ବଦଳିବ ଟିମ୍ ମୋଦି
ନୂଆଦିଲ୍ଲୀ, ୨୯ା୬: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଜୁଲାଇ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ ବୋଲି ଜଣେ ଅଧିକାରୀ ଗୁରୁବାର ସୂଚନା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ବୁଧବାର ରାତିରେ ପ୍ରଧାନମନ୍ତ୍ରୀ ମୋଦି ବରିଷ୍ଠ ବିଜେପି ନେତାମାନଙ୍କ ସହିତ ବୈଠକ କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦଳ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟମାନଙ୍କ ସହିତ ତାଜା ରାଜନୈତିକ ସ୍ଥିତି ଉପରେ ୫ ଘଣ୍ଟା ଧରି ମାରାଥନ ଆଲୋଚନା କରିଛନ୍ତି । ବୁଧବାରର ବୈଠକ ସମ୍ପର୍କରେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ହୋଇପାରେ ବୋଲି ରାଜନୀତିଜ୍ଞମାନେ ଆଲୋଚନା କରୁଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ ସାମାଜିକ, ଜାତିଗତ ଓ ଆଞ୍ଚଳିକ ସମ୍ମୀକରଣ ପ୍ରତି ଲକ୍ଷ୍ୟ ରଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଯୋଜନା କରାଯାଉଛି । ବିଜେପି ସୂତ୍ର ଉଦ୍ଧାର କରି ଏକ ନୁ୍ୟଜ୍ ଏଜେନ୍ସି ରିପୋର୍ଟରେ କୁହାଯାଇଛି, କେରଳରେ ବିଜେପିର ଭିତ୍ତିଭୂମି ଦୃଢ କରିବା ଉଦେ୍ଦଶ୍ୟରେ ମଲୟାଲମ୍ ଫିଲ୍ମ ଦୁନିଆର ସୁପରଷ୍ଟାର ସୁରେଶ ଗୋପୀଙ୍କୁ ମନ୍ତ୍ରୀ କରାଯାଇପାରେ । ୨୦୨୪ରେ ସୁରେଶ ଗୋପୀ କେରଳର ଥ୍ରିସୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟ୍ରେ ଲଢିବା ସମ୍ଭାବନା ରହିଛି । ୨୦୧୯ ନିର୍ବାଚନରେ ଗୋପୀ ଏହି ଆସନରୁ ଲଢି ହାରିଥିଲେ । ସେହିପରି ମନ୍ତ୍ରିପରିଷଦରେ ୟୁପି ଓ ଅନ୍ୟ କେତେକ ରାଜ୍ୟର ପ୍ରତିନିଧିତ୍ୱ ବଢିପାରେ । ଜୁଲାଇ ୩ରେ ପ୍ରଗତି ମୈଦାନରେ ନବନିର୍ମିତ ସମ୍ମେଳନ କେନ୍ଦ୍ର (କନ୍ଭେନ୍ସନ୍ ସେଣ୍ଟର)ରେ ଅନୁଷ୍ଠିତ ହେବ । ଏଠାରେ ମଧ୍ୟ ସେପ୍ଟେମ୍ବରରେ ଜି-୨୦ ବୈଠକ ବସିବ । ନବନିର୍ମିର୍ତ କନ୍ଭେନ୍ସନ୍ ସେଣ୍ଟରରେ ବୈଠକ କରି ମନ୍ତ୍ରିମଣ୍ଡଳକୁ ନୂଆ ରୂପ ଦେବା ଲାଗି ମୋଦି ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଏହାବ୍ୟତୀତ ଗତ ମାସରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା । ସେଠାରେ କଂଗ୍ରେସ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିଲା । ନିଜେ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ରୋଡ୍ ଶୋ’ କରି ସୁଦ୍ଧା ଦଳକୁ ବିଜୟୀ କରିପାରିଲେନି । କର୍ଣ୍ଣାଟକ ଭୋଟ ତାଙ୍କ ପାଇଁ ବଡ଼ ଶିକ୍ଷା ହୋଇଛି । ଚଳିତ ବର୍ଷ ଶେଷରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ । ରାଜସ୍ଥାନରେ କଂଗ୍ରେସରେ ଅନ୍ତଦ୍ୱର୍ନ୍ଦ୍ୱ ପଦାରେ ପଡ଼ିଛି । ସେଠାରେ ବିଜେପିରେ ମଧ୍ୟ ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଦଳର ରାଜ୍ୟ ଶାଖା ମୁଖ୍ୟ ସତୀଶ ପୁନିଆ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ମଧ୍ୟ ପ୍ରଦେଶରେ ଦଳ କ୍ଷମତାରେ ଥିଲେ ବି ସରକାରଙ୍କ ବିଫଳତା ନେଇ ବିରୋଧୀ ଦଳଗୁଡ଼ିକ ରାଜ୍ୟବାସୀଙ୍କୁ ପ୍ରଭାବିତ କରିବାରେ ଲାଗିଛନ୍ତି । ଛତିଶଗଡ଼ରେ କଂଗ୍ରେସ ସରକାର ରହିଛି । ସେଠାରେ ଜଣେ ଦକ୍ଷ ଓ ନିର୍ବିବାଦୀୟ ନେତାଙ୍କୁ ଦଳ ଆଗକୁ ନେବାକୁ ଚାହୁଁଛି । ତେଲେଙ୍ଗାରେ ଦଳର ସଂଗଠନ ମଜଭୁତ ନାହିଁ । ମିଜୋରାମରେ ମଧ୍ୟ ସମାନ ସ୍ଥିତି । ତେଣୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼କୁ ଟାର୍ଗେଟ୍ରେ ରଖଛନ୍ତି ମୋଦି । ବିଧାନସଭା ନିର୍ବାଚନ ପରେ ୨୦୨୪ ମେ’ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏସବୁ ରାଜ୍ୟରେ ଦଳର ସ୍ଥିତି ମଜଭୁତ ରହିଲେ ଲୋକସଭାରେ ନିର୍ବାଚନରେ ଅଧିକ ଆସନ ଜିତିବା ସହଜ ହୋଇପାରିବ । ଏହାକୁ ଲକ୍ଷ୍ୟରେ ରଖି କାମ ଆରମ୍ଭ କରିଛନ୍ତି ମୋଦି । ପ୍ରଥମେ ମନ୍ତ୍ରିମଣ୍ଡଳରେ କିଛି ନେତାଙ୍କୁ ବାଦ ଦେଇ କିଛି ନୂଆ ନେତାଙ୍କୁ ସାମିଲ କରି ଜନମତ ଦଳ ସପକ୍ଷରେ ନେବା ଉଦେ୍ଦଶ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛିତିଶଗଡ଼ରୁ କିଛି ନୂଆ ମୁହଁଙ୍କୁ କ୍ୟାବିନେଟ୍ରେ ସାମିଲ କରାଯାଇ ପାରେ ବୋଲି ରାଜନୀତିଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।
ଜୁଲାଇ ତୃତୀୟ ସପ୍ତାହରେ ସଂସଦ ମୌସୁମୀ ଅଧିବେଶନ ନୂଆ ସଂସଦ ଭବନରେ ବସିବ । ଏହା ପୂର୍ବରୁ କ୍ୟାବିନେଟ୍ରେ ଅଦଳବଦଳ କରି ନୂଆ ନେତାଙ୍କୁ ସାମିଲ କରିବା ଯୋଜନାରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଇତିମଧ୍ୟରେ ଅମିତ ଶାହ, ଜେପି ନଡ୍ଡା ଓ ବିଜେପି ସାଙ୍ଗଠନିକ ସମ୍ପାଦକ ବିଏଲ୍ ସନ୍ତୋଷ ଏକାଧିକ ବୈଠକ କରି ବିଚାର ବିମର୍ଷ କରିଛନ୍ତି । ମନ୍ତ୍ରମଣ୍ଡଳରେ କାହାକୁ ନିଆଯିବ କିଏ ବାଦ ପଡ଼ିବେ ସେ ନେଇ ଆଲୋଚନା ହୋଇଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ୨୦୨୧ ଜୁଲାଇରେ କେନ୍ଦ୍ର କ୍ୟାବିନେଟ୍ରେ ଶେଷ ଥର ପାଇଁ ବଡ଼ଧରଣର ଅଦଳବଦଳ କରାଯାଇଥିଲା । ୧୨ ଜଣଙ୍କୁ ବିଦା କରାଯାଇ ୧୭ ଜଣଙ୍କୁ ଗ୍ରହଣ କରାଯାଇଥିଲା । ରବିଶଙ୍କର ପ୍ରସାଦ, ହର୍ଷବର୍ଦ୍ଧନ, ପ୍ରକାଶ ଜାଭେଡକର ପ୍ରମୁଖଙ୍କୁ ବାଦ ଦିଆଯାଇ ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେଙ୍କୁ ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ମେ’ ମାସରେ କିରଣ ରିଜିଜୁଙ୍କୁ ବାଦ ଦିଆଯାଇ ତାଙ୍କ ସ୍ଥାନରେ ଅର୍ଜୁନରାମ ମେଘୱାଲଙ୍କୁ ଆଇନ ମନ୍ତ୍ରୀ କରାଯାଇଥିଲା । ମନ୍ତ୍ରିିମଣ୍ଡଳରେ ଅଦଳବଦଳ ଲାଗି ମୋଦି ଜୁଲାଇକୁ ବାଛିଥାନ୍ତି । ତେଣୁ ଏଥର ମଧ୍ୟ ଜୁଲାଇରେ ଅଦଳବଦଳ ହୋଇପାରେ ବୋଲି ଆଲୋଚନା ହେଉଛି ।