ମନ୍ତ୍ରିପଦରୁ ସେନ୍ଥିଲ ବାଲାଜୀ ବରଖାସ୍ତ

ଚେନ୍ନାଇ, ୨୯ା୬: ତାମିଲନାଡୁ ସରକାରରେ ମନ୍ତ୍ରୀ ଥିବା ଭି ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ପରାମର୍ଶ ନ ଲୋଡି ରାଜ୍ୟପାଳ ଆର୍ ଏନ୍ ରବି ଗୁରୁବାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେନ୍ଥିଲ ବାଲାଜୀ ଟଙ୍କା ନେଇ ଚାକିରି ଦେବା ଏବଂ ମନି ଲଣ୍ଡରିଂ ମାମଲା ଆଦି ଭ୍ରଷ୍ଟାଚାରରେ ଅଭିଯୁକ୍ତ ହୋଇ ଏବେ ଜେଲ୍ରେ ଅଛନ୍ତି । ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ତାଙ୍କୁ ଗତ ୧୪ ତାରିଖ ଦିନ ଗିରଫ କରିଥିଲା । ବୁଧବାର ଚେନ୍ନାଇର ଏକ ଅଦାଲତ ସେନ୍ଥିଲଙ୍କ ବିଚାରବିଭାଗୀୟ ହାଜତ ମିଆଦ ୧୨ ଜୁଲାଇ ପର୍ଯ୍ୟନ୍ତ ବଢାଇ ଦେଇଥିଲେ ।
ରାଜଭବନ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିବୃତିରେ କୁହାଯାଇଛି, ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ ବହୁ ଗୁରୁତର ଅପରାଧିକ ମାମଲାର ସମ୍ମୁଖୀନ ହୋଇଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟପାଳ ତକ୍ରାଳ ପ୍ରଭାବରେ ମନ୍ତ୍ରିପରିଷଦରୁ ବରଖାସ୍ତ କରିଛନ୍ତି । ଏହା ପୂର୍ବରୁ ସେନ୍ଥିଲଙ୍କ ବିଭାଗକୁ ରାଜ୍ୟପାଳ ଅନ୍ୟ ମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ । ଏହି କାରଣରୁ ସରକାର ଓ ରାଜଭବନ ମଧ୍ୟରେ ବିବାଦ ଉପୁଜିଥିଲା । ଗୁରୁବାର ରାଜ୍ୟପାଳ ସେନ୍ଥିଲଙ୍କୁ ବରଖାସ୍ତ କରିଦେବାରୁ ବିବାଦ ଆହୁରି ତେଜିବ । ସୂତ୍ର ଅନୁଯାୟୀ, ତାମିଲନାଡୁର ଡିଏମ୍କେ ସରକାର ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମ୍କୋର୍ଟରେ ଚାଲେଞ୍ଜ୍ କରିବାକୁ ଯୋଜନା କରୁଛନ୍ତି । ଇତିମଧ୍ୟରେ ଡିଏମ୍କେ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି । ଦଳର ନେତା ସରବନନ ଅନ୍ନା ଦୁରାଇ କହିଛନ୍ତି, ସେନ୍ଥିଲ ବାଲାଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିବା ଅଧିକାର ରାଜ୍ୟପାଳଙ୍କର ନାହିଁ । ରାଜ୍ୟପାଳ ସନାତନ ଧର୍ମ ଅନୁସାରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସନାତନ ଧର୍ମ ଆମ ଦେଶର ଆଇନ ନୁହେଁ । ଆମ ସମ୍ବିଧାନ ଆମ ବାଇବଲ, ଗୀତା ଓ କୋରାନ । ରାଜ୍ୟପାଳଙ୍କୁ ଅନୁରୋଧ ସେ ସମ୍ବିଧାନ ଠିକ୍ ରୂପେ ପଢନ୍ତୁ ।
ଉଲ୍ଲେଖଯୋଗ୍ୟ, ପୂର୍ବତନ ଏଆଇଡିଏମ୍କେ ସରକାରରେ ମଧ୍ୟ ସେନ୍ଥିଲ ବାଲାଜୀ ପରିବହନ ବିଭାଗ ମନ୍ତ୍ରୀ ଥିଲେ । ୨୦୧୪-୧୫ରେ ସେ ଟଙ୍କା ବିନିମୟରେ ଚାକିରି ଦେଇଥିବା କେଳେଙ୍କାରୀ ପଦାକୁ ଆସିଥିଲା । ଏନେଇ ୨୦୨୧ରେ ତାଙ୍କ ବିରୋଧରେ ଧନଶଧୋନ ମାମଲା ରୁଜୁ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *