମ ଓ କଂଗ୍ରେସ ଦଳ ସମେତ ବିଜେପି ପ୍ରବଳ ବିଷୋଦ୍‌ଗାର କରୁଥିବାରୁ ତୃଣମୂଳ କଂଗ୍ରେସ ବି ଏହି ୩ ଦଳଙ୍କୁ କଡ଼ାଭାଷାରେ ଜବାବ୍‌ ଦେଉଛି । ଏ ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭୂମିକା ବେଙ୍ଗାଲୁରୁ ବୈଠକରେ କ’ଣ ରହିବ ତାହା ଉପରେ ସମ୍ପୃକ୍ତ ଦଳର ରାଜ୍ୟନେତାମାନଙ୍କ ନଜର ରହିଛି । ତେଲେଙ୍ଗାନା ଓ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ମଞ୍ଚରେ ସାମିଲ ହେଉନାହାଁନ୍ତି ।
ଇତିମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଜଣେ ନେତା ସୂଚନା ଦେଇଛନ୍ତି ଯେ, ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୪୭ଟି ଆସନରେ ପ୍ରାର୍ଥୀ ଦେବନାହିଁ । ମଞ୍ଚଭୂକ୍ତ ଅଂଶୀଦାର ଦଳମାନଙ୍କୁ କଂଗ୍ରେସ କେତେକ ଆସନ ଛାଡିପାରେ ବୋଲି ଏଥିର ସୂଚନା ମିଳୁଛି ।
ଓଡ଼ିଶାରେ ଗତ କିଛିବର୍ଷ ମଧ୍ୟରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଆପ୍‌ ଦଳ ସାଙ୍ଗଠନିକ କାର୍ଯ୍ୟ ବଢାଇଛି । ତୃଣମୂଳ କଂଗ୍ରେସ ବି ରାଜ୍ୟରେ ତାହାର ସୀମିତ ସଙ୍ଗଠନ ରଖିଛି । ଏହି ଦୁଇ ଦଳର ଓଡ଼ିଶାରେ ଥିବା କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ କେନ୍ଦ୍ରୀୟ
ନେତୃତ୍ୱର ସବୁଜ ସଂକେତକୁ ଅପେକ୍ଷା କରିଥିବାବେଳେ କଂଗ୍ରେସ ଓ ବିଜେପିସହ ସାମିଲ ହେଉନାହାଁନ୍ତି । ଓଡ଼ିଶାରେ ୨୩ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ଉଭୟ କଂଗ୍ରେସ ଓ ବିଜେପି ଠାରୁ ୨୦୦୯ରୁ ଏଯାବତ୍‌ ସମଦୂରତା ରକ୍ଷା କରୁଛି । ଉଭୟ ୟୁପିଏ ଓ ଏନ୍‌ଡିଏ ସରକାର ଅମଳରେ ରାଜ୍ୟ ସ୍ୱାର୍ଥକୁ ଆଖି ଆଗରେ ରଖି କେନ୍ଦ୍ର ସରକାରଙ୍କୁ ଆବଶ୍ୟକସ୍ଥଳେ ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଉଛି ।
ଓଡ଼ିଶାରେ ବିଜେଡିର ବିଜୟ ଧାରା ଅବ୍ୟାହତ ରହିଥିବାବେଳେ ବିଜେପି ୨୦୧୯ ତୁଳନାରେ ଅଧିକ ଲୋକସଭା ଆସନ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଏମିତିକି ଦଳର ନେତାମାନେ ଓଡ଼ିଶା ସରକାରଙ୍କୁ ପରିବର୍ତ୍ତନ କରିବା ପାଇଁ ମଧ୍ୟ ଏଠାରେ ସଭା, ସମିତିରେ ଗଳା ଫଟାଇ ଭାଷଣ ଦେଉଛନ୍ତି ।
ବିଜେଡିର ସବୁ ମନ୍ତ୍ରୀ, ସାଂସଦ ଓ ବିଧାୟକ ଯେ ଆସନ୍ତା ନିର୍ବାଚନ ଲଢିବାକୁ ଦଳୀୟ ଟିକେଟ ପାଇବେ ତାହାର ଗ୍ୟାରେଣ୍ଟି କେହି ଦେଇପାରୁନାହାଁନ୍ତି । ବିଜେପି ଓ କଂଗ୍ରେସ ମଧ୍ୟ କେତେକ ଆସନରେ ପ୍ରାର୍ଥୀ ବଦଳାଇ ପାରେ । ଏ ପରିପ୍ରେକ୍ଷୀରେ ବିଭିନ୍ନ ଦଳର ଯେଉଁ ନେତାମାନେ ଦଳୀୟ ଟିକେଟରୁ ବଞ୍ଚôତ ହେବେ ବୋଲି ଆଶଙ୍କା କରୁଛନ୍ତି ସେମାନେ ନିଜ ନିଜର ରାଜନୈତିକ ଭବିଷ୍ୟତ ପାଇଁ ଠିକଣା ସମୟରେ ଦଳବଦଳ ଲାଗି ଯୋଗାଯୋଗ ରଖୁଥିବା ଜଣାପଡିଛି ।
ଏପରିପ୍ରେକ୍ଷୀରେ ବିଜେପି ବିରୋଧୀ ମେଣ୍ଟ ଓଡ଼ିଶାରେ ଉଭୟ ବିଜେଡି ଓ ବିଜେପିକୁ ନିର୍ବାଚନରେ ସାମ୍ନା କରିବେ । ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଓଡ଼ିଶାରେ ଏକପ୍ରକାର ନିଶ୍ଚିତ ହୋଇଥିଲେ ମଧ୍ୟ କେତେକ ସ୍ଥାନରେ ଆପ୍‌, ତୃଣମୂଳ କଂଗ୍ରେସ ଓ ବିଆର୍‌ଏସ୍‌ ଚିନ୍ତା ବଢ଼ାଇ ପାରନ୍ତି । ନୂଆ ମେଣ୍ଟ ରାଜନୀତି ଘେନି ଦିଲ୍ଲୀ ଦୁଲୁକୁଥିବାବେଳେ ଓଡ଼ିଶାରେ କିନ୍ତୁ ତାହାର ପ୍ରଭାବ ଅନୁଭବ କରିହେଉନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *