ବେଙ୍ଗଲୁରୁରେ ହେବ ବିରୋଧୀଙ୍କ ଦ୍ୱିତୀୟ ବୈଠକ

ମୁମ୍ବାଇ, ୨୯ା୬: ବିରୋଧୀ ଦଳଙ୍କ ପରବର୍ତ୍ତୀ ବୈଠକ ଶିମଳା ପରିବର୍ତ୍ତେ କର୍ଣ୍ଣାଟକ ରାଜଧାନୀ ବେଙ୍ଗଲୁରୁରେ ଆସନ୍ତା ମାସ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ମୁଖ୍ୟ ଶରଦ ପାୱାର ଗୁରୁବାର ଏ ବିଷୟରେ ସୂଚନା ଦେଇଛନ୍ତି । ପାଟନାରେ ଗତ ୨୩ ତାରିଖ ଦିନ ହୋଇଥିଲା ପ୍ରଥମ ବୈଠକ । ବୈଠକ ପରେ ସୂଚନା ଦିଆଯାଇଥିଲା ଯେ ପରବର୍ତ୍ତୀ ବୈଠକ ଜୁଲାଇ ୧୦ କିମ୍ବା ୧୨ ତାରିଖ ଦିନ ହିମାଚଳ ପ୍ରଦେଶ ରାଜଧାନୀ ଶିମଳାଠାରେ ହେବ । ପରେ ଖବର ଆସିଥିଲା ଯେ ଶିମଳା ପରିବର୍ତ୍ତେ ଜୟପୁରରେ ବୈଠକ ବସିପାରେ ।
ପାଟନା ବୈଠକରେ ୧୫ଟି ବିରୋଧୀ ଦଳର ନେତାମାନେ ଏକଜୁଟ ହୋଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଆଗାମୀ ନିର୍ବାଚନରେ ଚାଲେଞ୍ଜ କରିବା ପାଇଁ ସହମତ ହୋଇଥିଲେ । ଜୁଲାଇ ୧୩ ଓ ୧୪ ବୈଠକରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା ହେବ । ତା ସହିତ ବିରୋଧୀ ମହାମେଣ୍ଟର ନାମ ଚୂଡାନ୍ତ ହେବ । ସେହିପରି ମେଣ୍ଟର ରାଷ୍ଟ୍ରୀୟ ଆବାହକଙ୍କ ନାମ ଘୋଷଣା କରାଯିବ । ଏହାବାଦ୍ ୨୦୨୪ ନିର୍ବାଚନ ପାଇଁ ଲୋକସଭା ଆସନ ବୁଝାମଣା ଉପରେ ହେବ ବିସ୍ତୃତ ଆଲୋଚନା ।
ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର କହିଛନ୍ତି, ପାଟନା ବୈଠକ ପରଠାରୁ ପ୍ରଧାନମନ୍ତ୍ରୀ ମୋଦି ବିଚଳିତ ହୋଇପଡିଛନ୍ତି । ଏକକ ନାଗରିକ ସଂହିତା (ୟୁସିସି) ଉପରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ କେନ୍ଦ୍ର ସରକାର ଲୋକସଭା ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ଆବଶ୍ୟକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *