ବାହୁଡିÿଲେ ଲୀଳାମୟ
ପୁରୀ, ୨୮ା୬(ବୁ୍ୟରୋ): ଜନ୍ମବେଦୀରେ ଲୀଳାଖେଳା ସାରି ଆଷାଢ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ପ୍ରଭୁ ଲୀଳାମୟ । ଦାରୁଦିଅଁଙ୍କ ବାହୁଡା ଯାତ୍ରା ପାଇଁ ବୁଧବାର ସକାଳୁ ସକାଳୁ ବଡଦାଣ୍ଡ ପାଲଟିଥିଲା ଜନସମୁଦ୍ର । ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପ୍ରସ୍ତୁତ ରହିଥିଲେ ତିନିରଥ । ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଶରଧାବାଲି । ବାହୁଡା ନୀତିକାନ୍ତି ଓ ପହଣ୍ଡି ସଅଳ ହୋଇଥିଲା । ଅଝଟ ନ ହୋଇ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥାରୂଢ ହୋଇଥିଲେ ଚତୁର୍ଦ୍ଧାବିଗ୍ରହ । ୩ ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ରଥଟଣା । ଭାଇଭଉଣୀଙ୍କୁ ସାଥିରେ ଧରି କାଳିଆ ଠାକୁର ବାହାରିଥିଲେ ଶ୍ରୀମନ୍ଦିର ଅଭିମୁଖେ । ବାହୁଡା ଯାତ୍ରାରେ ପ୍ରାୟ ୫ ଲକ୍ଷରୁ ଊଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି ।
ସନ୍ଧ୍ୟା ୬ଟା୪୫ ସୁଦ୍ଧା ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ତିନିରଥ । ଗୁରୁବାର ରଥ ଉପରେ ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେବେ ବିଶ୍ୱନିୟନ୍ତା । ମହାପ୍ରଭୁଙ୍କୁ ରନôସିଂହାସନକୁ ଫେରାଇନେବା ଲାଗି ଅପେକ୍ଷା କରିଥିଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ସକାଳୁ ଖରାଟିଆ ପାଗ ସହ ଗୁଳୁଗୁଳି ରହିଥିଲେ ବି ଏହା ଭଗବାନଙ୍କଠାରୁ ଭକ୍ତଙ୍କୁ ଅଲଗା କରିପାରି ନ ଥିଲା । ସକାଳ ୭ଟା୪୦ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ମଙ୍ଗଳାର୍ପଣ ହୋଇ ବାଜିଥିଲା ବିଜେ କାହାଳୀ । ବାହୁଡା ପହଣ୍ଡି ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବା ପାଇଁ ନୀତି ନିର୍ଘଣ୍ଟ ହୋଇ ଥିବା ବେଳେ ୪ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୮ଟାରେ ଆରମ୍ଭ ହୋଇଥିଲା ଦାରୁବିଗ୍ରହଙ୍କ ପହଣ୍ଡି । ଧାଡି ପହଣ୍ଡିରେ ଯାଇ ପ୍ରଥମେ ସୁଦର୍ଶନ ରଥାରୂଢ ହୋଇଥିଲେ । ପରେ ବଡ ଠାକୁର ବଳଭଦ୍ର, ହଳଦୀମୁଖୀ ମା’ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବିଜେ ହୋଇଥିଲେ । ୧୧ଟା୫ ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ସରିଥିଲା । ୧୧ଟା ୧୦ରେ ମଦନମୋହନ ଓ ରାମକୃଷ୍ଣ ରଥକୁ ବିଜେ କରିଥିଲେ ।
୧୧ଟା୪୦ରେ ଆରମ୍ଭ ହୋଇଥିଲା ଛେରାପହଁରା । ପ୍ରଥମେ ତାଳଧ୍ୱଜ, ପରେ ନନ୍ଦି ଘୋଷ ଏବଂ ଶେଷରେ ଦର୍ପଦଳନ ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୁନାବେଣ୍ଟ ଲଗା ଖଡିକାରେ ଛେରାପହଁରା କରିଥିଲେ ।୧୨ଟା୪୦ସୁଦ୍ଧା ଛେରାପହଁରା ସରିବାପରେ ଚାରମାଳ ଫିଟା ହୋଇ ଘୋଡା ଓ ସାରଥି ଲାଗିଥିଲା ।
ପୂର୍ବରୁ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ଧାର୍ଯ୍ୟ ହୋଇଥିଲା । କିନ୍ତୁ ଅପରାହ୍ଣ ୧୨ଟା୫୦ରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା । ଏହାପରେ ଅପରାହ୍ଣ ୧ଟା୩୦ରେ ଦର୍ପଦଳନ ଏବଂ ଶେଷରେ ଅପରାହ୍ନ ୧ଟା୪୫ରେ ନନ୍ଦିଘୋଷ ରଥକୁ ଭକ୍ତ ଟାଣିଥିଲେ । ମାଉସୀମା’ ମନ୍ଦିର ସମ୍ମୁଖରେ ପୋଡପିଠା ସମର୍ପଣ କରାଯାଇଥିଲା । ଅପରାହ୍ଣ ୪ଟା୪୦ରେ ତାଳ ଧ୍ୱଜ, ୪ଟା୫୦ରେ ଦର୍ପଦଳନ ରଥ ସିଂହଦ୍ୱାର ନିକଟରେ ପହଞ୍ଚିଥିଲା । ନନ୍ଦିଘୋଷ ଶ୍ରୀନଅରଠାରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତିସମ୍ପନ୍ନ ହୋଇଥିଲା । ପରେ ସନ୍ଧ୍ୟା ୬ଟା୪୫ରେ ନନ୍ଦିଘୋଷ ସିଂହଦ୍ୱାରରେ ଲାଗିଥିଲା । ପ୍ରଶାସନ ପକ୍ଷରୁ ତୁରନ୍ତ ରଥ ଚତୁଃପାଶ୍ୱର୍ରେ ବାରିକେଡ୍ କରାଯାଇଥିଲା । ଭକ୍ତମାନେ ରଥାରୂଢ ଦାରୁଦିଅଁଙ୍କୁ ଦର୍ଶନ କରିଥିଲେ ।