ସୁନାବେଶରେ ଝଲସିଲେ
ପୁରୀ, ୨୯ା୬(ବୁ୍ୟରୋ): ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଗୁରୁବାର ଆଷାଢ଼ ଶୁକ୍ଳ ଏକାଦଶୀ ତଥା ହରିଶୟନ ଏକାଦଶୀରେ ରଥାରୂଢ଼ ଶ୍ରୀବିଗ୍ରହ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ନୀତି ସଅଳ ହୋଇ ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ସମ୍ପନ୍ନ ହୋଇଛି ସୁନାବେଶ । ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିଛନ୍ତି ।
ଶୁକ୍ରବାର ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହେବାପରେ ଶନିବାର ନିଳାଦି୍ରବିଜେ କରିବେ ମହାପ୍ରଭୁ । ଚତୁର୍ଦ୍ଧାବିଗ୍ରହ ନୀଳକନ୍ଦର ତଥା ରନôସିଂହାସନକୁ ବିଜେ କରିବେ ଏବଂ ରବିବାର ବାହାରିବ ନୀଳାଚଳ ଅବଢ଼ା । ଆଉ ମାତ୍ର ଦୁଇ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା ପର୍ବର ପରିସମାପ୍ତି ଘଟିବ । ଦିନ ଯେତିକି ପାଖେଇ ଆସୁଛି ରଥାରୂଢ଼ ଠାକୁରଙ୍କ ଦର୍ଶନ ଲାଗି ଭକ୍ତଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢିବାରେ ଲାଗିଛି । ବାହୁଡାରେ ଭକ୍ତଙ୍କ ଭିଡ ହୋଇନଥିବା ବେଳେ ଅନୁକୂଳ ପାଗ ଯୋଗୁ ତିନିଠାକୁରଙ୍କ ଦୁଲର୍ଭ ସୁନାବେଶ ଦର୍ଶନ ଲାଗି ଗୁରୁବାର ସିଂହଦ୍ୱାର ନିକଟକୁ ଭକ୍ତଙ୍କ ସୁଅ ଛୁଟିଥିଲା । ସନ୍ଧ୍ୟାସୁଦ୍ଧା ଭକ୍ତମୟ ହୋଇପଡିଥିଲା ବଡଦାଣ୍ଡ ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ସୁନାବେଶ ଅପରାହ୍ନ ୫ଟାରୁ ସାଢେ ୬ଟା ମଧ୍ୟରେ ସାରିବା ଲାଗି ଧାର୍ଯ୍ୟ ହୋଇଥିଲା । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଉପଯୁକ୍ତ ସମନ୍ୱୟ ଯୋଗୁ ନିର୍ଦ୍ଧାରିତ ସମୟର ଦେଢ ଘଣ୍ଟା ପୂର୍ବରୁ ବେଶ ପର୍ବ ଆରମ୍ଭ ହୋଇଥିଲା । ଏଥିପାଇଁ ଅପରାହ୍ଣରେ ଭଣ୍ଡାର ଘରୁ ସୁନା ଏବଂ ରୌପ୍ୟ ଅଳଙ୍କାର ଆସି ରଥ ନିକଟରେ ବିଜେ ହୋଇଥିଲା । ପାଳିଆ ସେବାୟତ ଓ ଦଇତାପତିମାନେ ମିଶି ମହାପ୍ରଭୁଙ୍କ ବେଶ ଆରମ୍ଭ କରିଥିଲେ । ଅପରାହ୍ଣ ୫ଟାରେ ଦାରୁଦିଅଁଙ୍କ ସୁନାବେଶ ଆରମ୍ଭ ହୋଇ ୬ଟାରେ ବଢିଥିଲା । ଶ୍ରୀବିଗ୍ରହମାନଙ୍କ ଶ୍ରୀମସ୍ତକରେ କିରୀଟ, ଗଳାରେ ମାଳା, ଓଡିଆଣି, କାନକୁଣ୍ଡଳ ଆଦି ଧାରଣ କରିଥିଲେ । ବଡଠାକୁର ସୁନାର ହଳମୂଷଳ ଏବଂ ଶ୍ରୀଜଗନ୍ନାଥଙ୍କୁ ଶଙ୍ଖ, ଚକ୍ର ସହିତ ଶ୍ରୀହସ୍ତ, ଶ୍ରୀପୟର ଆଦି ଲାଗି କରାଯାଇଥିଲା । ରତ୍ନସିଂହାସନରେ ସୁନାବେଶବେଳେ ଠାକୁର ରାହୁରେଖା ଏବଂ ରତ୍ନଖଚିତ ଚିତାଧାରଣ କରିଥାନ୍ତି । କିନ୍ତୁ ରଥରେ ସୁନା ବେଶ ସମୟରେ ଠାକୁର ରାହୁରେଖା ଏବଂ ରତ୍ନଖଚିତ ଚିତା ଧାରଣ କରି ନ ଥାନ୍ତି । ରଥାରୂଢ ଠାକୁର ସୁନାବେଶରେ ସୋଲରେ ଚିତା ଧାରଣ କରିଥାନ୍ତି । ଏହାପରେ ଭକ୍ତମାନେ ଏହି ଦୁଲର୍ଭ ବେଶ ଦର୍ଶନ କରିଥିଲେ । ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳ ହୁଳି ଧ୍ୱନି ସାଙ୍ଗକୁ ଜୟ ଜଗନ୍ନାଥ, ହରିନାମ ସଂକୀର୍ତ୍ତନରେ ବଡଦାଣ୍ଡରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ପ୍ରଶାସନ ପକ୍ଷରୁ ସିଂହଦ୍ୱାର ରଥ ପାଖରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ଲଗାଯାଇଥିଲା । ଭକ୍ତମାନେ ଏକମୁହାଁ ହୋଇ ସିଂହଦ୍ୱା ର ଅଭିମୁଖେ ଚାଲିଥିଲେ । ଏହି ଅବସରରେ ପ୍ରଶାସନ ପକ୍ଷରୁ ବଡଦାଣ୍ଡରେ ଉଜ୍ଜଳ ଆଲୋକ ଓ ପାନୀୟଜଳ ବ୍ୟବସ୍ଥା ହୋଇଥିଲା । ଫଳରେ ଶ୍ରଦ୍ଧାଳୁମାନେ ୱାନୱେ ଟ୍ରାଫିକ୍ରେ ଯାଇ ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ କରିପାରିଥିଲେ । ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଏହି ଗହଳି ଭିତରେ ସାଧା ପୋଷାକରେ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇ ଲୁଟେରାଙ୍କ ଉପରେ କଡା ନଜର ରଖିଥିଲେ । ଅନ୍ୟପକ୍ଷରେ ମେଡିକାଲ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବାଇକ୍ ଓ ସାଇକେଲକୁ ବନ୍ଦ କରାଯାଇ ଭକ୍ତମାନେ ଚାଲିକରି ଯାଇ ରଥାରୂଢ ଅବସ୍ଥାରେ ଶ୍ରୀଜିଉଙ୍କୁ ସୁନାବେଶରେ ଦୁଲର୍ଭ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ସମେତ ଟ୍ରାଫିକ୍ ପରିଚାଳନାରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ୫୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।