ଦିଗପହଣ୍ଡିରେ ଡବଲ୍ ମର୍ଡର
ବ୍ରହ୍ମପୁର, ୨୯ା୬(ବୁ୍ୟରୋ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମରେ ଡବଲ ମର୍ଡର ହୋଇଛି । ଦୁଇ ଯୁବକଙ୍କୁ ହତ୍ୟା କରିଛନ୍ତି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ । ବୁଧବାର ରାତିରେ ସହର ଉପକଣ୍ଠ ଲାଠି ଗ୍ରାମର ଲିଟୁ ପୁରୋହିତ ଓ ଶିବ ଗୌଡଙ୍କୁ ହତ୍ୟା କରିବାପରେ ଗ୍ରାମ ପାଶ୍ୱର୍ରେ ପୋଡିଦେଇ ଫେରାର ହୋଇଛନ୍ତି ହତ୍ୟାକାରୀ । ଖବରପାଇ ବ୍ରହ୍ମପୁର ଏସ୍ପି ଡ. ଶ୍ରବଣା ବିବେକ ଏମ୍, ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଦିଗପହଣ୍ଡି ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ସହ ସାଇଣ୍ଟଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ତଦନ୍ତ କରିଛନ୍ତି । ହତ୍ୟାକାଣ୍ଡ ଘଟାଇବା ପରେ ପ୍ରମାଣ ନଷ୍ଟ କରିବା ଲାଗି ଗାଁ ନିକଟ ପୋଖରୀ କଡ଼ରେ ପୋଡିଦେଇ ଫେରାର ହୋଇଯାଇଛନ୍ତି ହତ୍ୟାକାରୀ । ଗୁରୁବାର ସକାଳେ ପୋଖରୀକୁ ଗାଧୋଇବା ଲାଗି ଯାଇଥିବା ଲୋକେ ଅଦ୍ଧଦଗ୍ଧ ଅବସ୍ଥାରେ ପଡ଼ିଥିବା ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଅନ୍ୟପକ୍ଷରେ ଗିରଫ ଭୟରେ ମହୁଡ଼ା ପୁରୁଷଶୂନ୍ୟ ହୋଇଯାଇଛି । ଦୁଇ ବନ୍ଧୁ ଲିଟୁ ଓ ଶିବ ବୁଧବାର କୌଣସି କାମରେ ମହୁଡ଼ା ଆସି ହତ୍ୟାର ଶିକାର ହୋଇଛନ୍ତି । ଉଭୟଙ୍କ ପରିବାର ଲୋକେ ବହୁ ଖୋଖୋଜି କରି ପାଇ ନ ଥିଲେ । ମହୁଡ଼ା ନିକଟରେ ୨ଟି ଅର୍ଦ୍ଧଦଗ୍ଧ ଶବ ପଡିଥିବା ଖବରପାଇ ଘଟଣାସ୍ଥଳକୁ ଆସି ପରିବାରବର୍ଗ ଉଭୟଙ୍କୁ ଚିହ୍ନଟ କରିଥିଲେ । ଲିଟୁ ଓ ଶିବଙ୍କର କୌଣସି ଲୋକଙ୍କ ସହ ଶତ୍ରୁତା ନ ଥିଲା । କିନ୍ତୁ କିଏ ଓ କାହିଁକି ହତ୍ୟା କଲା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପୁଲିସ୍ ତଦନ୍ତକରି ସତ୍ୟାସତ୍ୟ ବାହାର କରୁ ବୋଲି ଶିବଙ୍କ ଭାଇ କ୍ରିଷ୍ଣା ଗୌଡ ଓ ଲିଟୁଙ୍କ ଭାଇ ଉମାଶଙ୍କ ଦାବି କରିଛନ୍ତି । ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି । ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ, ୨ଜଣଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଛି । ମହୁଡ଼ା ଗ୍ରାମବାସୀଙ୍କର ଲିଟୁ ଓ ଶିବଙ୍କ ସହ କୌଣସି କାରଣକୁ ନେଇ ବଚସା ହେବାପରେ ଉଭୟଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ବ୍ରହ୍ମପୁର ଏସ୍ପି କହିଛନ୍ତି । ଏହି ଘଟଣାରେ ଦିଗପହଣ୍ଡି ପୁଲିସ୍ ୧୧ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଗିରଫ ଭୟରେ ମହୁଡ଼ାର ଅଧିକାଂଶ ଘରେ ତାଲା ପଡ଼ିବା ସହ ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ସେପଟେ ଦୀର୍ଘଦିନଧରି ଶିବ ଓ ଲିଟୁ ମହୁଡ଼ା ଏବଂ ଆଖପାଖରେ ଭୟଭୀତକରି ଦାଦାବଟି ମାଗୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି । ଏହାକୁ ନେଇ ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ମଧ୍ୟ ସନେ୍ଦହ କରାଯାଉଛି । ହତ୍ୟାକାରୀଙ୍କୁ ଚିହ୍ନଟ କରାଯିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି ।