ଜୁଲାଇ ୭ ବୈଠକରେ ନିଷ୍ପତ୍ତି ନେବ ବିସିସିଆଇ

ଏସିଆଡ୍କୁ ଭାରତୀୟ କ୍ରିକେଟ୍ ଟିମ୍ ପଠାଇବା ପ୍ରସଙ୍ଗ
ମୁମ୍ବାଇ, ୨୯ା୬ (ଏଜେନ୍ସି): ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ ଏସୀୟ କ୍ରୀଡ଼ାକୁ ତା’ର ପୁରୁଷ ଓ ମହିଳା ଟିମ୍ ପଠାଇବା ନେଇ ଜୁଲାଇ ୭ରେ ହେବାକୁ ଥିବା ଆପେକ୍ସ କାଉନ୍ସିଲ୍ ବୈଠକରେ ନିଷ୍ପତ୍ତି ନେବ ।
ଆପେକ୍ସ କାଉନ୍ସିଲ୍ ବୈଠକର ଏଜେଣ୍ଡାରେ ଏସିଆଡ୍କୁ ଟିମ୍ ପଠାଇବା ପ୍ରସଙ୍ଗ ରହିଛି । ତେବେ ବୈଠକର ଭେନୁ୍ୟ ଓ ସମୟ ଏ ଯାବତ ଜଣାପଡ଼ି ନାହିଁ । ଯଦି ବିସିସିଆଇ ଏସିଆଡ୍କୁ ଟିମ୍ ପଠାଇବା ପାଇଁ ନିଷ୍ପତ୍ତି ନିଏ, ପୁରୁଷ ବର୍ଗରେ ‘ବି’ ଟିମ୍ ଚୀନ୍ ଯିବ, କାରଣ ମୁଖ୍ୟ ଟିମ୍ ୫୦-ଓଭର୍ ବିଶ୍ୱକପ୍ ପାଇଁ ବ୍ୟସ୍ତ ରହିବ । ତେବେ ମହିଳା ବର୍ଗରେ ମୁଖ୍ୟ ଟିମ୍ ଯାଇପାରିବ ।
ଏସିଆଡ୍ ଚୀନ୍ର ହାଙ୍ଗଝୁ ଠାରେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ଯାଏଁ ଆୟୋଜିତ ହେବ, ଯେଉଁଥିରେ ଟି-୨୦ ଫର୍ମାଟ୍ରେ କ୍ରିକେଟ୍ ପ୍ରତିଯୋଗିତା ହେବ । ଅନ୍ୟପଟେ, ଅକ୍ଟୋବର ୫ରୁ ନଭେମ୍ବର ୧୯ ଯାଏଁ ଭାରତରେ ଆଇସିସି ବିଶ୍ୱକପ୍ ଖେଳାଯିବ ।
୨୦୧୦ ଓ ୨୦୧୪ରେ କ୍ରିକେଟ୍ ଏସିଆଡ୍ର ଅଂଶବିଶେଷ ହୋଇଥିଲେହେଁ ଭାରତ ଟିମ୍ ପଠାଇ ନ ଥିଲା । ଜାକର୍ତ୍ତାରେ ହୋଇଥିବା ୨୦୧୮ ଏସିଆଡ୍ରୁ ବାଦ୍ ପଡ଼ିବା ପରେ କ୍ରିକେଟ୍ ହାଙ୍ଗଝୁ କ୍ରୀଡ଼ାରେ ପ୍ରତ୍ୟାବର୍ତ୍ତନ କରିଛି । ହାଙ୍ଗଝୁ ଏସିଆଡ୍ ଗତ ବର୍ଷ ଆୟୋଜିତ ହୋଇଥାନ୍ତା, କିନ୍ତୁ କୋଭିଡ୍ ଯୋଗୁଁ ଏହାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଥିଲା । ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍କୁ ସାମିଲ୍ କରିବା ନେଇ ବିସିସିଆଇ ଦୃଢ଼ ଦାବି କରିବା ପରଠାରୁ ଏଥର ଏସିଆଡ୍କୁ ଭାରତୀୟ ବୋର୍ଡ ଟିମ୍ ପଠାଇବ ବୋଲି ଆଶା ଅଛି । ଭାରତୀୟ ମହିଳା କ୍ରିକେଟ୍ ଟିମ୍ ୨୦୨୨ରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲା ।
ବିଦେଶରେ ହେଉଥିବା ଟି-୨୦ ଲିଗ୍ରେ ଅବସରପ୍ରାପ୍ତ ଖେଳାଳିଙ୍କ ଭାଗ ନେବା ସଂକ୍ରାନ୍ତ ନୀତି ନିର୍ଦ୍ଧାରଣ, ସୟଦ ମୁସ୍ତାକ୍ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଇମ୍ପାକ୍ଟ ପ୍ଲେୟର୍ ନିୟମ ସହ ପ୍ଲେଇଂ କଣ୍ଡିସନ୍ ଉପରେ ଆଲୋଚନା, ପ୍ରାୟୋଜନ ଓ ବିସିସିଆଇ ମିଡିଆ ସତ୍ୱାଧିକାରର ନବୀକରଣ, ଆଇସିସି ବିଶ୍ୱକପ୍ ୨୦୨୩ ପାଇଁ ଟୁର୍ ପ୍ୟାକେଜ୍ ଅପରେଟର୍ ଉପରେ ଆଲୋଚନା, ବିଶ୍ୱକପ୍ ପାଇଁ ଷ୍ଟାଡିୟମ୍ ଅପ୍ଗ୍ରେଡେସନ୍ ଉପରେ ଆଲୋଚନା ଏବଂ ଭାରତୀୟ ପୁରୁଷ ଓ ମହିଳା ଟିମ୍ ପାଇଁ ଖେଳାଳି ଚୁକ୍ତିର ମଞ୍ଜୁରି ଆଦି ମଧ୍ୟ ବୈଠକର ଏଜେଣ୍ଡାରେ ରହିଛି ।
୨୦୧୦ ଗ୍ୱାଙ୍ଗଝୁ ଚୀନ୍ ଓ ୨୦୧୪ ଇଞ୍ଚିଅନ୍ ଦକ୍ଷିଣ କୋରିଆ ଏସିଆଡ୍ରେ ଉଭୟ ପୁରୁଷ ଓ ମହିଳା ବର୍ଗରେ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୨୦୧୦ରେ ବାଂଲାଦେଶ ପୁରୁଷ ଓ ପାକିସ୍ତାନ ମହିଳା ବର୍ଗରେ ସ୍ୱର୍ଣ୍ଣ ଜିତିଥିଲା । ୨୦୧୪ରେ ଶ୍ରୀଲଙ୍କା ପୁରୁଷ ଓ ପାକିସ୍ତାନ ମହିଳା ବର୍ଗରେ ଚାମ୍ପିଅନ୍ ହୋଇଥିଲା । ଶେଷ ଥର ୨୦୧୪ରେ ୧୩ କ୍ରିକେଟ୍ ଟିମ୍ ଏସିଆଡ୍ରେ ଭାଗ ନେଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *