ବ୍ରାହ୍ମଣୀରେ ଶୌଚବେଳେ ଟାଣିନେଲା କୁମ୍ଭୀର
ବାରମ୍ବାର କୁମ୍ଭୀର ଆକ୍ରମଣ ଯୋଗୁଁ ପଟ୍ଟାମୁଣ୍ଡାଇରେ ଆତଙ୍କ
ପଟ୍ଟାମୁଣ୍ଡାଇ ୨୯ ।୬ (ଆପ୍ର): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର କୁମ୍ଭୀର ଆକ୍ରମଣରେ ଭଳି ଘଟଣା ଘଟୁଛି । ଗୁରୁବାର ସକାଳ ୬ ଟାରେ ସ୍ଥାନୀୟ ତରଡ଼ିପାଳ ପଞ୍ଚାୟତ ଘାଗରାଡିଆ ଗ୍ରାମର ଗଙ୍ଗାଧର ତରାଇ (୫୫) ବାହ୍ୟ କର୍ମ ସାରି ବ୍ରାହ୍ମଣୀରେ ଶୌଚ ହେବା ସମୟରେ ଏକ ବୃହତ ବଉଳା କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଏହି ଖବର ପ୍ର·ରିତ ହେବା ପରେ ନଦୀ କୂଳକୁ ଲୋକଙ୍କ ସୁଅ ଛୁଟି ଥିଲା । ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ନଦୀରେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦିନ ୧୨ଟାରେ ଗଙ୍ଗାଧରଙ୍କ ଶବ ଉଦ୍ଧାର କରିଛି । ଶବର ମୁଣ୍ଡ ଓ ଗୋଡ଼କୁ କୁମ୍ଭୀର ଖାଇଯାଇଥିବା ଦେଖାଯାଇଛି । ତହସିଲଦାର ଦିଲ୍ଲୀପ ସେଠୀ, ଏସ୍ଡିପିଓ ସନ୍ଧ୍ୟାରାଣୀ ବେଉରିଆ, ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ, ଚୌଦକୁଲାଟ ଫାଣ୍ଡି ଅଫିସର ନୃସିଂହ ମହାନ୍ତି ପ୍ରମୁଖ ପୁଲସ ବାହିନୀ ସହିତ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ପୂର୍ବତନ ବିଧାୟକ କିଶୋର ତରାଇ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ତରଡ଼ିପାଳ ସରପଞ୍ଚ ଦେବେନ୍ଦ୍ର ନାୟକ, ସମିତି ସଭ୍ୟ ନିରଞ୍ଜନ ବାରିକ, ପେଣ୍ଠପାଳ ସମିତି ସଭ୍ୟ ଶଶାଙ୍କ ବିଶ୍ୱାଳ, ଗାଙ୍ଗପଡା ସରପଞ୍ଚ ଅଶ୍ୱିନୀ ପାତ୍ର, ପଞ୍ଚାୟତ ବିଜେଡି ସଭାପତି ହିମାଂଶୁ ବିଶ୍ୱାଳ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ମୁତ ପରିବାରକୁ ସହାୟତା ପ୍ରଦାନ ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଉକ୍ତ ଗରିବ ପରିବାରକୁ ସରକାରୀ ସହାୟତା ପ୍ରଦାନ ଓ ଧୋୟାଞ୍ଚଳବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲଙ୍କ ସମେତ ନିର୍ବାଚିତ ଜନପ୍ରତିନିଧି ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ପୂର୍ବତନ ବିଧାୟକ କିଶୋର ତରାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି କ୍ଷତିଗ୍ରସ୍ତ ପରିବାରକୁ ପର୍ଯ୍ୟାପ୍ତ ସହାୟତା ଓଲୋକମାନଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ପଞ୍ଚାୟତ ନିମପୁର ଗ୍ରାମରେ ପହିଲି ରଜ ଦିନ ଏକ ନାବାଳକ ଛାତ୍ରକୁ କୁମ୍ଭୀର ଆକ୍ରମଣ କରି ମାରି ଦେବା ଘଟଣା ମନରୁ ନ ଲିଭୁଣୁ ଆଜିର ଘଟଣା ସ୍ତବ୍ଧ କରିଦେଇଛି । ବାରମ୍ବାର କୁମ୍ଭୀର ଆକ୍ରମଣ ଯୋଗୁଁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ନଦୀନାଳ ଘେରା ପଟ୍ଟାମୁଣ୍ଡାଇ ବ୍ଲକର ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ମୁଖ୍ୟତଃ ନଦୀ ଉପରେ ର୍ନିଭର କରିଥାନ୍ତି । କୁମ୍ଭୀର ଆତଙ୍କ କାରଣରୁ ଏବେ ନଦୀକୁ ଯିବା ଲାଗି ଲୋକେ ଭୟ କରୁଛନ୍ତି ।